41.1 C
Bhubaneswar
Sunday, April 28, 2024
Homeଓଡିଶାଭକ୍ତି ଆଗରେ ହାର ମାନିଛି ଅନାଟନ

ଭକ୍ତି ଆଗରେ ହାର ମାନିଛି ଅନାଟନ

କନ୍ଦରପୁର : ‘ଈଶ୍ୱର ଆଲ୍ଲା ତେରେ ନାମ୍ ସବ୍‌କୋ ସନ୍‌ମତି ଦେ ଭଗବାନ’ର ଉକ୍ତି ଆଜିର ଯୁଗରେ ପ୍ରମାଣିତ ହୋଇପାରିଛି କଟକ ସହର ଅନ୍ତର୍ଗତ କିଶନନଗର ସନ୍ନିକଟ ପ୍ରହରାଜପୁର ଗ୍ରାମରେ । ‘କହେ ସାଲବେକ ହୀନ ଜାତିରେ ମୁଁ ଯବନ, ଶ୍ରୀରଙ୍ଗା ଚରଣ ତଳେ ରହୁ ମୋର ମନ’, ଆହେ ନୀଳଶଇଳ…’ । ଭକ୍ତ ଶ୍ରେଷ୍ଠ ସାଲବେଗଙ୍କ ଏହି ରଚନା ପଛରେ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିବା ସମର୍ପଣ ଭାବ ସଦା ସର୍ବଦା ଚିରସ୍ମରଣୀୟ, ଯବନ ହୋଇ ସାଲବେଗ ଯେଉଁ ଭକ୍ତିଭାବର ସ୍ମୃତି ସୃଷ୍ଟି କରିଯାଇଛନ୍ତି ତାହା ଚିରକାଳ ଉଦାହରଣ ହୋଇ ରହିଛି । ପ୍ରହରାଜପୁର ମୁସଲମାନ ବସ୍ତିର ଭିନ୍ନ ଜଣେ ସାଲବେଗ ଅବ୍‌ଦୁଲ ସମଦ୍ ନିଜାମି(ଶାମ୍ ଚାଚା)ଜଗନ୍ନାଥଙ୍କ ସେହି ଭଜନ ଜଣାଣ ଗାଇ ଭିନ୍ନ ଏକ ପରିଚୟ ସୃଷ୍ଟି କରିପାରିଛନ୍ତି ।

ଆଦର୍ଶ ଭାବେ ଭଜନ ସମ୍ରାଟ ଭିକାରୀ ବଳଙ୍କୁ ଗୁରୁ କରି ତାଙ୍କର କଣ୍ଠସ୍ୱରରେ ନିର୍ଭୁଲ ଭଜନ ଜଣାଣ ଗାଇ ସମସ୍ତଙ୍କୁ ସମର୍ପଣ ଡୋରିରେ ବାନ୍ଧି ରଖିପାରିଛନ୍ତି । ଜନ୍ମର ୩ମାସ ପରେ ଜଗନ୍ନାଥ ସିନା ଦୃଷ୍ଟିଶକ୍ତି ନେଇଗଲେ, ହେଲେ ଗଳାରେ ଦେଇଦେଲେ ସୁମଧୁର ସ୍ୱର । ଦୃଷ୍ଟିହୀନ ହୋଇଥିବାରୁ ପାଠପଢ଼ାରେ ଆଗେଇ ପାରିନଥିବା ଶାମ୍ ଚାଚା ସ୍ଥାନୀୟ ଅଞ୍ଚଳର ଜଣେ ବଦାନ୍ୟ ବ୍ୟକ୍ତିତ୍ୱ ବିଶିଷ୍ଟ ଶିକ୍ଷାବିତ୍‌ଙ୍କ ପ୍ରଚେଷ୍ଟାରେ ଓଡ଼ିଶୀ ସଙ୍ଗୀତ ମହାବିଦ୍ୟାଳୟରେ ନାଁ ଲେଖାଇ କୃତିତ୍ୱର ସହ ‘ବି ହାଇଗ୍ରେଡ୍‌’ର ମାନ୍ୟତା ହାସଲ କରିଥିଲେ । ଏସବୁ ସତ୍ୱେ, ବଣମଲ୍ଲୀ ବଣରେ ଝଡ଼ିଗଲା ପରି ସରକାର ଏଭଳି ଆଉ ଜଣେ ସାଲବେଗଙ୍କୁ ଚିହ୍ନି ନପାରିବା ପରିତାପର ବିଷୟ ହୋଇଛି । ପ୍ରତିଦିନ ଜଗନ୍ନାଥଙ୍କ ଭଜନ ଗାଇ ବୁଲୁଛନ୍ତି ।

ମାତ୍ର ଅଭାବ ଅନଟନ ଭିତରେ କାଳାତିପାତ କରୁଥିବାରୁ ଝିଅ ମାଟ୍ରିକ୍ ପରେ ପଢ଼ାରେ ଡୋରି ବାନ୍ଧିବାକୁ ବାଧ୍ୟହୋଇଛନ୍ତି । ୩ଟି ପୁଅଙ୍କୁ ଉଚ୍ଚଶିକ୍ଷିତ କରିବାକୁ ଆଶା ରଖିଥିବା ବିଶିଷ୍ଟ କଳାକାରଙ୍କ ପାଇଁ ଅର୍ଥ ସାଜିଛି ବାଧକ । ଅନ୍ୟପଟେ, ଫନ୍ଦିପିକର କରି ସରକାରଙ୍କ ଯୋଜନାରେ ପକ୍କାଘର ଓ କଳାକାର ଭତ୍ତା ଅନ୍ୟମାନେ ହାତେଇଥିବାବେଳେ ଏହା ତାଙ୍କ ପାଇଁ ସାତସପନ ହୋଇଛି । ଭଙ୍ଗା ଦଦରା ଚାଳଘରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଇଥିବା ମାନପତ୍ର ସବୁକୁ ଘରେ ଝୁଲାଇ ପରିବାର ସହ ଦୁଃଖ କଷ୍ଟରେ ଚଳୁଛନ୍ତି ଶାମ୍ ଚାଚା । ସବୁ ଦୁଃଖକଷ୍ଟ ଅଭାବ ଅସୁବିଧାରେ ଶାମ୍ ଚାଚା କୁହନ୍ତି ମୁଁ ଭଗବାନ ଜଗନ୍ନାଥଙ୍କ ପାଖରେ ସମର୍ପିତ । ଜୀବ ଥିବାଯାଏ, ତାଙ୍କର ଭଜନ ଜଣାଣ ଗାଉଥିବି । ସରକାର ଏହି ମହାନ୍ ଦୃଷ୍ଟିହୀନ କଣ୍ଠଶିଳ୍ପୀଙ୍କ ପ୍ରତି ଦୃଷ୍ଟିଦେବାକୁ ଶିକ୍ଷାବିତ୍ ପ୍ରଦୀପ୍ତ ଆଚାର୍ଯ୍ୟ ଓ ଶିକ୍ଷାବିତ୍ ମହମ୍ମଦ ଆସଫାକ୍ (ଫାଜି) ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking