ପୁରୀ : ପୁରୀରେ ବ୍ୟାପିଛି ଝାଡାବାନ୍ତି। ଦୁଇ ମହିଳାଙ୍କ ସମେତ ତିନିଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ସମ୍ମୁଖ ବରାହୀ ଲେନ୍, ଶ୍ୱେତଗଙ୍ଗା ଲେନ୍ ଏବଂ ଶ୍ୟାମାକାଳୀ ସାହିର ବହୁ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। କେତେକ ପରିବାରରେ ଦୁଇ ତିନିଜଣ ଲେଖାଏଁ ସଂକ୍ରମିତ ହୋଇଥିବା ଜଣାପଡିଛି। ବରାହୀ ଗଳିର ଦାମୋଦର ପଣ୍ଡା ଏବଂ ଶ୍ୱେତଗଙ୍ଗା ଲେନ୍ର ଶଶୀମଣି ଦାସୀଙ୍କ ମୃତ୍ୟୁ ହୋଇଛି। ଶ୍ୟାମାକାଳୀ ସାହିର ଆଉ ଜଣେ ମହିଳାଙ୍କର ଝାଡାବାନ୍ତିରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ରାସ୍ତାତଳ ଦେଇ ଯାଇଥିବା ପାନୀୟ ଜଳ ଯୋଗାଣ ପାଇପ୍ରେ ନଳାପାଣି ଏବଂ ପଙ୍କ ମିଶୁଥିବାରୁ ଦୂଷିତ ପାଣି ବ୍ୟବହାର କରି ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହେଉଛି।