ମୟୂରଭଞ୍ଜ : ରୋଜଗାର ଦିଅ ସରକାର” ଦାବିରେ ଏକ ସଚେତନତା ରଥ ପରିକ୍ରମା କାର୍ଯ୍ୟକ୍ରମ ଆରମ୍ଭ କରିବା ଲକ୍ଷ୍ୟରେ ଭଞ୍ଜସେନା ପକ୍ଷରୁ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ। ଏହି ବୈଠକରେ ରତ୍ନଗର୍ଭା ମୟୂରଭଞ୍ଜର ଇତିହାସ ଯେତେ ସମୃଦ୍ଧ, ସଂସ୍କୃତି, ପରମ୍ପରା, ଐତିହ୍ୟ ସହ ଶିମିଳିପାଳ ଜାତୀୟ ଉଦ୍ୟାନର ମାନ୍ୟତା ମଧ୍ୟ ସେତେ ଗୁରୁତ୍ବପୂର୍ଣ୍ଣ ବୋଲି ମତପ୍ରକାଶ ପାଇଛି । ତେବେ ତତ୍କାଳୀନ ସ୍ୱାଧୀନ ମୟୂରଭଞ୍ଜ, ରାଜ୍ୟର ମିଶ୍ରଣ ରାଜିନାମା ଅନୁସାରେ ଯେଉଁସବୁ ସୁବିଧାସୁଯୋଗ ପାଇବାର ସ୍ୱର୍ତ୍ତ ଉଲ୍ଲେଖ ରହିଥିଲା, ସେସବୁ ଆଜି ମୂଲ୍ୟହୀନ ହୋଇପଡିଛି । ସବୁ ଥାଇ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ପଛୁଆ, ଅନୁନ୍ନତ ଏବଂ ଅନଗ୍ରସର । ଏକ ଅଧ୍ୟୟନରୁ ଜଣାଯାଏ ଯେ, ବିଶ୍ୱସ୍ତରୀୟ ଟ୍ରାଭେଲ ଏବଂ ଟୁରିଜିମ୍ କ୍ଷେତ୍ରରେ ୩୧୯ ଲକ୍ଷ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାରକ୍ଷମ ହେବା ସହ ବିଶ୍ୱ ଅର୍ଥନୀତିରେ ଏହା ଶତକଡା ୩୯ ପ୍ରତିଶତ ଆର୍ଥକ ଯୋଗଦାନ ଦେବାରେ ସହାୟକ ହୋଇଥାଏ । ତେଣୁ ମୟୂରଭଞ୍ଜର ଶିମିଳିପାଳକୁ ଯଦି ତ୍ୱରିତ ବେଗରେ ଏକ ପର୍ୟ୍ୟଟନ ଶିଳ୍ପର ମାନ୍ୟତା ଦିଆଯାଇ, ଏହାର ଭିତରେ ଏବଂ ଚତୁପାର୍ଶ୍ୱରେ ଥିବା ପର୍ୟ୍ୟଟନସ୍ଥଳୀକୁ ବିକଶିତ କରାଯାଇ ବର୍ଷ ତମାମ ଭ୍ରମଣ କରିବାର ସୁଯୋଗ ସୃଷ୍ଟି କରାଯାଇ ପାରନ୍ତା ତେବେ ଦେଶ ତଥା ବିଦେଶ ପର୍ଯ୍ୟଟକମାନଙ୍କୁ ବିଶେଷ ଭାବେ ଆକୃଷ୍ଟ କରିବା ପାଇଁ ରୋପ-ୱେ, ଅତ୍ୟାଧୁନିକ ହୋଟେଲ ତଥା ଆଶ୍ରୟସ୍ଥଳୀ ସହ ଖାଦ୍ୟ-ପାନୀୟର ବ୍ୟବସ୍ଥା, ଜିଲ୍ଲା ବାହାର ପର୍ଯ୍ୟଟକମାନଙ୍କୁ ମୟୂରଭଞ୍ଜ ପ୍ରତି ଆକୃଷ୍ଟ କରିବାରେ ସହାୟକ ହୋଇପାରନ୍ତା।
ସେହିଭଳି ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବାର ଆବଶ୍ୟକତା ରହିଛି। ବିଭିନ୍ନ ସ୍ଥାନକୁ ସଂଯୋଗ କରିବା ପାଇଁ ଅମଦା ଓ ଦାଣ୍ଡପୋଷ ଏୟାରପୋର୍ଟର ଉନ୍ନତିକରଣ, ବାଙ୍ଗିପୋଷି-ଗୋରୁମହିଷାଣୀ, ବୁଢ଼ାମରା-ଚାକୁଳିଆ, ବାଦାମପାହାଡ-କେନ୍ଦୁଝର ରେଳଲାଇନ ସଂଯୋଗୀକରଣ କରାଗଲେ ଅନାଲୋଚିତ ଏବଂ ଅବହେଳିତ ମୟୂରଭଞ୍ଜ ପର୍ଯ୍ୟଟନ ଶିଳ୍ପର ମାନ୍ୟତା ପାଇବା ସହ ବହୁ ପାଠୁଆ-ଅଣପାଠୁଆ ବେରୋଜଗାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରୋଜଗାରର ପନ୍ଥା ପାଇପାରିବା ସହ ଜିଲ୍ଲାରେ ଥିବା ବେକାରି ସମସ୍ୟାକୁ ବହୁ ମାତ୍ରାରେ ଏଡାଇ ଦିଆଯାଇପାରିବ। ତତ୍ ସହିତ ଶିମିଳିପାଳରେ ମିଳୁଥିବା ଅନେକ ଦୁର୍ଲଭ ପ୍ରଜାତିର ଔଷଧୀୟ ବୃକ୍ଷମାନଙ୍କୁ ସଠିକ ଭାବେ ଚିହ୍ନଟ କରି ତାକୁ ରପ୍ତାନି କରିବା ସହ ଯଦି ଆୟୁର୍ବେଦ ଔଷଧ ନିର୍ମାଣ ଶିଳ୍ପ ପ୍ରତିଷ୍ଠା କରାଯାଇ ପାରନ୍ତା ତେବେ ଏକ ନବଦିଗନ୍ତର ଉନ୍ମେଷ ହେବା ସହ ବେକାରୀ ସମସ୍ୟାର ସମାଧାନ ଦିଗରେ ଏକ ବଳିଷ୍ଠ ମାଧ୍ୟମ ହୋଇପାରନ୍ତା ।
ଅନ୍ୟପଟେ ବିଶେଷ ଭାବେ ବର୍ତ୍ତମାନ ଚାଲୁରହିଥିବା ଖଣିଖାଦାନ ଗୁଡିକରୁ ପ୍ରତ୍ୟେକ ଦିନ ଟ୍ରେନ୍ ଓ ଟ୍ରକ ଯୋଗେ ବହୁ ସଂଖ୍ୟାରେ ମୂଲ୍ୟବାନ ପଥର ଅନ୍ୟ ରାଜ୍ୟକୁ ରପ୍ତାନି କରାଯାଉଅଛି । ଜିଲ୍ଲା ଖଣିଜ ପାଣ୍ଠିର ସିଂହଭାଗ ଖଣି ଅଞ୍ଚଳର ପାରିପାର୍ଶିକ ଉନ୍ନତି ପାଇଁ ବିନିଯୋଗ ହେବାର ନିୟମ ଥିଲେ ମଧ୍ୟ ପ୍ରକୃତ କ୍ଷେତ୍ରରେ ତାହା ପାଳନ ହେଉନାହିଁ, ତା ସହିତ ମୟୂରଭଞ୍ଜ ଜିଲ୍ଲାରୁ ମୂଲ୍ୟବାନ ପଥର ନେଇ ବିକ୍ରୟ କରି ବ୍ୟବସାୟୀମାନେ ବାହାର ରାଜ୍ୟରେ ବଡ଼ବଡ ଶିଳାନୁଷ୍ଠାନ ନିର୍ମାଣ କରୁଛନ୍ତି ମାତ୍ର ଖଣି ଅଞ୍ଚଳ ତଥା ସମଗ୍ର ଜିଲ୍ଲାର ବେକାର ଯୁବକ-ଯୁବତୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଯଦି ଖଣିଖାଦାନ ମାଲିକମାନେ ଜିଲ୍ଲାର ଭିତ୍ତିଭୂମି ଥିବା ଯାଗାରେ ଶିଳ୍ପ ପ୍ରତିଷ୍ଠା କରିଥାନ୍ତେ, ତାହେଲେ ମଧ୍ୟ ଖଣି-ଖାଦାନ ଅଞ୍ଚଳ ସମେତ ସମଗ୍ର ଜିଲ୍ଲାର ବେକାରୀ ସମସ୍ୟା ବହୁ ମାତ୍ରାରେ ରୋକା ଯାଇପାରନ୍ତା।
ଜିଲ୍ଲାରେ ବନ୍ଦହୋଇ ପଡିରହିଥିବା ଛୋଟବଡ଼ ଶିଳ୍ପନୁଷ୍ଠାନ ଗୁଡିକୁ ପୂର୍ଣ୍ଣକାର୍ୟ୍ୟକ୍ଷମ କରାଯିବା ସହ ସବାଇଘାସ ଶିଳ୍ପ ଓ ବାଉଁଶ ଶିଳ୍ପପ୍ରତିଷ୍ଠା କରାଯାଇଥାଆନ୍ତା ଏବଂ ସବାଇ ଓ ବାଉଁଶକୁ ଉପଯୋଗ କରି ଏକ ସରକାରୀ କାଗଜ କାରଖାନା ପ୍ରତିଷ୍ଠା କରାଯାଇପାରନ୍ତା, ତାହେଲେ ମୟୂରଭଞ୍ଜ ଜିଲ୍ଲାରେ ବେକାରୀ ସମସ୍ୟା ବହୁମାତ୍ରାରେ ଦୂର ହୋଇପାରିଥାନ୍ତା । ତେବେ ମୟୁରଭଞ୍ଜ ଜିଲ୍ଲାରେ ଶିମିଳିପାଳ ସମେତ ପର୍ୟ୍ୟଟନ ଶିଳ୍ପର ବିକାଶ, ଆର୍ଥିକ ମାନଦଣ୍ଡର ଅଭିବୃଦ୍ଧି, ବନ୍ୟଜାତ ଦ୍ରବ୍ୟର ଉଚିତ ବ୍ୟବସାୟୀକରଣ ଏବଂ ସର୍ବୋପରି ଏହାର ସଂସ୍କୃତି-ପରମ୍ପରା-ଐତିହ୍ୟର ପ୍ରଚାରପ୍ରସାର କରି ଏହି ସବୁ ମାଧ୍ୟମରେ ବେକାରୀମୁକ୍ତ ତଥା ସମୃଦ୍ଧ ମୟୂରଭଞ୍ଜର ଲକ୍ଷ୍ୟ ନେଇ ସମଗ୍ର ଜିଲ୍ଲାବାସୀଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟିକରି ଯଥାଶୀଘ୍ର ଦାବି ହାସଲ ନିମନ୍ତେ ବେକାରୀ ମୁକ୍ତ ମୟୂରଭଞ୍ଜ ଜିଲ୍ଲାର “ସରକାର ତୁମେ ରୋଜଗାର ଦିଅ”ର ରଥଯାତ୍ରାରେ ସାମିଲ ହେବାକୁ ଆହ୍ବାନ ଦେଇଛି ଭଞ୍ଜସେନା ।