41.1 C
Bhubaneswar
Sunday, April 28, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧରୁଷ୍‌-ୟୁକ୍ରେନ୍ ଆଲୋଚନା ଆଂଶିକ ସଫଳ: କିଏଭ୍‌, ଚେର୍ନିଜିଭ୍ ଉପରେ ଆକ୍ରମଣ କୋହଳ ହେବ

ରୁଷ୍‌-ୟୁକ୍ରେନ୍ ଆଲୋଚନା ଆଂଶିକ ସଫଳ: କିଏଭ୍‌, ଚେର୍ନିଜିଭ୍ ଉପରେ ଆକ୍ରମଣ କୋହଳ ହେବ

ଇସ୍ତାନବୁଲ: ମାସାଧିକାଳ ଧରି ଯୁଦ୍ଧରେ ସଂପୃକ୍ତ ଥିବା ରୁଷ୍ ଓ ୟୁକ୍ରେନ୍‌ର ପ୍ରତିନିଧିମଣ୍ଡଳ ମଙ୍ଗଳବାର ତୁର୍କୀର ଇସ୍ତାନବୁଲ ସହରରେ ଏକ ବୈଠକରେ ମିଳିତ ହୋଇଛନ୍ତି । ଏହି ଆଲୋଚନା ଆଂଶିକ ସଫଳ ହୋଇଛି ବୋଲି ଉଭୟପକ୍ଷ ମତବ୍ୟକ୍ତ କରିଛନ୍ତି । ତଦନୁଯାୟୀ ୟୁକ୍ରେନ୍‌ର ରାଜଧାନୀ କିଏଭ୍ ଉପରେ ଅବ୍ୟାହତ ରହିଥିବା ଆକ୍ରମଣକୁ ଅନେକାଂଶରେ କୋହଳ କରିବାକୁ ରୁଷ୍ ରାଜି ହୋଇଥିବା ଜଣାପଡିଛି । କିଏଭ୍ ସମେତ ଚେର୍ନିଜିଭ୍ ସହର ପାଇଁ ମଧ୍ୟ ରୁଷ୍ ଅନୁରୂପ ରଣନୀତି ଅବଲମ୍ବନ କରିବ ବୋଲି ସମ୍ମତି ପ୍ରଦାନ କରିଛି । ଆଲୋଚନା ପୂର୍ବରୁ ରୁଷ୍ ନିକଟରେ ୟୁକ୍ରେନ୍ ପକ୍ଷରୁ କେତେକ ସର୍ତ୍ତ ଉପସ୍ଥାପନ କରାଯାଇଥିଲା ।

ତଦନୁଯାୟୀ ପାଶ୍ଚାତ୍ୟ ରାଷ୍ଟ୍ର ପକ୍ଷରୁ ଆଇନସମ୍ମତ ସୁରକ୍ଷା ଗ୍ୟାରେଣ୍ଟି ଲୋଡିଛି ୟୁକ୍ରେନ୍ । ତଦନୁଯାୟୀ ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ସୁରକ୍ଷା ପାଇଁ ଧାରା ୫ର ଯେଭଳି ବ୍ୟବସ୍ଥା କରାଯାଇଛି, ସେହି ବ୍ୟବସ୍ଥା ଯଦି ୟୁକ୍ରେନ୍ ପାଇଁ ଲାଗୁ କରାଯିବ, ତାହାହେଲେ ଆମେ ନାଟୋ ସଦସ୍ୟତା ପାଇଁ ଆବେଦନ କରିବୁ ନାହିଁ ବୋଲି ୟୁକ୍ରେନ୍ ପକ୍ଷରୁ କୁହାଯାଇଛି । ନିରାପତ୍ତା ପରିଷଦର ୪ ସ୍ଥାୟୀ ସଦସ୍ୟ ଯଥା ଆମେରିକା, ବ୍ରିଟେନ, ଚୀନ୍ ଓ ଫ୍ରାନ୍ସ ସମେତ କାନାଡା, ଜର୍ମାନୀ, ଇସ୍ରାଏଲ, ଇଟାଲୀ, ପୋଲାଣ୍ଡ ଓ ତୁର୍କୀ ନିକଟରୁ ୟୁକ୍ରେନ୍ ଏଭଳି ସୁରକ୍ଷା ଗ୍ୟାରେଣ୍ଟି ଲୋଡିଛି ବୋଲି ଆଲୋଚନାରେ ଭାଗ ନେଇଥିବା ୟୁକ୍ରେନ୍ ପ୍ରତିନିଧି ଡେଭିଡ୍ ଆରାଖାମିଆ କହିଛନ୍ତି ।

ଯଦି ଏଭଳି ସୁରକ୍ଷା ଗ୍ୟାରେଣ୍ଟି ଦିଆଯିବ, ତାହାହେଲେ ୟୁକ୍ରେନ୍ ନାଟୋ ସଦସ୍ୟତାରୁ ଓହରିଯାଇ ନିରପେକ୍ଷତା ଅବଲମ୍ବନ କରିବ ବୋଲି କହିଛି । ପୁନଶ୍ଚ ଏଭଳି ସୁବିଧା ମିଳିଲେ, ନିଜ ମାଟିରେ ସାମରିକ ଘାଟି ପ୍ରତିଷ୍ଠା କରିବାକୁ କୌଣସି ବିଦେଶୀ ରାଷ୍ଟ୍ରକୁ ସୁଯୋଗ ଦିଆଯିବ ନାହିଁ ବୋଲି ୟୁକ୍ରେନ୍ ପକ୍ଷରୁ କୁହାଯାଇଛି । ତେବେ ସୁରକ୍ଷା ଗ୍ୟାରେଣ୍ଟି ଦେଇଥିବା ରାଷ୍ଟ୍ର ସହ ନିଜ ମାଟିରେ ସମରାଭ୍ୟାସ କରିବ ବୋଲି ୟୁକ୍ରେନ୍ ଆଲୋଚନାରେ ସ୍ପଷ୍ଟ କରିଛି । ଅପରପକ୍ଷରେ ୟୁରୋପୀୟ ସଂଘର ସଦସ୍ୟପଦ ପାଇଁ ୟୁକ୍ରେନ୍ ଯେଉଁ ଉଦ୍ୟମ ଚଳାଇଛି, ତାହାକୁ ରୁଷ୍ ବିରୋଧ କରିବ ନାହିଁ ଗ୍ୟାରେଣ୍ଟି ଲୋଡିଛି ୟୁକ୍ରେନ୍ । ଶେଷରେ କ୍ରିମିଆ ଓ ଡୋନେସ୍କ୍‌, ଲୁହାନ୍‌ସ୍କ୍ ଭଳି ବିଚ୍ଛିନ୍ନାଞ୍ଚଳ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବନାହିଁ ବୋଲି ୟୁକ୍ରେନ୍ ରାଜି ହୋଇଛି ।

କିଏଭ୍ ଉପରେ ଆକ୍ରମଣକୁ କୋହଳ କରିବା ପଛରେ ରୁଷ୍‌ର ଏକାଧିକ କାରଣ ରହିଛି ବୋଲି ପାଶ୍ଚାତ୍ୟ କୂଟନୀତିଜ୍ଞମାନେ ଅନୁମାନ କରୁଛନ୍ତି । ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧରି ରୁଷ୍ ସେନା କିଏଭ୍ ଉପରେ ପ୍ରବଳ ବୋମା ଓ କ୍ଷେପଣାସ୍ତ୍ର ମାଡ କରିଚାଲିଥିଲେ ସୁଦ୍ଧା ଏହାକୁ କବ୍‌ଜା କରିପାରିନାହାନ୍ତି । ଏହା ରୁଷ୍ ସେନା ପାଇଁ ଅପମାନ ସଦୃଶ ହୋଇଛି । ତେଣୁ ଆକ୍ରମଣକୁ କୋହଳ କରିବା ବାହାନାରେ ରୁଷ୍ ନିଜର ଅକ୍ଷମତା ଘୋଡାଇବାକୁ ଉଦ୍ୟମ କରୁଛି ବୋଲି ସେମାନେ କହିଛନ୍ତି । କିଏଭ୍ ମଧ୍ୟରେ ରୁଷ୍‌ର ପ୍ରବେଶ ଉଦ୍ୟମକୁ ୟୁକ୍ରେନ୍ ସେନା ଉଚିତ ମୁକାବିଲା କରିପାରୁଛି । ଏହାବ୍ୟତୀତ ରୁଷ୍ କବ୍‌ଜାରୁ ୟୁକ୍ରେନ୍ ସେନା ଇତିମଧ୍ୟରେ ଇର୍ପିନ୍ ଭଳି କେତେକ ସହରକୁ ମୁକୁଳାଇବାରେ ସମର୍ଥ ହେବାରୁ ଏହା ରୁଷ୍‌ର ପରୋକ୍ଷ ପରାଜୟ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking