26.1 C
Bhubaneswar
Friday, March 29, 2024
Homeଅପରାଧ୧୦୦କୋଟି ଦେବାକୁ କହି ୨କୋଟି ଠକେଇ : ମୁମ୍ବାଇରୁ ଧରାହେଲେ ୨ ଅପରାଧୀ

୧୦୦କୋଟି ଦେବାକୁ କହି ୨କୋଟି ଠକେଇ : ମୁମ୍ବାଇରୁ ଧରାହେଲେ ୨ ଅପରାଧୀ

ଭୁବନେଶ୍ୱର: ମୁମ୍ବାଇର ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ରାକେଶ ପାଣ୍ଡେ ଏବଂ ସରମାନ ସିଂ ତୋମାର । ୨ କୋଟି ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ୮ଟି ଅଫୁଟାଗୁଳି, ନଗଦ ୫୦ହଜାର ଟଙ୍କା, କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ସମେତ ଜରୁରୀ କାଗଜପତ୍ର ଜବତ ହୋଇଛି । ଗତ ୨୬ ତାରିଖରେ ଅଭିଯୁକ୍ତଦ୍ୱୟଙ୍କୁ ମହାରାଷ୍ଟ୍ରର ମୁମ୍ବାଇ ସହରରୁ ଗିରଫ କରାଯାଇଥିଲା । ୨୭ ତାରିଖରେ ମୁମ୍ବାଇ ବାନ୍ଦ୍ରାର ମେଟ୍ରୋ ପଲିଟିଆନ୍ ମାଜିଷ୍ଟ୍ରେଟ୍‌, ହଲିଡେ କୋର୍ଟରେ ହାଜର କରାଯାଇଥିଲା ।

ଏହାପରେ ସେମାନଙ୍କୁ ଇଓଡବ୍ଲ୍ୟୁ ଟିମ୍ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଆଣି ମଙ୍ଗଳବାର କୋର୍ଟଚାଲାଣ କରିଛି । ସୂଚନା ଅନୁଯାୟୀ, ଅଶୋକ କୁମାର ସିଂ ନାମକ ଜଣେ ବ୍ୟକ୍ତିଙ୍କ ରିଅଲ୍ ଇଷ୍ଟେଟ୍ ବ୍ୟବସାୟ ରହିଛି । କରୋନା ମହାମାରୀ ପାଇଁ ତାଙ୍କ ବ୍ୟବସାୟରେ ବାଧା ସୃଷ୍ଟି ହୋଇଥିଲା । ଅର୍ଥ ଅଭାବରୁ ସେ ପୁଣି ବ୍ୟବସାୟକୁ ଚଳାଇ ପାରୁନଥିଲେ । ତେଣୁ ସେ ଋଣ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ କୌଣସି ବ୍ୟାଙ୍କରୁ ଋଣ ମଞ୍ଜୁର ହୋଇନଥିଲା । ତେଣୁ ସେ ଘରୋଇ ସଂସ୍ଥାରୁ ଋଣ ଆଣିବାକୁ ଚିନ୍ତା କରିଥିଲେ । ୨୦୨୧ ଜୁନ୍ ମାସରେ ଅଶୋକ ଅଭିଯୁକ୍ତ ରାକେଶ ପାଣ୍ଡେ ସହ ଫୋନ୍‌ରେ ଯୋଗାଯୋଗ କରିଥିଲେ ।

୧୦୦କୋଟିର ଋଣ କରାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଋଣର ପ୍ରୋସେସିଂ ବାବଦକୁ ୨କୋଟି ମାଗିଥିଲେ । ଅଶୋକ ମୁମ୍ବାଇ ଯାଇ ତାଙ୍କ ବ୍ୟବସାୟୀ ବନ୍ଧୁଙ୍କ ଠାରୁ ୨କୋଟି ଟଙ୍କା ଯୋଗାଡ଼ କରିଥିଲେ । ଏହାପରେ ସେହି ଟଙ୍କାକୁ ରାକେଶଙ୍କୁ ଦେଇଥିଲେ। କିଛିଦିନ ପରେ ଅଶୋକଙ୍କ ଇ-ମେଲ୍ ଆଇଡିକୁ ବିଭିନ୍ନ ନାମୀଦାମୀ ସଂସ୍ଥାର ମେଲ୍ ଆଇଡିରୁ ଋଣ ପ୍ରୋସେସିଂ ସମ୍ପର୍କିତ ମେସେଜ୍ ଆସିଥିଲା । ଏଥିସହ ବିଭିନ୍ନ ଚୁକ୍ତିନାମା କାଗଜପତ୍ର ମଧ୍ୟ ଆସିଥିଲା । ଏସବୁ ପରେ ବି ଋଣ ମଞ୍ଜୁର ହୋଇନଥିଲା । ଏହାପରେ ସେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ରାକେଶଙ୍କୁ ଯୋଗାଯୋଗ କରିଥିଲେ ବି ସମ୍ଭବ ହୋଇପାରିନଥିଲା। ତେଣୁ ସେ ବାଧ୍ୟହୋଇ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁରେ ଗତ ୩ ତାରିଖରେ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତିକରି ଇଓଡବ୍ଲ୍ୟୁ କେସ୍ ନଂ . ୩/୨୨ରେ ଅଭିଯୁକ୍ତ ରାକେଶ ଓ ସରମାନ୍ ସିଂ ତୋମାରଙ୍କ ସମେତ ୭ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା । ପରେ ଇଓଡବ୍ଲ୍ୟୁ ତଦନ୍ତ କରି ଜାଣିବାକୁ ପାଇଲା ଯେ ଅଭିଯୁକ୍ତ ରାକେଶ, ସରମାନ ଏବଂ ଆହୁରି ୭ରୁ ଊର୍ଦ୍ଧ୍ୱ ବ୍ୟକ୍ତି ମୁମ୍ବାଇରେ ଏକ ବେଆଇନ ହାୱାଲା ବ୍ୟବସାୟ ଚଳାଉଛନ୍ତି । ସେହିପରି ରାକେଶ ପାଣ୍ଡେର ନିଜ ଘର ଉତ୍ତରପ୍ରଦେଶର ହୋଇଥିବାବେଳେ ସେ ଜଣେ କୁଖ୍ୟାତ ଅପରାଧୀ । ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ତା’ ବିରୋଧରେ ଅନେକ ଅପରାଧୀକ ମାମଲା ରହିଛି । ରାକେଶ ନାଁରେ ଡକାୟତି, ଠକେଇ, ଜାଲିଆତି, ହତ୍ୟା ଉଦ୍ୟମ ନେଇ ମୁମ୍ବାଇ, ମହାରାଷ୍ଟ୍ର, ଉତ୍ତରପ୍ରଦେଶର ବିଭିନ୍ନ ପୁଲିସ ଷ୍ଟେସନରେ ୧୫ଟି ମାମଲା ପଞ୍ଜିକୃତ ରହିଛି । ଏଥିସହ ଅନ୍ୟାନ୍ୟ ମାମଲାରେ ତାଙ୍କର ସମ୍ପୃକ୍ତି ଯାଞ୍ଚ ଚାଲିଛି । ଏହି ଗ୍ୟାଙ୍ଗ୍‌ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଇଓଡବ୍ଲ୍ୟୁ ଚେଷ୍ଟା ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking