31.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଆମେରିକାର ମାସାଚ୍ୟୁଟସ ଠାରେ ନୀଳାଦ୍ରି ବିଜେ ଉତ୍ସବ ଆୟୋଜନ

ଆମେରିକାର ମାସାଚ୍ୟୁଟସ ଠାରେ ନୀଳାଦ୍ରି ବିଜେ ଉତ୍ସବ ଆୟୋଜନ

ବୋଷ୍ଟନ :  ଆମେରିକାର ମାସାଚ୍ୟୁଟସଠାରେ ଶ୍ରୀ ଜଗନ୍ନାଥଙ୍କର ତୃତୀୟ ବାର୍ଷିକ ରଥଯାତ୍ରା ଉତ୍ସବ,ବାହୁଡା଼ ଯାତ୍ରା, ସୁନାବେଶ ଏବଂ ନୀଳାଦ୍ରି ବିଜେ ଆଦି ପର୍ବ ମହାସମାରୋହରେ ପାଳନ କରାଯାଇଛି। ନିଉ ଇଂଲଣ୍ଡ ନିବାସୀ ଓଡ଼ିଆ ସମ୍ପ୍ରଦାୟ ଏବଂ ନିଉ ଇଂଲଣ୍ଡ ଶିରିଡ଼ି ସାଇ ପରିବାରର ମିଳିତ ସହଯୋଗରେ, ଏହି ମହୋତ୍ସବମାନ ଆୟୋଜନ କରାଯାଇଥିଲା। ଏହି ଉପଲକ୍ଷେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରୁଥିବା ଗ୍ରେଟର ବୋଷ୍ଟନର ଗ୍ରୋଟନସ୍ଥିତ ୯୯ନଂ ଶିରିଡ଼ି ୱେ ଠାରେ ଅବସ୍ଥିତ ନିଉ ଇଂଲଣ୍ଡ ଶିରିଡ଼ି ସାଇ ମନ୍ଦିରକୁ ଖୁବ ଭବ୍ୟ ଢଙ୍ଗରେ ସଜ୍ଜା ଯାଇଥିଲା। ରଥଯାତ୍ରା ଦିନ ସକାଳେ ଏଠାରେ ବିଗ୍ରହ ପୂଜା ଏବଂ ରଥ ପାଇଁ ହୋମ ଆଦି ନିତିକାନ୍ତି ବୈଦିକ ବିଧି ଅନୁଯାୟୀ ପୂଜାରୀ ସର୍ବଶ୍ରୀ ଗୁଣ୍ଟୁରୁବାଲା ଭେଙ୍କଟ ପବନ, ରାମ ଚରାୟିଲୁ ଓ ମନୋହର ଚନ୍ଦ୍ରଶେଖରଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିଲା। ମାସାଚ୍ୟୁଟସର ସ୍ଥାନୀୟ ଅଧିବାସୀଙ୍କ ସମେତ ପାର୍ଶ୍ଵବର୍ତ୍ତୀ ରୋଡସ ଆଇଲ୍ୟାଣ୍ଡ, କନେକ୍ଟିକଟ, ନିଉ ହାମ୍ପସାୟାର ଏବଂ ମେନ ଆଦି ରାଜ୍ୟରୁ ପ୍ରାୟ ୮୦୦ ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁ ସେମାନଙ୍କର ପରିବାରବର୍ଗ, ବନ୍ଧୁ ଓ ପରିଜନମାନଙ୍କ ସହିତ ଆସି ଏହି ପବିତ୍ର ପର୍ବରେ ଯୋଗ ଦେଇଥିଲେ। ଏଠାରେ ଅପରାହ୍ନରେ ଦିଅଁ ମାନଙ୍କୁ ଧାଡ଼ି ପହଣ୍ଡି କରାଯାଇ ସୁନ୍ଦର, ସୁଶୋଭିତ ଏବଂ ବିଭିନ୍ନ ରଙ୍ଗବେରଙ୍ଗର କପଡ଼ା ତଥା ପିପିଲି ଚାନ୍ଦୁଆରେ ସୁସଜ୍ଜିତ ୨୦ ଫୁଟ ଉଚ୍ଚତା ବିଶିଷ୍ଟ ରଥ ଉପରକୁ ନିଆଯାଇଥିଲା। ଉପସ୍ଥିତ ଭକ୍ତମାନେ ପାରମ୍ପରିକ ଛେରା ପହଁରା କାର୍ଯ୍ୟ କରିଥିଲେ। ଏହାପରେ ବହୁ ଆକାଂକ୍ଷିତ ଏବଂ ଦୀର୍ଘ ପ୍ରତିକ୍ଷିତ ରଥଟଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସଂଗଠକ ଓ ଦର୍ଶକମାନଙ୍କର ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ଵନି ଏବଂ ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହଗହ ନାଦ ତଥା ଭଜନ, କୀର୍ତ୍ତନ ଏବଂ ଓଡ଼ିଶୀ ନୃତ୍ୟର ମୃଦ୍ୟୁମନ୍ଦ ଝଙ୍କାର ମଧ୍ୟରେ ରଥଟିକୁ ମନ୍ଦିର ବେଢ଼ାର ଚାରିପଟେ ଦୁଇ କିଲୋମିଟର ପର୍ଯ୍ୟନ୍ତ ଟଣାଯାଇ ପୁଣି ସାଇ ମନ୍ଦିର ସାମ୍ନାକୁ ଫେରାଇ ଅଣାଯାଇଥିଲା। ଚଳିତବର୍ଷର ରଥଯାତ୍ରାକୁ କେନ୍ଦ୍ର କରି ଉପସ୍ଥିତ ଭକ୍ତ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ, ଅସୀମ ଉନ୍ମାଦନା ଓ ଅଫୁରନ୍ତ ଉଦ୍ଦୀପନା ପରିଲ୍ଲକ୍ଷିତ କରାଯାଇଥିଲା। ମାସାଚ୍ୟୁଟସର ରାଜରାସ୍ତାରେ ରାଜକୀୟ ଠାଣିରେ ରଥାରୂଢ଼ ଜଗତର ନାଥ ଜଗନ୍ନାଥଙ୍କର ଯାତ୍ରା ଏବଂ ଭକ୍ତ ଓ ଭଗବାନଙ୍କର ମହା ମିଳନର ଦୃଶ୍ୟ ବେଶ୍ ମର୍ମସ୍ପର୍ଶୀ ଓ ଅବିସ୍ମରଣୀୟ ଥିଲା। ରଥଟି ମନ୍ଦିର ପରିସରକୁ ଫେରିବା ପରେ ଠାକୁର ମାନଙ୍କୁ ରୋଷଣୀ କରି ଗର୍ଭଗୃହ ଭିତରକୁ ନିଆଯାଇ ରତ୍ନସିଂହାସନରେ ଆସୀନ କରାଯାଇଥିଲା। ସନ୍ଧ୍ୟାରେ ଦିଅଁ ମାନଙ୍କୁ ପୁରୀ ମନ୍ଦିର ଶୈଳୀରେ ସୁନାବେଶ କରାଯିବା ପରେ ଆଳତି ଅନୁଷ୍ଠିତ ହୋଇଥିଲା।

ଚଳିତବର୍ଷର ପାର୍ବଣରେ ମୁଖ୍ୟ ଆକର୍ଷଣ ଶ୍ରୀ ମନ୍ଦିରର ଆନନ୍ଦ ବଜାର ଭଳି ଏଠାରେ ପ୍ରସ୍ତୁତ ଛପନ ଭୋଗ ଥିଲା। ଏହି ସ୍ଵାଦିଷ୍ଟ ପ୍ରସାଦକୁ ଶ୍ରୀ ଜୀଉ ମାନଙ୍କୁ ଅର୍ପଣ କରାଯିବା ପରେ ଉପସ୍ଥିତ ଆଗନ୍ତୁକ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।
ରଥଯାତ୍ରା ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ମନଲୋଭା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ ଏବଂ ସୁମଧୁର ଭଜନ ଗାୟନ ସ୍ଥାନ ପାଇଥିଲା। ସମଗ୍ର ସମାରୋହକୁ ବିପୁଳ ଭାବରେ ସଫଳ କରାଇବାରେ ମନ୍ଦିରର ବୋର୍ଡ ସଦସ୍ୟ, ସଂସ୍ଥାପକ ସଦସ୍ୟ, ବର୍ତ୍ତମାନ ଓ ପୁର୍ବତନ ଟ୍ରଷ୍ଟି ବୃନ୍ଦ, ପରିଚାଳନା ବୋର୍ଡ ସଦସ୍ୟ ଏବଂ ଗ୍ରେଟର ବୋଷ୍ଟନସ୍ଥିତ ସମଗ୍ର ଓଡ଼ିଆ ସମ୍ପ୍ରଦାୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking