ନୟାଗଡ଼ : ସରକାର ଗରିବ ଲୋକମାନଙ୍କ ପାଇଁ ବହୁଯୋଜନା ପ୍ରଣୟନ କରିଛନ୍ତି । ଗରିବଙ୍କୁ ଆବାସ ଯୋଜନାରେ ଗୃହଦେବାର ବନ୍ଦୋବସ୍ତ କରିଛନ୍ତି । କିନ୍ତୁ ତଳସ୍ତରରେ ତାହା କେତେଦୂର ଫଳପ୍ରଦ ହେଉଛି ତାହାର ବାସ୍ତବ ଚିତ୍ର ଦେଖିବାକୁ କେହି ନାହାନ୍ତି । ଫଳରେ ବହୁ ଗରିବ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏମିତି ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଡାବରଧୁଆ ପାଟଣା ଗ୍ରାମପଞ୍ଚାୟତର ନୟାପାଟଣା ଗ୍ରାମରେ ।
ସୂଚନା ଅନୁଯାୟୀ, ଗ୍ରାମର ରାମଚନ୍ଦ୍ର ଜେନା(୬୭) ଫାନି ବାତ୍ୟାରେ ନିଜର ଚାଳଛପର ଘରଟିକୁ ହରାଇଥିଲେ । ସେହିଦିନ ଠାରୁ ସେ କେତେଥର ବୋଲଗଡ଼ ବ୍ଲକ୍ ପ୍ରଶାସନ, ତହସିଲ ପ୍ରଶାସନକୁ କାକୁତିମିନତି ହୋଇଛନ୍ତି । ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଆଶ୍ୱାସନା ଛଡ଼ା ତାଙ୍କୁ ଅନ୍ୟକିଛି ମିଳିନାହିଁ ବୋଲି ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ରାମଚନ୍ଦ୍ରଙ୍କ ସଂସାର କହିଲେ ଗୋଟିଏ ପୁଅ ଏବଂ ନାତି ନାତୁଣୀ । ପୁଅ ଦାଦନ ଶ୍ରମିକ ହୋଇ ବାହାର ରାଜ୍ୟକୁ ଖଟିବାକୁ ଯାଇଥିବା ବେଳେ ରୋଜଗାରର ମାଧ୍ୟମ କେବଳ ଭତ୍ତା ୫ଶହ ଟଙ୍କା । ଏଥି ସହିତ ଖାଉଟି କାର୍ଡରେ ମିଳୁଥିବା ରାସନ ସାମଗ୍ରୀ । ତାଙ୍କର ଏ ସବୁ ସମସ୍ୟା ନେଇ ବହୁ ଆଶାରେ ରାମଚନ୍ଦ୍ର ୱାର୍ଡମେମ୍ବର ରିନା ବେହେରାଙ୍କୁ ସାଙ୍ଗରେ ଧରି ପହଞ୍ଚିଥିଲେ ବିଡିଓଙ୍କ ପ୍ରକୋଷ୍ଠରେ । ମାତ୍ର ବିଡିଓ ଦରଖାସ୍ତଟି ଦେଖିବା ବଦଳରେ ପିଅନକୁ ଦେଇଦେବାକୁ କହିଥିଲେ । ଫଳରେ ନିରାଶରେ ଫେରିଥିଲେ ରାମଚନ୍ଦ୍ର । ଭଙ୍ଗା ଦଦରା, ପାଲଘେରା ଘରେ ବାକି ଜୀବନ କାଟିଦେବି ପଛକେ କିନ୍ତୁ ଆଉ କୌଣସି ନେତା କିମ୍ବା ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରିବାକୁ କେବେ ଆସିବିନି ବୋଲି କ୍ଷୋଭର ସହ କହିଛନ୍ତି ।