ନୂଆଦିଲ୍ଲୀ: ବିସିସିଆଇ ଖୁବଶୀଘ୍ର ଆସନ୍ତା ସିଜନ (୨୦୨୨-୨୩) ପାଇଁ କେନ୍ଦ୍ରୀୟ ଚୁକ୍ତିନାମା ତାଲିକା ପ୍ରକାଶ କରିବାକୁ ଯାଉଛି । ତେବେ ଏହି ପରିବର୍ତ୍ତନରେ ସବୁଠୁ ବଡ ଝଟକା ଲାଗିପାରେ ପୂର୍ବତନ ଟେଷ୍ଟ ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ଫାଷ୍ଟ ବୋଲର ଇଶାନ୍ତ ଶର୍ମାଙ୍କୁ । ଏହି ତାଲିକାରେ ୱିକେଟ କିପର ରିଦ୍ଧିମାନ ସାହାଙ୍କ ନାମ ମଧ୍ୟ ସାମିଲ ରହିଛି । ବିସିସିଆଇର ଏହି ତାଲିକାରୁ ବାହାରେ ରହିପାରେ ଏହି ଖେଳାଳିଙ୍କ ନାମ । ଏହି ତିନି ଖେଳାଳି କିଛି ସମୟ ପାଇଁ ଟିମ୍ ଇଣ୍ଡିଆର ଅଂଶ ହୋଇନାହାଁନ୍ତି ଏବଂ ବିସିସିଆଇ ବର୍ତ୍ତମାନ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରଖିବାକୁ ଚିନ୍ତା କରିପାରେ ।
ଏଥି ସହିତ ନୂତନ କେନ୍ଦ୍ରୀୟ ଚୁକ୍ତି ତାଲିକାରେ ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ୟ୍ୟକୁମାର ଯାଦବ, ଶୁଭମନ ଗିଲ ଏବଂ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପଦୋନ୍ନତି ଦେଇପାରେ ବୋଲି ଆଶା କରାଯାଉଛି । ଏହାର ଅର୍ଥ ଏହି ତିନି କ୍ରିକେଟରଙ୍କ ଗ୍ରେଡ୍ ପରିବର୍ତ୍ତନ କରାଯିବ ବିସିସିଆଇ । ବିସିସିଆଇ ପ୍ରତିବର୍ଷ କେନ୍ଦ୍ରୀୟ ଚୁକ୍ତିନାମା ତାଲିକା ଘୋଷଣା କରେ । ଖେଳାଳୀଙ୍କୁ ବିଭିନ୍ନ ଚାରୋଟି ଶ୍ରେଣୀରେ ରଖାଯାଏ ଏବଂ ତା’ପରେ ଗ୍ରେଡ୍ ଅନୁଯାୟୀ, ସେମାନଙ୍କ ବାର୍ଷିକ ଦରମା ଚୟନ କରାଯାଇଥାଏ । ତେବେ ଚଳିତ ଥର ଆସନ୍ତା ୨୧ ଡିସେମ୍ବରରେ ହେବାକୁ ଯାଉଛି କେନ୍ଦ୍ରୀୟ ଚୁକ୍ତି ତାଲିକା ସମ୍ବନ୍ଧୀୟ ଆପେକ୍ସ କାଉନସିଲ ବୈଠକ । ତେବେ ଏହି ବୈଠକରେ ଏହି ଖେଳାଳିମାନଙ୍କ ଭବିଷ୍ୟତ ଉପରେ ଏକ ବଡ ନିଷ୍ପତ୍ତି ନିଆଯିବ ବୋଲି ଆଲୋଚନା ଜୋର ଧରିଛି ।
ସାହାଙ୍କୁ ଚଳିତ ବର୍ଷ ଆରମ୍ଭରେ କୁହାଯାଇଥିଲା ଯେ ଭବିଷ୍ୟତରେ ତାଙ୍କୁ ଆଉ ଟେଷ୍ଟ ଦଳର ୱିକେଟ୍ କିପର ଭାବରେ ଦେଖାଯିବ ନାହିଁ । ଏଥି ସହିତ ରାହାଣେ ଏବଂ ଇଶାନ୍ତ ମଧ୍ୟ ଦୀର୍ଘ ସମୟ ଧରି ଦଳରୁ ବାହାରେ ରହିଛନ୍ତି । ଗତ ଜାନୁଆରୀ ୨୦୨୨ରେ ରାହାଣେ ଦକ୍ଷିଣ ଆଫ୍ରିକା ଗସ୍ତରେ ଶେଷ ଥର ପାଇଁ ଟେଷ୍ଟ ଖେଳିଥିଲେ । ସେହିପରି ଇଶାନ୍ତ ମଧ୍ୟ ଗତବର୍ଷ ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଟେଷ୍ଟ ଖେଳିଥିଲେ । ତେଣୁ ଏହି ସିଜନରୁ ଏହି ତିନି ଜଣ ଖେଳାଳିଙ୍କ କଣ୍ଣ୍ରାକ୍ଟରେ ପୂର୍ଣ୍ଣଚ୍ଛେଦ ପକାଇପାରେ ଭାରତୀୟ କ୍ରିକେଟ ବୋର୍ଡ ।