33.1 C
Bhubaneswar
Saturday, April 27, 2024
Homeଓଡିଶାଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା:  ସ୍ନାନବେଦୀରେ ଠାକୁରଙ୍କୁ ଆଢ଼ୁଆଳ କରିବେ ନାହିଁ ସେବକ

ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା:  ସ୍ନାନବେଦୀରେ ଠାକୁରଙ୍କୁ ଆଢ଼ୁଆଳ କରିବେ ନାହିଁ ସେବକ

ପୁରୀ : ଆସନ୍ତା ୨୪ତାରିଖ ଗୁରୁବାର ଜ୍ୟେଷ୍ଠ ପୂର୍ଣ୍ଣମୀ ଅବସରରେ ଅନୁଷ୍ଠିତ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ସ୍ନାନଯାତ୍ରା । କୋଭିଡ଼ ସଂକ୍ରମଣ ଯୋଗୁଁ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ବିନା ଭକ୍ତରେ ସ୍ନାନଯାତ୍ରା ହେବ । ସ୍ନାନ ବିଧି ଓ ଗଜାନନ ବେଶ ସମୟରେ ଭକ୍ତମାନେ ଉପସ୍ଥିତ ରହିପାରିବେ ନାହିଁ । କେବଳ ସେବାୟତଙ୍କ ଦ୍ୱାରା ସମ୍ପନ୍ନ ହେବ ଶ୍ରୀଜିଉମାନଙ୍କ ସ୍ନାନବିଧି । ଏଥିପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି । ବୁଧବାର ଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି । ମୁଖ୍ୟ ପ୍ରଶାସକ ଡ଼ଃ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦେବସ୍ନାନ ପୂର୍ଣ୍ଣମୀ ନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଗତବର୍ଷ ଦେବସ୍ନାନ ପୂର୍ଣ୍ଣମୀ ଓ ରଥଯାତ୍ରା ସୁରୁଖୁରୁରେ ଠିକ ସମୟରେ ସମ୍ପନ୍ନ ହୋଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦଇତାପତି ନିଯୋଗକୁ ଧନ୍ୟବାଦ ଦିଆଯାଇଥିଲା ।

କୋଭିଡ଼ ଗାଇଡ଼ଲାଇନ ପରିପାଳନ ପୂର୍ବକ ସ୍ନାନଯାତ୍ରା ସମାପନ କରାଯିବା ନେଇ ବୈଠକରେ ସମସ୍ତେ ସହମତ ହୋଇଥିଲେ । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପ୍ରଶାସକ ପ୍ରକାଶ କରିଥିଲେ ଯେ ସେବାୟତମାନେ ସୁରୁଖୁରୁରେ ସଫଳତାର ସହ ସ୍ନାନଯାତ୍ରା ସମ୍ପାଦନରେ ଅଧିକ ସହଯୋଗ କରିବେ ବୋଲି ପ୍ରଶାସନ ଆଶା କରୁଛି । କୋଭିଡ଼ କଟକଣା ମଧ୍ୟରେ ସ୍ନାନଯାତ୍ରା ଓ ରଥଯାତ୍ରା ହେବାକୁ ଯାଉଛି । ସୁରୁଖୁରୁରେ ସ୍ନାନଯାତ୍ରା ସମାପନରେ ସମସ୍ତଙ୍କର ଗୁରୁ ଦାୟିତ୍ୱ ରହିଛି । ଗତବର୍ଷ ସ୍ନାନ ପୂର୍ଣ୍ଣମୀରେ ରାତି ପ୍ରାୟ ୨ଟା ବେଳେ ପହଣ୍ଡି ହୋଇଥିଲା । ତେଣୁ ସ୍ନାନବିଧି ଶେଷ ହୋଇ ଠାକୁରମାନେ ଶୀଘ୍ର ପହଣ୍ଡି ହୋଇଥିଲେ । ତେଣୁ ଗତବର୍ଷ ଶ୍ରୀଜିଉମାନଙ୍କ ପହୁଡ଼ ସମ୍ଭବ ହୋଇପାରିଥିଲା । ସେଥିପ୍ରତି ଦୃଷ୍ଟି ରଖି ଚଳିତବର୍ଷ ସ୍ନାନ ପୂର୍ଣ୍ଣର୍ମୀର ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଉଛି ।

ଗତବର୍ଷ ଭଳି ନୀତି ଶେଷ ହୋଇ ଯେପରି ମହାପ୍ରଭୁଙ୍କ ପହୁଡ଼ ହୋଇପାରିବ ସେଥିପାଇଁ ସମସ୍ତେ ଚେଷ୍ଟା କରିବେ । ଦୀର୍ଘ ବର୍ଷ ଧରି ଅଣସର ନୀତି ହୋଇ ପାରିନଥିଲା କିନ୍ତୁ ଗତବର୍ଷ ରାତି ୮ଟା ସୁଦ୍ଧା ବାହୁଡ଼ା ପହଣ୍ଡି ହୋଇଥିବାରୁ ଅଣସର ନୀତି ଓ ପହୁଡ଼ ସମ୍ଭବ ହୋଇପାରିଥିଲା । ତେଣୁ ଏ ବର୍ଷ ମଧ୍ୟ ଅନୁରୂପ ଭାବେ ନୀତି ସମ୍ପାଦନ ପାଇଁ ବୈଠକରେ ସମସ୍ତେ ସହମତ ହୋଇଛନ୍ତି ।
ଦଇତାପତି ନିଯୋଗ ସଭାପତି ରବି ଦାସମହାପାତ୍ର ବୈଠକ ପରେ ପ୍ରକାଶ କରିଛନ୍ତି ଯେ ସମସ୍ତ ଦଇତାପତି ଓ ଶ୍ରୀମନ୍ଦିର ପ୍ରଶାସନର ସହଯୋଗରେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପନ୍ନ ହେବ । ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ଗତବର୍ଷ ଭଳି ରାତି ୧ଟାରେ ଠାକୁରମାନେ ପହଣ୍ଡି ହେବେ । ସେହିଦିନ ମହାପ୍ରଭୁଙ୍କ ଅଣସର ନୀତି ପାଳନ କରାଯିବାକୁ ବ୍ୟବସ୍ଥା ହୋଇଛି ।

ପ୍ରଶାସନ ଯଥାଶୀଖ୍ର କରୋନା ଟିକା ଦେଲେ ସମସ୍ତେ ସୁସ୍ଥ ରହି କାମ କରିବେ । ବିନା ଭକ୍ତରେ ରଥଯାତ୍ରା ହେବ । ଦଇତାପତିମାନେ ଭକ୍ତଙ୍କ ଠାରୁ ଯାତ୍ରା ଅବସରରେ ଦାନ ଦକ୍ଷିଣା ପାଇଥାନ୍ତି । ସେ ବିଷୟରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି । ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର ପ୍ରକାଶ କରିଛନ୍ତି ଯେ ସ୍ନାନ ପୂର୍ଣ୍ଣମୀ ପୂର୍ବ ରାତି ୧ଟାରେ ସ୍ନାନ ବେଦୀକୁ ପହଣ୍ଡି କରାଯିବ ।  ଠାକୁରମାନେ ରାତି ୩ଟାରୁ ୩ଟା ୩୦ମିନିଟ୍ ମଧ୍ୟରେ ସ୍ନାନବେଦୀରେ ବିଜେ କରିବେ । ଟେଲିଭିଜନ ମାଧ୍ୟମରେ ସାରା ବିଶ୍ୱର ଭକ୍ତ ସ୍ନାନବେଦୀରେ ମହାପ୍ରଭୁଙ୍କ ଦର୍ଶନ କରିବେ । ତେଣୁ ଶ୍ରୀଜଗନ୍ନାଥଙ୍କ  ସମ୍ମୁଖରେ କେହି ନ ରହିବା ପାଇଁ ସମସ୍ତଙ୍କୁ ସେ ଅନୁରୋଧ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking