32.1 C
Bhubaneswar
Sunday, April 28, 2024
Homeଓଡିଶାଫଟୋ ବିବାଦ: ଦଳୀୟ ମତ ସହ ସହମତି ନୁହଁନ୍ତି ସୌମ୍ୟ

ଫଟୋ ବିବାଦ: ଦଳୀୟ ମତ ସହ ସହମତି ନୁହଁନ୍ତି ସୌମ୍ୟ

ଭୁବନେଶ୍ୱର: ଟିକାକରଣ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲଗାଯିବା ଘଟଣାକୁ ନେଇ ବେଶ କିଛି ଦିନ ହେଲା ବିଜେପି-ବିଜେଡି ଭିତରେ ତୁ ତୁ ମେ ମେ ଚାଲିଛି । ଉଭୟ ଦଳ ପରସ୍ପରକୁ କାଦୁଅ ଫିଙ୍ଗିବାରେ ଲାଗିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ମଧ୍ୟ ଉଭୟ ପକ୍ଷ ଚିରୁଥିବା ଦେଖାଯାଇଛି । ଏହି ବିବାଦ ଭିତରେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିବୃତ୍ତି ନୂଆ କେଁ ସୃଷ୍ଟି କରିଛି । ସୌମ୍ୟଙ୍କ ମତକୁ ଏବେ ରାଜନୈତିକ ମହଲରେ ବେଶ ଗୁରୁତ୍ୱ ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇବା ଘଟଣାରେ ବିଜେଡି ଯେଉଁ ଯୁକ୍ତି ଦର୍ଶାଇ ଉଚିତ ପଦକ୍ଷପ ବୋଲି କହୁଛି, ସେ କ୍ଷେତ୍ରରେ ସୌମ୍ୟଙ୍କ ମତକୁ ଅନୁଧ୍ୟାନ କଲେ ସେ ଏଥିସହ ସହମତ ନୁହଁନ୍ତି ତାହା ସ୍ପଷ୍ଟ ହେଉଛି । ଉଭୟ ପକ୍ଷର କଥାକୁ ସେ ଗ୍ରହଣ ନକରି ଭିନ୍ନ ପ୍ରସ୍ତାବ ଦେଇଛନ୍ତି । ଏଥିରୁ ସେ ପ୍ରମାଣ କରି ଦେଉଛନ୍ତି ଦଳ ଟିକା କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଯେଉଁ ଫଟୋ ଲଗାଉଛି, ତାହା ଠିକ୍ ନୁହେଁ । ବିଜେପି  ଯେଉଁ ସମାଲୋଚନା କରୁଛି ତାହା ମଧ୍ୟ ଭୁଲ ନୁହେଁ ବୋଲି ପରୋକ୍ଷରେ ସେ ଦର୍ଶାଉଛନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ ତାଙ୍କ ମତକୁ ନେଇ ଏହି ପ୍ରତିକ୍ରିୟା ଦେଉଛନ୍ତି ।
ଓଡିଶାରେ ଟିକାକରଣ କାର୍ଯ୍ୟ ଏବେ ଜୋରଦାର ଚାଲିଛି । ପ୍ରଥମେ କେନ୍ଦ୍ର ସରକାର ୧୮ରୁ ୪୪ ବର୍ଷ ଯାଏଁ ବୟସ୍କଙ୍କ ପାଇଁ ଟିକା ମାଗଣାରେ ଦେବାକୁ ମନା କରିଥିଲେ । ଏ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାର ଏହି ବୟସର ନାଗରିକଙ୍କ ପାଇଁ ମାଗଣା ଟିକା ଦିଆଯିବ ବୋଲି ଘୋଷଣା କଲେ । ଟିକା କିଣିବା ନେଇ ଟେଣ୍ଡର ମଧ୍ୟ କଲେ । ହେଲେ ଟିକା  ଯୋଗାଣରେ ଉତ୍ପାଦନକାରୀଙ୍କ ପାଇଁ ସହମତ ହେଲାନି । ଫଳରେ କେନ୍ଦ୍ର ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରିବା ପାଇଁ ନବୀନ ଚିଠି ଲେଖି କେନ୍ଦ୍ରକୁ ଅନୁରୋଧ କଲେ । ଏହାପରେ ପ୍ରଧାନମନ୍ତ୍ରୀ ଏହି ବର୍ଗର ନାଗରିକମାନଙ୍କୁ ବି ଅନ୍ୟାନ୍ୟ ନାଗରିକଙ୍କ ଭଳି ମାଗଣା ଟିକା ଦିଆଯିବ ବୋଲି ଘୋଷଣା କଲେ । ଏହାପରେ ଏବେ ରାଜ୍ୟକୁ ଟିକା ଆସିଛି । ଟିକାଦାନ କାର୍ଯ୍ୟ ମିଶନ ମୋଡରେ କରାଯାଉଛି । ସବୁ ଟିକା କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲଗାଯାଉଛି । ଏଥିସହ ପୁସିଂ କାର୍ଡ କରାଯାଇ ଟିକା ଆସୁଥିବା ଲୋକଙ୍କୁ ଦିଆଯାଉଛି ।
ଏହି ଘଟଣାକୁ ବିଜେପି ନେତା ଓ କର୍ମୀମାନେ ବିରୋଧ କରୁଛନ୍ତି । ସେମାନେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଲଗାଇବାକୁ ଦାବି କରୁଛନ୍ତି । ଏଥିନେଇ ବିଭିନ୍ନ ଟିକା କେନ୍ଦ୍ରକୁ ବିଜେପି କର୍ମୀମାନେ ଯାଇ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ଚିରିଛନ୍ତି । ଏପରିକି କେତେକ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ସେମାନେ ଲଗାଇବାକୁ ଉଦ୍ୟମ କରିଛନ୍ତି । ତାକୁ ମଧ୍ୟ ବିଜେଡି କର୍ମୀମାନେ ଚିରିଛନ୍ତି । ଏହି ଘଟଣାକୁ ନେଇ ଉଭୟ ଦଳର ନେତା ପରସ୍ପରକୁ ସମାଲୋଚନା କରିଛନ୍ତି । ଟ୍ୱିଟ କରି ପରସ୍ପରକୁ ଆକ୍ଷେପ କରିଛନ୍ତି । ଏହି ଘଟଣା ସଂପୂର୍ଣ୍ଣ ରାଜନୈତଚିକ ମୋଡ ନେଇଛି । ଫଟୋ ଲଗାଇବାକୁ ନେଇ ଉଭୟ ପକ୍ଷ ତକାତକି ହୋଇଛନ୍ତି ।
ଏଥିରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଯେଉଁ ମତ ରଖିଛନ୍ତି, ତାହା ସବୁଠାରୁ ଅଧିକ ଗୁରୁତ୍ୱ ବହନ କରୁଛି । ଫଟୋକୁ ନେଇ ଉଭୟ ପକ୍ଷ ରାଜନୀତି କରୁଥିବା ସେ ପରୋକ୍ଷରେ ସୂଚାଇବାକୁ ପଛାଇନାହାନ୍ତି । ତାଙ୍କ ମତରେ କୌଣସି ଫଟୋ ରହିବା ଉଚିତ ନୁହେଁ । ବିବାଦକୁ ଏଡାଇବା ପାଇଁ ଶ୍ରୀଜଗନ୍ନାଥଙ୍କ ଫଟୋ ରଖିବା ପାଇଁ ସେ ମତ ଦେଇଛନ୍ତି । ସୌମରଂଜନ କହିଛନ୍ତି, ‘ପ୍ରଚାର ସର୍ବସ୍ୱ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତେ ଏଥିରେ ମାତିଛନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ପ୍ରଥମେ ଆମେ  ଯେଉଁମାନେ ରାଜନୀତି କରିବାକୁ ଚାହୁଁଛୁ ଏଭଳି ପ୍ରସଙ୍ଗକୁ ଏଭଳି ପଛକୁ ଠେଲିଦେବା ଦରକାର ଯାହାକୁ ନେଇ କେହି ରାଜନୀତି କରିନପାରିବେ । ଆଗେ ଟିକା ଦିଅ ପରେ ଫଟୋ ଲଗାଇବ । ଜଗନ୍ନାଥଙ୍କ ଫଟୋ ଲଗାଇ ସମସ୍ତେ ଟିକା ନେଲେ ଓଡିଶାରେ ଅନ୍ତତ ଆମେ ଭିନ୍ନ ପରମ୍ପରା ସୃଷ୍ଟି କରିପାରିବା ବୋଲି ମୁଁ ଭାବୁଛି’ । ସୌମ୍ୟଙ୍କ ଏହି କଥାକୁ ଅନୁସରଣ କଲେ ସ୍ପଷ୍ଟ ବୁଝାପଡୁଛି , ତାଙ୍କ ଦଳ ବି ଫଟୋ ରାଜନୀତି କରୁଛି, ଯାହା କରିବା ଉଚିତ ନୁହେଁ । ଟିକା ଅପେକ୍ଷା ରାଜନୀତି ଅଧିକ ହେଉଛି ଓ ଫଟୋକୁ ଗୁରୁତ୍ୱ ଦିଆଯାଉଛି । ସୌମ୍ୟଙ୍କ ଏହି ମତ ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ଦଳ ନେତାଙ୍କ ସହ ସେ ସହମତ ନୁହଁନ୍ତି ଏହା ସ୍ପଷ୍ଟ ପ୍ରମାଣ ।
ଏହି ଫଟୋ ପ୍ରସଙ୍ଗରେ ବିଜେପିର ଭୁବନେଶ୍ୱର ସାସଂଦ ଅପରାଜିତା ଷଡଙ୍ଗୀ ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ଫଟୋ ଲଗାଯିବା ଘଟଣା ନେଇ ସମାଲୋଚନା କରିଛନ୍ତି । ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାନଯିବା ରାଜ୍ୟ ସରକାରଙ୍କ ଅସୁରକ୍ଷିତ ଭାବନା ଓ ସଂକୀର୍ଣ୍ଣ ମନୋଭାବ ର ପରିଚୟ ବୋଲି କହିଛନ୍ତି । ଓଡିଶାକୁ ଟିକା ପ୍ରଦାନ କରିବାରେ ପ୍ରଧାନମନ୍ତ୍ରୀ ଟିକାକରଣର ବ୍ୟବସ୍ଥା କଲେ । ସୌଜନତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବା ଉଚିତ୍ । ଏହାର ଜବାବରେ ପାଲଟା ଟ୍ୱିଟ କରି ବିଜେଡି ସାସଂଦ ସସ୍ମିତ ପାତ୍ର କହିଛନ୍ତି, ଭ୍ୟାକ୍ସିନ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହୁଛି । ଅନ୍ୟ ଦଳମାନେ ଏହାକୁ ନେଇ ପ୍ରସଙ୍ଗ କରୁଛନ୍ତି । ହେଲେ ବିଜେଡି ଏହାକୁ ନେଇ କୌଣସି ପ୍ରସଙ୍ଗ କି ରାଜନୀତି କରିନାହିଁ । ଟିକା ଦେବା କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ । ଏହାକୁ ନେଇ ରାଜନିତୀ କରିବା ଲଜ୍ଜାଜନକ ବୋଲି ସେ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ଏଥିରୁ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଯିବା ଘଟଣାରେ ବିଜେଡିର ମନୋଭାବ ଅତ୍ୟନ୍ତ ସ୍ପଷ୍ଟ । ଏଣୁ ସୌମ୍ୟରଂଜନ ଯାହା ମତ ରଖିଛନ୍ତି ଦଳୀୟ ନେତାଙ୍କ ମତଠାରୁ ଭିନ୍ନ ସଂକେତ ଦେଉଛି ବୋଲି ଅନେକ ମତ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking