33.1 C
Bhubaneswar
Friday, April 26, 2024
Homeଓଡିଶାକ୍ୱାରେଣ୍ଟାଇନ ସେଣ୍ଟରରେ ରଖିଲେନି ସରପଞ୍ଚ : ଗୋ-ଶାଳାରେ ରାତି ବିତାଇଲେ ପ୍ରବାସୀ ଶ୍ରମିକ

କ୍ୱାରେଣ୍ଟାଇନ ସେଣ୍ଟରରେ ରଖିଲେନି ସରପଞ୍ଚ : ଗୋ-ଶାଳାରେ ରାତି ବିତାଇଲେ ପ୍ରବାସୀ ଶ୍ରମିକ

କେନ୍ଦ୍ରାପଡ଼ା : କରୋନା ଲକଡାଉନ୍ ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଶା ଫେରୁଛନ୍ତି । ଫେରୁଥିବା ଏହି ପ୍ରବାସୀମାନଙ୍କୁ ବିଭିନ୍ନ ପଞ୍ଚାୟତରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଉଛି । କିନ୍ତୁ ଗତ ବୁଧବାର ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଅରଗଳ ପଞ୍ଚାୟତର ଜଣେ ଯୁବକ ସାଇକେଲ୍‌ରେ ଚେନ୍ନାଇରୁ ଗ୍ରାମକୁ ଫେରିଥିବାବେଳେ ସ୍ଥାନୀୟ ସରପଞ୍ଚ ତାଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ନରଖି ଗ୍ରାମରେ ଥିବା ଏକ ଅବ୍ୟବହୃତ ଗୃହ(ଗୋ-ଶାଳା)ରେ ରଖିଥିଲେ । ଯାହାକୁ ନେଇ ଗତରାତିରୁ ଗ୍ରାମରେ ଅସନ୍ତୋଷ ଦେଖାଦେଇଥିଲା । ଏ ସମ୍ପର୍କରେ ଖବର ପାଇ ଗୁରୁବାର ସକାଳେ ଆଳି ବିଡିଓ ସମ୍ପୃକ୍ତ ଯୁବକଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖିଥିବା ଜଣାଯାଇଛି ।
ସୂଚନା ଅନୁଯାୟୀ, ଚେନ୍ନାଇରେ ଶ୍ରମିକ ଭାବେ କାମ କରୁଥିବା ଆଳି ବ୍ଲକ ଅରଗଳ ଗ୍ରାମର ସୁବାଶ ଚନ୍ଦ୍ର ମଲିକଙ୍କ ପୁଅ ଶୁଭକାନ୍ତ ମଲିକ(୩୨) ଗତ ଏପ୍ରିଲ ୧୫ ତାରିଖରେ ଚେନ୍ନାରୁ ଘର ଅଭିମୁଖେ ସାଇକେଲ ନେଇ ବାହାରିଥିଲେ । ସେଠାରୁ ଆସିବା ବେଳେ ବିଜୟୱାଡ଼ା ଠାରେ ପୁଲିସ ତାଙ୍କୁ ଅଟକ ରଖିଥିଲା । ସେଠାରୁ ସେ ୨୨ ଦିନ ରହିବା ପରେ ଗତ ୯ ତାରିଖରେ ବାହାରି ବୁଧବାର ରାତି ୧୧ ଟା ସମୟରେ ତାଙ୍କ ଗ୍ରାମ ଅରଗଳରେ ପହଞ୍ଚିଥିଲେ । ଗ୍ରାମରେ ପହଞ୍ଚି ସରପଞ୍ଚଙ୍କୁ ଅବଗତ କରାଇବା ପରେ ସରପଞ୍ଚ ତାଙ୍କୁ କ୍ୱାରେଣ୍ଟାଇନ ସେଣ୍ଟର ବଦଳରେ ଗୋ-ଶାଳାରେ ନେଇ ରଖାଇଥିଲେ । ସରପଞ୍ଚ ତାଙ୍କୁ କାହିଁକି ଆସିଲୁ, କିଏ ପରମିଶନ ଦେଲା ଆସିବାକୁ, ବ୍ଲଡ ଟେଷ୍ଟ କରିଛୁ କି ନାହିଁ ଏମିତି ଅନେକ ପ୍ରଶ୍ନ ପଚାରିବା ପରେ ତାଙ୍କୁ ଗୋ-ଶାଳାରେ ନେଇ ରଖିଥିବା ଶୁଭକାନ୍ତ କହିଛନ୍ତି । ଗୁରୁବାର ସକାଳେ ଆଳି ବିଡିଓ ଦ୍ୱିବେନ୍ଦୁ ଦାସ ତାଙ୍କୁ ଆଣି କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଇଥିଲେ ।
ବିଡିଓ ଶ୍ରୀ ଦାସଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଥିଲେ ଯେ ତାଙ୍କୁ ରାତିରେ କେହି ଏ ବିଷୟରେ ଜଣାଇନଥିଲେ । ସକାଳେ ଖବର ପାଇବା ପରେ ସଙ୍ଗେସଙ୍ଗେ ତାଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ଏ ସମ୍ପର୍କରେ ଅରଗଳ ସରପଞ୍ଚ ଆନନ୍ଦ ଚନ୍ଦ୍ର ସ୍ୱାଇଁଙ୍କୁ ପଚାରିବାରୁ ସେ କହିଥିଲେ ଯେ, ପଞ୍ଚାୟତକୁ ଆସିଥିବା ଶୁଭକାନ୍ତଙ୍କ ନିକଟରେ କୌଣସି କାଗଜପତ୍ର ନଥିବାରୁ ତାଙ୍କୁ ପଞ୍ଚାୟତ କ୍ୱାରେଣ୍ଟାଇନ ସେଣ୍ଟର ବଦଳରେ ଗୋ-ଶଳାରେ ରଖାଇବାର ବ୍ୟବସ୍ଥା କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking