29.1 C
Bhubaneswar
Monday, June 16, 2025
Homeଦେଶ ବିଦେଶପାକିସ୍ତାନ ମୁହଁରେ ଲାଜ ନାହିଁ

ପାକିସ୍ତାନ ମୁହଁରେ ଲାଜ ନାହିଁ

ଇସଲାମାବାଦ୍‌: ଭାରତୀୟ ସେନାର ‘ଅପରେସନ୍ ସିନ୍ଦୂର’କୁ ନେଇ ପାକିସ୍ତାନର କେଉଁ ପ୍ରକାର ସ୍ଥିତି ହୋଇଥିଲା ସେସମ୍ପର୍କରେ ସମଗ୍ର ବିଶ୍ୱ ବେଶ୍ ଭଲଭାବେ ଅବଗତ । ପାକିସ୍ତାନରେ ଭାରତୀୟ ସେନା ରଚିଥିବା ଧ୍ୱଂସର ତାଣ୍ଡବର ବଳିଷ୍ଠ ତଥା ଯଥେଷ୍ଟ ପ୍ରମାଣ ଭାରତ ବିଶ୍ୱ ସମ୍ମୁଖରେ ରଖିସାରିଛି। ଏପରିକି ଭାରତୀୟ ସେନାର ଆକ୍ରମଣରେ ପାକିସ୍ତାନର ଅନେକ ସାମରିକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ଏବଂ ଅନ୍ୟ ନେତା ମନ୍ତ୍ରୀମାନେ ସ୍ୱୀକାର କରିସାରିଛନ୍ତି । ଏହାସତ୍ତ୍ୱେ ଲଜ୍ଜ୍‌ାବୋଧ ନଥିବା ପରି ଆଚରଣ ପ୍ରଦର୍ଶନ କରିଚାଲିଛି ପାକିସ୍ତାନ ।

ରିପୋର୍ଟ ଅନୁସାରେ ପାକିସ୍ତାନ ସରକାର ନିଜ ସେନାବାହିନୀ ମୁଖ୍ୟ ଜେନେରାଲ ଅସୀମ ମୁନୀରଙ୍କୁ ପଦୋନ୍ନତି ଦେଇଛି । ଅସୀମ ମୁନୀରଙ୍କୁ ଏବେ ଫିଲ୍ଡ ମାର୍ଶଲ ଭାବେ ପ୍ରମୋଟ୍ କରିଛନ୍ତି ପାକିସ୍ତାନ ସରକାର । ପାକିସ୍ତାନ କ୍ୟାବିନେଟ ମଙ୍ଗଳବାର ଏହି ପଦୋନ୍ନତିକୁ ମଞ୍ଜୁରୀ ଦେଇଛି । ପାକିସ୍ତାନ ସରକାରଙ୍କ ଏପ୍ରକାର ନିଷ୍ପତ୍ତିକୁ ନେଇ ଚାରିଆଡୁ ସମାଲୋଚନା କରାଯାଉଛି । ବାହାର ଦେଶ କଥା ଦୂରେ ଥାଉ ପାକିସ୍ତାନର ନିଜ ନାଗରିକମାନେ ମଧ୍ୟ ଅସୀମ ମୁନୀରଙ୍କୁ ଫିଲ୍ଡ ମାର୍ଶଲ ଭାବେ ପଦୋନ୍ନତି ଦିଆଯିବାକୁ ନେଇ ପରିହାସ କରୁଛନ୍ତି । ଭାରତ ଆକ୍ରମଣ କରିବା ପୂର୍ବରୁ ହିଁ ଭୟରେ ମୁନୀର ନିଜ ପରିବାରକୁ ବ୍ରିଟେନ୍ ପଠାଇଦେଇଥିଲେ ଏବଂ ନିଜେ ବଙ୍କର ଭିତରେ ଯାଇ ଲୁଚିଯାଇଥିଲେ । ଏଭଳି ଏକ କାପୁରୁଷ ସେନା ମୁଖ୍ୟକୁ ଏବେ ଫିଲ୍ଡ ମାର୍ଶଲ କରାଯିବାକୁ ନେଇ ସମସ୍ତେ ମଜାକ୍ ଉଡାଉଛନ୍ତି । ସିଧା ଅର୍ଥରେ କହିବାକୁ ଗଲେ ଭାରତ ସହ ଲଢ଼େଇରେ ମିଳିଥିବା ପରାଜୟକୁ ଶେହବାଜ୍ ଶରିଫ୍‌ଙ୍କ ସରକାର ଏବଂ ପାକିସ୍ତାନ ସେନା ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ପାକିସ୍ତାନ ଭାରତ ଉପରେ କରିଥିବା ପାଲଟା ଆକ୍ରମଣକୁ ନେଇ ଉତ୍ସବ ପାଳନ କରୁଥିବା ବେଳେ ପାକିସ୍ତାନ ସେନା ଓ ନେତାମାନେ ବଡ଼ ବଡ଼ ଭାଷଣବାଜି କରିବାରେ ଲାଗିପଡିଛନ୍ତି ।

ପାକିସ୍ତାନ ସେନାରେ ଫିଲ୍ଡ ମାର୍ଶାଲ ପଦବୀ କେବଳ ଏକ ବଡ଼ ସମ୍ମାନ ନୁହେଁ ବରଂ ରଣନୈତିକ ନିଷ୍ପତ୍ତି ନେବାରେ ସର୍ବୋଚ୍ଚ ଅଧିକାର ମଧ୍ୟ ପ୍ରଦାନ କରେ । ଏହାର ଅର୍ଥ ହେଉଛି ମୁନୀରଙ୍କର ଏବେ ସେନାରେ ଅପାର କ୍ଷମତା ରହିବ । ଏହି ପଦବୀ ମୁନୀରଙ୍କୁ କେବଳ ସେନା ଉପରେ ନିୟନ୍ତ୍ରଣ ଦେବ ନାହିଁ ବରଂ ରାଜନୈତିକ-ସାମରିକ ମାମଲାରେ ଏକ ନିର୍ଣ୍ଣାୟକ ଭୂମିକା ମଧ୍ୟ ଦେବ । ଫିଲ୍ଡ ମାର୍ଶାଲ ହେବା ପରେ, ଅସୀମ ମୁନିରଙ୍କୁ ଏବେ ପାକିସ୍ତାନର ସେନା ଏବଂ ଗୁଇନ୍ଦା ସଂସ୍ଥା ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ପାଇଁ ମୁକ୍ତ ହାତ ମିଳିପାରେ । ଏହା ଭାରତ ବିରୁଦ୍ଧରେ ହାଇବ୍ରିଡ୍ ଯୁଦ୍ଧ ଆତଙ୍କବାଦ, ସାଇବର ଆକ୍ରମଣ ଏବଂ ପ୍ରକ୍ସି ଯୁଦ୍ଧ ଭଳି କାର୍ଯ୍ୟକଳାପକୁ ଆହୁରି ତୀବ୍ର କରିପାରିବ ବୋଲି କୁହାଯାଉଛି ।

ଏହି ପରିପ୍ରେକ୍ଷୀରେ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ନିକଟରେ ଜଣେ ପାକିସ୍ତାନୀ ସେନା ଅଧିକାରୀ ସ୍ୱୀକାର କରିଥିଲେ ଯେ, ପହଲଗାମ ଆକ୍ରମଣ ଅସୀମ ମୁନୀରଙ୍କ ଦ୍ୱାରା ଯୋଜନା କରାଯାଇଥିଲା । ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ସହ ସିଧାସଳଖ ପାକିସ୍ତାନୀ ସେନା ଏବଂ ଆଇଏସଆଇ ସହିତ ସମ୍ପର୍କ ଥିବା ଜଣାପଡ଼ିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ମୁନୀର ଏହି ଷଡ଼ଯନ୍ତ୍ର ରଚିଥିଲେ । ପୂର୍ବରୁ ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ ଜେନେରାଲ ଆୟୁବ ଖାନ ଫିଲ୍ଡ ମାର୍ଶଲ ପଦ ପର୍ଯ୍ୟନ୍ତ ପହଞ୍ଚିଥିଲେ । ଶେହବାଜ ଶରିଫ ଓ ତାଙ୍କ ସରକାର ଅସୀମ ମୁନୀରଙ୍କୁ ଭାରତ ବିରୁଦ୍ଧରେ ଲଞ୍ଚ୍ କରାଯାଇଥିବା ଅପରେସନ ବୁନିୟାଲ-ଅଲ୍‌-ମରସୁସର ଉତ୍ତମ ରଣନୀତି ପାଇଁ ଏହି ପଦବୀ ପ୍ରଦାନ କରିଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking