ଭୁବନେଶ୍ୱର: ବାତ୍ୟା ମୁକାବିଲା ଓ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ସ୍ଥାନାନ୍ତରଣ କରିଛି ରାଜ୍ୟ ପ୍ରଶାସନ । ବର୍ତ୍ତମାନ ସୁଦ୍ଧା ମୋଟ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି । ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ହଜାର ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି । ବାତ୍ୟା ମୁକାବିଲା ଓ ସ୍ଥାନାନ୍ତରଣ ନେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଥିବା ବେଳେ ସରକାରଙ୍କ ପକ୍ଷରୁ ସମଗ୍ର ପରିସ୍ଥିତି ଉପରେ ନଜର ରଖାଯାଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ ଅଧିକାରୀମାନେ ମଧ୍ୟ ସଲୋକଙ୍କ ସହ ରହିଛନ୍ତି । ବାତ୍ୟା ସମୟରେ ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦେଇଛି ପ୍ରଶାସନ । ମୋଟ ୪ ହଜାର ୪୭୦ ଜଣ ଗର୍ଭବତୀ ମହିଳାଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୧୪୫୦ ଜଣ ମହିଳା ସନ୍ତାନ ପ୍ରସବ କରିଛନ୍ତି । ଉଭୟ ମା’ ଓ ନବଜାତ ଶିଶୁ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଅନ୍ୟପଟେ ବାତ୍ୟା ପ୍ରଭାବରେ ଗଞ୍ଜାମ ଜିଲ୍ଲାର ଦୁଇଟି ବ୍ଲକରେ ଅଧିକ ବର୍ଷା ହୋଇଥିବା ନେଇ ସୂଚନା ଦେଇଛନ୍ତି ଅନୁ ଗର୍ଗ । ଆଗକୁ ଯେ କୌଣସି ପରିସ୍ଥିତି ଉପୁଜିଲେ ସେ ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।










