ଇସଲାମାବାଦ : ପାକିସ୍ତାନର ରହିମ୍ ୟାର୍ ଖାନ୍ ସହର ଠାରୁ ପାଖାପାଖି ୬୫ କିଲୋମିଟର ଦୂରରେ ଥିବା ମାଚକେ ନିକଟବର୍ତ୍ତି ସିନ୍ଧୁନଦୀରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ସିନ୍ଧୁ ନଦୀରେ ବୁଡ଼ିଯିବା ଦ୍ବାରା ୫୦ ଜଣରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏବେ ବି କିଛି ଲୋକ ନିଖୋଜ ଥିବା ବେଳେ, ସେମାନଙ୍କର ବଞ୍ଚିବାର ଆଶା ବହୁତ୍ କମ୍ ବୋଲି କୁହାଯାଉଛି। ରିପୋର୍ଟ ଅନୁସାରେ, ଜିଲ୍ଲା ପ୍ରଶାସନର ମୁଖପାତ୍ର କାଶିଫ୍ ନିଶାର ଗିଲ୍ କହିଛନ୍ତି, ଏହି ଘଟଣାକୁ ଯେହେତୁ ୪୮ ଘଣ୍ଟାରୁ ଅଧିକ ସମୟ ହୋଇଗଲାଣି, ତେବେ କୌଣସି ବି ନିଖୋଜ ବ୍ୟକ୍ତି ଜୀବିତ ଥିବା ଆଶା କରାଯାଉନାହିଁ। ଡଙ୍ଗାରେ ଅଧିକ ପୂରୁଷ ଲୋକ ଥିବାରୁ, କିଛି ଯୁବକ ପହଁରିକି କୂଳକୁ ଆସିବାରେ ସକ୍ଷମ ହୋଇଥିଲେ। ଡନ ରିପୋର୍ଟ ମୁତାବକ ଘଟଣାଟି ସୋମବାର ଘଟିଥିବା ବେଳେ ଦୁଇଟି ଡଙ୍ଗା ଏକକାଳୀନ ସିନ୍ଧୁ ନଦୀ ପାର ହୋଇ ଫେରୁଥିଲେ। ଡଙ୍ଗାରେ ଆବଶ୍ୟକତା ଠାରୁ ଅଧିକ ଲୋକ ଥିବାରୁ ଡଙ୍ଗାଟି ବୁଡ଼ି ଯାଇଥିଲା ଫଳରେ ଅଧିକ ମହିଳା ଓ ଶିଶୁ ବୁଡ଼ିଯାଇଥିଲେ। ପ୍ରାରମ୍ଭିକ ପ୍ରୟାସରେ କେବଳ ପୁରୁଷଙ୍କୁ ଉଦ୍ଧାର କରାଯାଇପାରିଥିଲା।