27.1 C
Bhubaneswar
Saturday, May 2, 2026
Homeଦେଶ ବିଦେଶ୮ ତାରିଖର ସେଇ କାଳ ରାତି.. ପୀଡ଼ିତାଙ୍କୁ ଦୀର୍ଘ ସମୟ ଧରି ପିଛା କରିଥିଲା ସଞ୍ଜୟ

୮ ତାରିଖର ସେଇ କାଳ ରାତି.. ପୀଡ଼ିତାଙ୍କୁ ଦୀର୍ଘ ସମୟ ଧରି ପିଛା କରିଥିଲା ସଞ୍ଜୟ

କୋଲକାତା: ଗତ ୮ ତାରିଖର ସେଇ କାଳ ରାତିରେ ଆରଜି କର ମେଡିକାଲ କଲେଜ୍ ଏବଂ ହସ୍ପିଟାଲ ପରିସରରେ ଘଟିଯାଇଥିବା ପାଶବିକ ଅଘଟଣ ସମ୍ପର୍କରେ ସିସିଟିଭି ଫୁଟେଜ୍ ସବୁକିଛି ରହସ୍ୟକୁ ଖୋଲିଦେଇଛି । ହସ୍ପିଟାଲରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ସିବିଆଇ ଯାଞ୍ଚ କରିବା ପରେ ଅଭିଯୁକ୍ତ ସଞ୍ଜୟ ରୟ ଏସବୁ କିଛି ଆକସ୍ମିକ ଭାବେ ନୁହେଁ, ବରଂ ସୁଚିନ୍ତିତ ଯୋଜନାବଦ୍ଧ ଭାବେ କରିଥିବା ଜଣାପଡିଛି ।

ଗୋଟିଏ ପଟେ ସିବିଆଇର ମନୋବିଶେଷ୍‌ଜ୍ଞ ଟିମ୍ ସଞ୍ଜୟକୁ ପଶୁ ପ୍ରବୃତ୍ତି ଥିବା ଜଣେ ଯୌନ ବିକୃତ ମଣିଷ ଭାବେ ଅଭିହିତ କରିସାରିଥିବା ବେଳେ ଅନ୍ୟପଟେ ଆଜି ତା’ ସମ୍ପର୍କରେ ସିସିଟିଭି ଫୁଟେଜ୍‌ରୁ ନୂଆ ସୂଚନା ସାମ୍ନାକୁ ଆସିଛି । ଅଗଷ୍ଟ ୮ ତାରିଖ ରାତି ପ୍ରାୟ ୧୧ଟା ବେଳେ ସଞ୍ଜୟ ରୟ ହସ୍ପିଟାଲରେ ଇତସ୍ତତ ଭାବେ ବୁଲୁଥିବାର ଫୁଟେଜ୍‌ରେ ଦେଖିବାକୁ ମିଳିଛି । ଏହି ସମୟରେ ସେ ବାରମ୍ବାର ହୃଦ୍‌ରୋଗ ବିଭାଗ (ୱାର୍ଡ) ନିକଟକୁ ଆସୁଥିବା ଏବଂ ସେଠାରେ ଡ୍ୟୁଟି କରୁଥିବା ୩୧ ବର୍ଷୀୟା ଟ୍ରେନି ମହିଳା ଡାକ୍ତରାଣୀଙ୍କୁ ବୁଲିବୁଲି ଚାହୁଁଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି । ଏତଦ୍‌ବ୍ୟତୀତ ସେହି ରାତିରେ ମହିଳା ଡାକ୍ତରାଣୀଙ୍କ ସହ ଉକ୍ତ ୱାର୍ଡରେ ଆଉ ୪ଜଣ ଜୁନିୟର ଡାକ୍ତର ମଧ୍ୟ ଡ୍ୟୁଟିରେ ରହିବେ ବୋଲି ମଧ୍ୟ ସଞ୍ଜୟ କୌଶଳକ୍ରମେ ଜାଣିନେଇଥିଲା । ଏହାପରେ ସେଠାରୁ ସେ ଚାଲିଯାଇଥିଲା ।

କିନ୍ତୁ ବିଳମ୍ବିତ ରାତିରେ ସେ ପୁଣିଥରେ ହସ୍ପିଟାଲକୁ ଫେରିଥିଲା ଏବଂ ହସ୍ପିଟାଲର ପଛପଟ ଅଞ୍ଚଳରେ ପ୍ରଚୁର ମଦ୍ୟପାନ କରିବା ସହ ନିଜ ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖିଥିଲା । ପରେ ବିଳମ୍ବିତ ରାତି ପ୍ରାୟ ୧.୩୦ରୁ ୨ଟା ମଧ୍ୟରେ ସେ ହସ୍ପିଟାଲରେ ପ୍ରବେଶ କରିଥିଲା । ପୁନର୍ବାର ସେ ହୃଦ୍‌ରୋଗ ବିଭାଗ (ୱାର୍ଡ) ନିକଟକୁ ଯାଇଥିଲା ଏବଂ ସେଠାରେ ଥିବା କନ୍‌ଫରେନ୍ସ ହଲ୍‌ରେ ଟ୍ରେନି ଡାକ୍ତରାଣୀଜଣକ ଏକାକୀ ବିଶ୍ରାମ ନେଉଥିବା ଦେଖି ଭିତରକୁ ପଶିଯାଇଥିଲା । ପ୍ରାୟ ଭୋର ଭୋର ସମୟରେ ଅଭିଯୁକ୍ତ ସଞ୍ଜୟ ସେହି କନ୍‌ଫରେନ୍ସ ହଲ୍‌ରୁ ବାହାରି ପଳାଇଥିଲା । ତେବେ ଏସମସ୍ତ ଘଟଣା ଏବେ ସିସିଟିଭିରୁ ସ୍ପଷ୍ଟ ହୋଇଛି । ସକାଳ ସମୟରେ ଉକ୍ତ କନ୍‌ଫରେନ୍ସ ହଲ୍‌ରୁ ମହିଳା ଡାକ୍ତରାଣୀଙ୍କ କ୍ଷତାକ୍ତ ମୃତଦେହ ମିଳିବା ପରେ ସଞ୍ଜୟକୁ ଗିରଫ କରାଯାଇଥିଲା । ପରେ ଜେରା ସମୟରେ ସଞ୍ଜୟ ଏସବୁକୁ କଥାକୁ ମଧ୍ୟ ସ୍ୱୀକାର କରିସାରିଛି ।

୧୪ ଦିନିଆ ଜେଲ୍ ହାଜତ୍‌କୁ ଗଲା ଅଭିଯୁକ୍ତ ସଞ୍ଜୟ
କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ ୩୧ ବର୍ଷୀୟ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରିଥିବା ଅଭିଯୁକ୍ତ ସଞ୍ଜୟ ରୟକୁ ଆଜି କୋର୍ଟ ୧୪ ଦିନିଆ ଜେଲ୍ ହାଜତ୍‌କୁ ପଠାଇଦେଇଛନ୍ତି । ସେ ଗିରଫ ହେବା ପରଠାରୁ ସିବିଆଇ ହେପାଜତ୍‌ରେ ରହିଆସିଥିବା ବେଳେ ଆଜି ତା’ର ସିବିଆଇ ରିମାଣ୍ଡ ଶେଷ ହୋଇଛି । ଫଳରେ ସିବିଆଇ ତା’କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସିଆଲଦା ସିଭିଲ୍ ଓ କ୍ରିମିନାଲ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଏହି ମାମଲାର ଶୁଣାଣି ପୂର୍ବକ ଅଭିଯୁକ୍ତ ସଞ୍ଜୟକୁ ୧୪ ଦିନ ପାଇଁ ଆଜି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking