29.1 C
Bhubaneswar
Monday, May 6, 2024
Homeଓଡିଶାଓଜିଏମ୍‌ଆର୍ ନିୟମର ଖୋଲା ଉଲ୍ଲଙ୍ଘନ : ୨୦୦୩ରୁ ଦିଆଯାଇନାହିଁ ୨୭,୦୨୯ କୋଟି ଟଙ୍କାର ‘ୟୁସି’

ଓଜିଏମ୍‌ଆର୍ ନିୟମର ଖୋଲା ଉଲ୍ଲଙ୍ଘନ : ୨୦୦୩ରୁ ଦିଆଯାଇନାହିଁ ୨୭,୦୨୯ କୋଟି ଟଙ୍କାର ‘ୟୁସି’

ଭୁବନେଶ୍ୱର: ଅନୁଦାନ ମଞ୍ଜୁର ହେବାର ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଅନୁଦାନ ଖର୍ଚ୍ଚ ହେବା କଥା । ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ପ୍ରମାଣପତ୍ର ବା ୟୁସି ଦେବା ପାଇଁ ମଧ୍ୟ ମହଲେଖାକାରଙ୍କୁ ଇତ୍ତରଦାୟୀ ରହିବେ । ଓଡ଼ିଶା ସାଧାରଣ ଆର୍ôଥକ ନିୟମ (ଓଜିଏମ୍‌ଆର୍‌)ର ନିୟମ-୧୭୩ରେ ତାହା ସ୍ପଷ୍ଟ ଉଲ୍ଲେଖ ରହିଛି । ହେଲେ ନିୟମକୁ ଖୋଲା ଉଲ୍ଲ୍‌ଙ୍ଘନ କରାଯାଇଛି । ୨୦୦୩ରୁ ବର୍ତ୍ତମାନ ସୁଦ୍ଧା ୨୭,୦୨୯ କୋଟି ଟଙ୍କାର ବିନିଯୋଗ ପତ୍ର ଦିଆଯାଇନାହିଁ ।

ରିପୋର୍ଟ ଅନୁସାରେ ୨୦୦୩-୪ ଆର୍ଥିକ ବର୍ଷ ପର ଠାରୁ ମାର୍ଚ୍ଚ ୨୦୨୧ ସୁଦ୍ଧା ରାଜ୍ୟର ୩୬ଟି ବିଭାଗର ୪୩,୪୧୨.୬୭ କୋଟି ଟଙ୍କାର ୟୁସି ବାକି ରହିଥିଲା । ୟୁସି ଦାଖଲ କରି ନଥିବା ତାଲିକାରେ ସର୍ବାଗ୍ରେ ରହିଛନ୍ତି ପାଞ୍ଚଟି ମୁଖ୍ୟ ଖିଲାପକାରୀ ବିଭାଗ । ପଞ୍ଚାୟତିରାଜ୍ ଓ ପାନୀୟ ଜଳ ବିଭାଗ ୧୭,୫୪୬.୬୯ କୋଟି, ଗୃହ ଓ ନଗର ଉନ୍ନୟନ ବିଭାଗ ୮,୫୬୧.୯୦କୋଟି, ଯୋଜନା ଓ ସମନ୍ୱୟ ବିଭାଗ ୩,୩୩୩.୯୯ କୋଟି, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ୩,୦୭୩.୬୦କୋଟି ଏବଂ ସାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୨,୬୮୬.୯୦କୋଟିର ୟୁସି ଦେଇନଥିଲେ । ମୋଟ୍ ହିସାବକୁ ଦେଖିଲେ ୩୫,୨୦୨.୯୦ କୋଟି ଟଙ୍କାର ୟୁସି ଦିଆଯାଇ ନଥିଲା ।
ମହଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ(ସିଏଜି) ଏନେଇ ଚିନ୍ତା ପ୍ରକଟ କରିଛନ୍ତି । ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ସାମଗ୍ରିକ ଭାବେ ଦେଖିଲେ ବାକି ୧୭ଟି ବିଭାଗ ୧୦ ବର୍ଷରୁ ଅଧିକ ସମୟ ଧରି ବିନିଯୋଗପତ୍ର ଦେଇ ନାହାନ୍ତି । ମାର୍ଚ୍ଚ ୨୦୨୧ ସୁଦ୍ଧା ଏହି ୧୦ଟି ପ୍ରମୁଖ ବିଭାଗ ନାମରେ ୧,୪୦୬.୭୬ କୋଟି ଟଙ୍କାର ୟୁସି ବାକି ରହିଛି । ଆନୁପାତିକ ହାରରେ ୯୯.୪୬% ବିନିଯୋଗ ପ୍ରମାଣ ପତ୍ର ବକେୟା ରହିଛି । ଅଡିଟ୍ ବେଳେ ଜଣାପଡ଼ିଲା, କେବଳ ୨୦୨୦-୨୧ ବର୍ଷ ମଧ୍ୟରେ ସରକାର ୨୭,୨୬୯.୩୬ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଥିଲେ । ଏହି ରାଶି ମଧ୍ୟରୁ ୩୦ ଜୁନ୍ ୨୦୨୧ ସୁଦ୍ଧା ୨୦,୬୦୭.୮୫ କୋଟି ଟଙ୍କା ବ୍ୟୟ ହୋଇଥିଲେ ହେଁ ବିନିଯୋଗ ପତ୍ର ଦାଖଲ କରାଯାଇନାହିଁ । ଏହାର ଆନୁପାତିକ ହାର ୭୫.୫୭% । ଉକ୍ତ ୨୦,୬୦୭.୮୫ କୋଟି ଟଙ୍କା ପ୍ରକୃତରେ କେଉଁ ଉଦ୍ଦେଶ୍ୟରେ ଅନୁମୋଦିତ ହୋଇ ଖର୍ଚ୍ଚ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ତନାଘନା କରିବା ପରେ ୨୦୦୩ରୁ ୨୦୨୦-୨୧ ମଧ୍ୟରେ ୪୩,୪୧୨.୬୭ କୋଟି ଟଙ୍କା ମଧ୍ୟରୁ ମାତ୍ର ୧୬,୩୮୩.୬୭ କୋଟି ଟଙ୍କାର ୟୁସି ପ୍ରଦାନ କରାଯାଇଛି । ଏବେବି ୨୭,୦୨୯ କୋଟି ଟଙ୍କାର ୟୁସି ପ୍ରଦାନ କରାଯାଇନାହିଁ ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, କାହିଁକି ୟୁସି ସଠିକ୍ ସମୟରେ ଦାଖଲ ହେଉନି ଏହା ଉପରେ ରାଜ୍ୟ ସରକାରଙ୍କ ମତ ଲୋଡ଼ାଯାଇଥିଲା । ହାଲକା ଭାବେ ରାଜ୍ୟ ସରକାର ଗତ ଡିସେମ୍ବର ୨୦୨୧ରେ କହିଥିଲେ, ବିନିଯୋଗ ପତ୍ର ବା ୟୁସି ଦାଖଲ କରିବା ଏକ ନିରନ୍ତର ପ୍ରକ୍ରିୟା । ଅର୍ଥ ବିନିଯୋଗ ସମୟରେ ଆବଶ୍ୟକ ଔପଚାରିକତା ପାଳନ କରିବାବେଳେ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକ କିଛି ସମୟ ନିଅନ୍ତି ଏବଂ ତା’ପରେ ୟୁସି ଦାଖଲ କରନ୍ତି । ଫଳରେ ସେମାନଙ୍କୁ ପାଣ୍ଠି ପ୍ରଦାନର ପରବର୍ତ୍ତୀ କିସ୍ତି ପାଇବାକୁ ସୁବିଧା ହୁଏ । ଅର୍ଥ ସଚିବଙ୍କ ଦ୍ୱାରା ବିଭାଗୱାରୀ ୟୁସିର ବିଳମ୍ବର ଅନୁଧ୍ୟାନ କରାଯାଉଛି । ଅନୁଦାନ ମଞ୍ଜୁର ନିର୍ଦ୍ଦେଶଗୁଡ଼ିକ ଆଇଏଫ୍‌ଏମ୍‌ଏସ୍ ୟୁସି ପ୍ରଦାନ ମଡ୍ୟୁଲକୁ ଉନ୍ନିତ କରାଯାଇଛି । ଏହାକୁ ବ୍ୟବହାର କରି ବିଭିନ୍ନ ଅନୁଦାନପ୍ରାପ୍ତ ସଂସ୍ଥାରୁ ସଂଗୃହୀତ ୟୁସିକୁ ଡିଡିଓମାନେ ଦାଖଲ କରିପାରିବାର ବ୍ୟବସ୍ଥା ହୋଇଛି ବୋଲି ରାଜ୍ୟ ସରକାର ପ୍ରକାଶ କରିଥିଲେ ।

ହେଲେ ଏଥିରେ ସିଏଜି ଆଦୌ ସନ୍ତୁଷ୍ଟ ହୋଇନାହାନ୍ତି । ବିଭାଗୀୟ ଅଧିକାରୀମାନେ ମୁଖ୍ୟତଃ ମହାଲେଖାକାରଙ୍କୁ ୟୁସି ଦେବା ନିୟମକୁ ଗୁରୁତ୍ୱ ନ ଦେଇ ବିଳମ୍ବ କରିଛନ୍ତି । ୟୁସି ଦାଖଲ ନ କରିବାର ଅର୍ଥ ହେଉଛି ଯେ କର୍ତ୍ତୃପକ୍ଷ ବର୍ଷ ବର୍ଷ ଧରି କିପରି ପାଣ୍ଠି ବିନିଯୋଗ କରିଛନ୍ତି ସେ ବିଷୟରେ ବ୍ୟାଖ୍ୟା କରିନାହାନ୍ତି । ଏହି ପାଣ୍ଠି ସଠିକ୍ ଉଦ୍ଦେଶ୍ୟରେ ବ୍ୟୟ ହେଉଛି ବୋଲି କୌଣସି ନିଶ୍ଚିତତା ନାହିଁ । ଏହାର ଅପବ୍ୟବହାର ହୋଇଥିବାର ଆଶଙ୍କା ରହିଛି । ଅଧିକ ପୁଞ୍ଜି ଖର୍ଚ୍ଚ ପାଇଁ ଯଦି ୟୁସି ଅଟକି ରହିଛି ତାହାହେଲେ ଗୁରୁତ୍ୱପୂର୍ଣ୍ଣ । ତେଣୁ ଧାର୍ଯ୍ୟ ସମୟରେ ୟୁସି ଦାଖଲ କରି ନଥିବା କାରଣରୁ ସଂପୃକ୍ତ ଅଧିକାରୀଙ୍କୁ ଉତ୍ତରଦାୟୀ କରିବା ଉଚିତ୍ ବୋଲି ସିଏଜି ତାଙ୍କ ରିପୋର୍ଟରେ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking