29.1 C
Bhubaneswar
Wednesday, April 29, 2026
Homeଓଡିଶାକର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ: ବିଶ୍ଵ ଦେଖିଲା ସମୃଦ୍ଧ ଓ ଆତ୍ମନିର୍ଭର ଭାରତ ପାଇଁ...

କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ: ବିଶ୍ଵ ଦେଖିଲା ସମୃଦ୍ଧ ଓ ଆତ୍ମନିର୍ଭର ଭାରତ ପାଇଁ ଓଡ଼ିଶାର ପ୍ରତିବଦ୍ଧତା

ନୂଆଦିଲ୍ଲୀ: ୭୭ତମ ସାଧାରଣତନ୍ତ୍ର ଦିବସ ୨୦୨୬ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଭାରତର ସମ୍ମାନନୀୟା ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇଛି ଓଡ଼ିଶାର ପ୍ରଜ୍ଞାପନ ମେଢ । ସ୍ଵଦେଶୀ ସାମଗ୍ରୀ ଉତ୍ପାଦନ ମାଧ୍ୟମରେ ସାଂପ୍ରତିକ ଭାରତକୁ ସମୃଦ୍ଧ ଓ ଆତ୍ମନିର୍ଭର ଭାରତରେ ପରିଣତ କରିବାଦୃଷ୍ଟିକୋଣକୁ ନେଇ ଚଳିତ ବର୍ଷ ପାଇଁ ପ୍ରଜ୍ଞାପନ ମେଢର ବିଷୟବସ୍ତୁ ‘ସମୃଦ୍ଧିର ମନ୍ତ୍ର, ଆତ୍ମନିର୍ଭର ଭାରତ’ଆଧାରରେ ଓଡ଼ିଶାର ପ୍ରଜ୍ଞାପନ ମେଢରେ କୃଷିରୁ ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ଆତ୍ମନିର୍ଭର ଭାରତ ଗଠନରେ ଓଡ଼ିଶାର ଅବଦାନଦେଖିବାକୁ ମିଳିଥିଲା।

ପ୍ରଜ୍ଞାପନ ମେଢରେ, ଓଡ଼ିଶାର କୃଷି ଓ ସାଂସ୍କୃତିକ ସମୃଦ୍ଧିରୁ ଆଧୁନିକ ଶିଳ୍ପ, ଦକ୍ଷତା ବିକାଶ ଏବଂ ନବସୃଜନ ଓ ପ୍ରଯୁକ୍ତିର ଏକ ସମ୍ମିଳିତ ଦୃଶ୍ୟ ଉପସ୍ଥାପନକରାଯାଇଥିଲା। ଜାତୀୟ ଦୃଷ୍ଟିକୋଣ ସହିତ ସମନ୍ଵୟ ରଖିଓଡ଼ିଶା ତାହାର ପ୍ରାକୃତିକ ସମ୍ପଦ, ସାଂସ୍କୃତିକ ଐତିହ୍ୟ, ମାନବ ସମ୍ବଳ ଏବଂ ପ୍ରଯୁକ୍ତିବିଦ୍ୟାର ସଫଳଉପଯୋଗରେଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ନିଜର ପ୍ରତିବଦ୍ଧତାକୁ ବିଶ୍ଵ ସମ୍ମୁଖରେ ପ୍ରଦର୍ଶିତ କରିଛି ।କୃଷି, ଶିଳ୍ପ,ଅର୍ଥନୀତି, ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ ସମାଧାନ ଆଦି ବିଭିନ୍ନ ପ୍ରତୀକାତ୍ମକ ଉପାଦାନଗୁଡ଼ିକୁ ଏକତ୍ରୀତ କରି,ପ୍ରସ୍ତୁତ ରାଜ୍ୟର ସାମଗ୍ରିକ ବିକାଶ ମଡେଲ ଏବଂ ଭାରତର ସାମାଜିକ ଓ ଅର୍ଥନୈତିକ ପ୍ରଗତିରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରତିଫଳିତ କରିବାକୁ ଯାଇ, ପ୍ରଜ୍ଞାପନ ମେଢର ବିଭିନ୍ନ ଅଂଶରେ କୋରାପୁଟ କଫିରୁ ସିଲିକନ ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ନିରନ୍ତର ଯାତ୍ରାକୁ ଉପସ୍ଥାପନ କରାଯାଇଥିଲା।

ପ୍ରଜ୍ଞାପନ ମେଢର ଅଗ୍ରଭାଗକୁ ଶ୍ରୀ ଜଗନ୍ନାଥ ରଥର ଭୂମି ଭାବେ ନିର୍ମାଣ କରାଯାଇ, ଏହାର ଉପର ଭାଗରେଓଡ଼ିଶାରେ ମହିଳା ସଶକ୍ତିକରଣର ବାସ୍ତବ ଚିତ୍ରକୁ ଘୂର୍ଣ୍ଣାୟମାନ ପ୍ରତିକୃତି ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ପଟ୍ଟଚିତ୍ର କଳାତ୍ମକ ଶୈଳୀରେ ପ୍ରସ୍ତୁତ ନାରୀ ମୂର୍ତ୍ତୀର ଗୋଟିଏ ହସ୍ତରେ ପାରମ୍ପରିକ ଲୋକନୃତ୍ୟ ଯଷ୍ଟି ଓ ଅନ୍ୟହାତରେ ଉତ୍କଳୀୟ ସଂସ୍କୃତିର ଅନ୍ୟତମ ପରିଚୟ ପୋଥି ଶୋଭା ପାଇଥିବା ବେଳେ, ଆଧୁନିକ ମହିଳା ଭାବେ ଚିତ୍ରିତ ପ୍ରତିକୃତିରେ ଲିଙ୍ଗଗତ ସମାନତା ଏବଂ ଶିଳ୍ପ ଠାରୁ ପ୍ରଯୁକ୍ତି ବିଦ୍ୟା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ମହିଳାମାନଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଦର୍ଶନ କରାଯାଇଥିଲା ।

ମଧ୍ୟଭାଗରେ ସ୍ଥାୟୀ ଜୀବିକା ଓ ରାଜ୍ୟର କୃଷି ଉତ୍କୃଷ୍ଟତାର ପ୍ରତିନିଧିସ୍ଵରୂପ କୋରାପୁଟ କଫି ଏବଂ ଏହାର ଅପରପାର୍ଶ୍ଵରେ ଉନ୍ନତ ପ୍ରଯୁକ୍ତିବିଦ୍ୟା ଆଧାରିତଜଟିଳ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ଦିଗରେ ଓଡ଼ିଶାର ପ୍ରଗତିକୁ ସିଲିକନ୍ ସେମିକଣ୍ଡକ୍ଟର ଚିପ୍ମାଧ୍ୟମରେ ପ୍ରତିଫଳିତ କରାଯାଇଥିଲା ।ଦୁଗ୍ଧ ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭଶୀଳ କରିବା ଦିଗରେ ପ୍ରଣୀତ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’କୁ ଉପସ୍ଥାପନ କରିବାକୁ ଯାଇ ଡୋକ୍ରା ହସ୍ତଶିଳ୍ପ କଳା ଆଧାରିତ ଶଣ୍ଢ ସ୍ଥାନିତ ହୋଇଥିଲା । ଓଡ଼ିଶାର ଅନନ୍ୟ ପ୍ରସ୍ତରଶିଳ୍ପ କଳାର ନିଦର୍ଶନ ସ୍ଵରୂପ ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତୀ ଏବଂ ପଶ୍ଚାତ୍ ଭାଗରେ ଓଡ଼ିଶାରକାଳଜୟୀ ସ୍ଥାପତ୍ୟ ଓ କଳାତ୍ମକ ଐତିହ୍ୟକୁ ନେଇ ବିଶ୍ଵର ସପ୍ତାଶ୍ଚାର୍ଯ୍ୟ ମଧ୍ୟରୁ ଅନ୍ୟତମ କୋଣାର୍କ ସୂର୍ଯ୍ୟ ମନ୍ଦିରର ଏକ ପ୍ରତିରୂପ ସ୍ଥାନିତ ହୋଇଥିଲା । ପ୍ରଜ୍ଞାପନ ମେଢର ଡେକ୍ ଉପରେ ପୁରୁଷ ଓ ମହିଳା କାରିଗରମାନଙ୍କ ଦ୍ଵାରା ପ୍ରସ୍ତର ଶିଳ୍ପ କଳା,ସବାଇ ଘାସରୁ ପ୍ରସ୍ତୁତ ଘରକରଣା ଓ ଗୃହସଜ୍ଜା ସାମଗ୍ରୀ ଏବଂ ପିପିଲି ଚାନ୍ଦୁଆ ପ୍ରସ୍ତୁତି କଳାର ଜୀବନ୍ତ ପ୍ରଦର୍ଶନ କରାଯାଇଥିଲା ।

ସମ୍ବଲପୁରୀ ବସ୍ତ୍ର ଆଚ୍ଛାଦିତ ଓ ପଟ୍ଟଚ୍ଚିତ୍ର କଳାରେ ଚିତ୍ରିତ ପ୍ରଜ୍ଞାପନ ମେଢର ଉଭୟ ପାର୍ଶ୍ୱ ଓ ପଶ୍ଚାତ ଭାଗରେ ପାରମ୍ପରିକ ଜନଜାତି ଚିତ୍ରକଳା ଉପରେ ରୂପା ତାରକସୀ କାରୁକାର୍ଯ୍ୟ ମାଧ୍ୟମରେ ଓଡ଼ିଶାର ଗଭୀର ସାଂସ୍କୃତିକ ପରିଚୟ ଏବଂ ଉତ୍କୃଷ୍ଟ ହସ୍ତଶିଳ୍ପ ପରମ୍ପରାକୁ ଅତ୍ୟନ୍ତ ଆକର୍ଷଣୀୟ ଢଙ୍ଗରେ ପ୍ରତିଫଳିତ କରାଯାଇଥିଲା। ସେହିପରି, ଅଗ୍ରଭାଗକୁ ଓଡିଶାର ମହିଳାମାନଙ୍କ ଅପରୂପ ମାଣବସା ଗୁରୁବାର ଚିତ୍ରକଳାରେ ଚିତ୍ରିତ କରାଯାଇଥିଲା ।

ପ୍ରାଚୀନ ଷୋଡ଼ଶ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ ଲୋକପ୍ରିୟ ଥିବା ଓଡ଼ିଶାର ଅନ୍ୟତମ ଲୋକନୃତ୍ୟ ଚଇତି ଘୋଡାଗୀତ ଓ ନୃତ୍ୟ ମାଧ୍ୟମରେ ନୃତ୍ୟଶିଳ୍ପୀମାନେ ଆତ୍ମନିର୍ଭର ଭାରତରେ ଓଡ଼ିଶାର ଭୂମିକାକୁ ପ୍ରଜ୍ଞାପନ ମେଢର ଉଭୟ ପାର୍ଶ୍ୱରେ ଅତ୍ୟନ୍ତ ଚିତ୍ତାକର୍ଷକ ଢଙ୍ଗରେ ଉପସ୍ଥାପନ କରିଥିଲେ।ଉଲ୍ଲେଖଯୋଗ୍ୟ ଯେ,ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ମାଧ୍ୟମରେ ମହିଳା ସଶକ୍ତୀକରଣକୁ ନେଇ ଗତ ୨୦୨୪ରେ ପ୍ରଦର୍ଶିତ ଓଡ଼ିଶାର ପ୍ରଜ୍ଞାପନ ମେଢ କର୍ତ୍ତବ୍ୟ ପଥରେ ପରାକାଷ୍ଠା ପ୍ରଦର୍ଶନ କରି ସମଗ୍ର ଦେଶରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ,ଓଡ଼ିଶାର ହସ୍ତତନ୍ତ ଓ ବୟନ କଳା ଉପରେ ଆଧାରିତ୨୦୨୫ର ପ୍ରଜ୍ଞାପନ ମେଢ ଜାନୁଆରୀ ୨୬ ରୁ ୩୧ ତାରିଖ ପର୍ଯ୍ୟନ୍ତ ଲାଲକିଲ୍ଲା ନିକଟରେ ଅନୁଷ୍ଠିତ ଭାରତ ପର୍ବର ‘ଦେଖୋ ଅପନା ଦେଶ’ କାର୍ଯ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking