38.7 C
Bhubaneswar
Thursday, June 18, 2026
Homeଓଡିଶାସ୍କୁଲ୍ ପାଠ୍ୟ ପୁସ୍ତକ: ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀଙ୍କ ତାତ୍ସଲ୍ୟ!

ସ୍କୁଲ୍ ପାଠ୍ୟ ପୁସ୍ତକ: ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀଙ୍କ ତାତ୍ସଲ୍ୟ!

ଭୁବନେଶ୍ୱର: ସ୍କୁଲ୍ ପାଠ୍ୟ ପୁସ୍ତକରେ ପର୍ଯ୍ୟାପ୍ତ ‘ଭୁଲ୍‌’ କୁ ନେଇ ଚାରିଆଡ଼େ ସମାଲୋଚନାର ସୁଅ ଛୁଟିବା ପରେ ଆଉ ବାଟ ନପାଇ ମୁଖ୍ୟମନ୍ତ୍ରୀ ନିଜେ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଘଟଣାକୁ ନେଇ ଉଦ୍‌ବେଗ କରିବା ସହ ତଦନ୍ତ କମିଟି ଗଠନ କରିଛନ୍ତି। କିନ୍ତୁ ସବୁଠୁ ଚିନ୍ତାର ବିଷୟ ହେଉଛି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ମନ୍ତବ୍ୟ। ବାସ୍ତବିକ୍ କ୍ଷେତ୍ରରେ ଦେଖିଲେ ଯେଉଁ ଭୁଲ୍ କରାଯାଇଛି ତାହା ସମ୍ପୂର୍ଣ୍ଣ ଅକ୍ଷମଣୀୟ। ଏକଥାକୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତେ ମାନୁଛନ୍ତି। ହେଲେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ବିଷୟ ନୁହେଁ। ସେ ଘଟଣାକୁ ହାଲୁକା ଭାବେ ଗ୍ରହଣ କରି ପରୋକ୍ଷରେ ଆଉ କାହାକୁ ନୁହେଁ ନିଜ ମୁଖ୍ୟମନ୍ତ୍ରୀଙ୍କୁ ତାତ୍ସଲ୍ୟ କରିଲା ଭଳି ବକ୍ତବ୍ୟ ରଖିଛନ୍ତି। ଏହି ଘଟଣାରେ ସରକାରଙ୍କ ପକ୍ଷରୁ ତଦନ୍ତ କମିଟି ଗଠନ କରାଯିବା ପରେ ଜଣାପଡ଼ୁଛି ହୋ-ହାଲ୍ଲାକୁ ଏଡ଼ାଇବା ପାଇଁ ଏପରି କରାଯାଇଛି ବୋଲି ଅନେକ ମତ ଦେଉଛନ୍ତି। ବାସ୍ତବିକ ଯଦି ସରକାରଙ୍କର ଆନ୍ତରିକତା ଥାଆନ୍ତା ତେବେ ପ୍ରଥମେ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥାଆନ୍ତେ। ତଦନ୍ତ ଆଳରେ ସମୟ ଗଡ଼ାଇ ନଥାଆନ୍ତେ। କାରଣ ଏହା ପଛରେ କେଉଁମାନେ ଦାୟୀ ତାହା ସରକାରଙ୍କୁ ଅଛପା ନାହିଁ। କେଉଁମାନେ ଏ ଦାୟିତ୍ୱରେ ଥିଲେ ତାହା ସରକାରୀ ରେକର୍ଡରେ ରହିଥିବେ। ତାହା ଯଦି ନଥିବା ତେବେ ରାଜ୍ୟରେ ସରକାର ଚାଲିଛି ନାଁ ଆଉ କ’ଣ ବୋଲି ଧରାଯିବ। ଏହି ଘଟଣାରେ ତ କୌଣସି ବିଷୟ ଲୁକାୟିତ ନୁହେଁ । ଏଣୁ କମିଟି କେବଳ ସମୟ ଗଡ଼ାଇବା ପାଇଁ ଉଦ୍ଧିଷ୍ଟ ଥାଏ ବୋଲି ତାହା ସମସ୍ତଙ୍କୁ ଜଣା।

ସ୍କୁଲ୍ ପାଠ୍ୟପୁସ୍ତକ ମୁଦ୍ରଣରେ ଭୁଲ୍ ଯେ ଏବେ ହେଲା ତାହା ନୁହେଁ ଅତିତରେ ବି ଭୁଲ୍ ହୋଇଛି। କିନ୍ତୁ ଉଦ୍‌ବେଗର ବିଷୟ ହେଉଛି ଏତେ ସଂଖ୍ୟାରେ ଭୁଲ୍ ବୋଧହୁଏ ସରକାରଙ୍କ ପକ୍ଷରୁ ପାଠ୍ୟପୁସ୍ତକ ମୁଦ୍ରଣ ହୋଇ ପିଲାଙ୍କୁ ପ୍ରଦାନ କରିବା ଆରମ୍ଭ ହେବା ପରଠାରୁ କେବେ ହୋଇ ନଥିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀଯାଏଁ ସବୁ ଶ୍ରେଣୀର ପିଲାମାନଙ୍କ ବହିରୁ ଭୁଲ୍ ପରିଲକ୍ଷିତ ହୋଇଛି। କାଁ ଭାଁ ଭୁଲ୍ ନୁହେଁ ଏହି ସଂଖ୍ୟା ୧୬୭୮ ବୋଲି ଗଣନା କରାଯାଇଛି। ଏପରିକି ଫଟୋ ମଧ୍ୟ ଭୁଲ୍ ବସିଛି। ଏତେ ବଡ଼ ଗର୍ହିତ କାର୍ଯ୍ୟ ହୋଇଥିବା ଜାଣିବା ସତ୍ତ୍ୱେ ତୁରନ୍ତ ସେ ପୁସ୍ତକଗୁଡ଼ିକୁ ପିଲାଙ୍କୁ ନଦେବା ପାଇଁ ନିର୍ଦ୍ଦେଶ ଦେବା ବଦଳରେ ବିଭାଗୀୟ ଅଧିକାରୀ ଭୁଲ୍‌କୁ ଠିକ୍ କରି ପଢ଼ାଇବା ପାଇଁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଲେ। ବିଭାଗୀୟ ମନ୍ତ୍ରୀ ମଧ୍ୟ ନୀରବ ରହିଲେ। ତୁରନ୍ତ ଅଧିକାରୀମାନଙ୍କୁ ବୈଠକ ଡ଼ାକି ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ନେଲେ ନାହିଁ। ଗୋଟିଏ ଦୁଇଟି ଭୁଲ୍ ହୋଇଥିଲେ ତାକୁ ସିନା ଠିକ୍ କରି ପଢ଼ାଇବ ହେବ। ଶହ ଶହ ସଂଖ୍ୟାରେ ଭୁଲ୍‌କୁ କିପରି ସୁଧାରଯାଇ ପଢ଼ାଯିବ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ଭୁଲ୍ ଫଟୋ ରହିଛି ତାକୁ କିପରି ବଦଳାଯିବ। ପିଲାଙ୍କୁ ବହି ଦିଆଯିବା ପରେ ସେମାନେ ପୃଷ୍ଠା ଓଲଟାଇଲେ ତ ଭୁଲ୍‌ଟା ହିଁ ପଢ଼ିବେ। କେହି କୌଣସି ପରିସ୍ଥିତିରେ ଦିଆଯାଇଥିବା ବହି ଫେରାଇ ଆଣିବା ପାଇଁ ଉଦ୍ୟମ କଲେ ନାହିଁ କି ପିଲାଙ୍କୁ ନଦେବା ପାଇଁ କୌଣସି ନିର୍ଦ୍ଦେଶନାମା ସରକାରଙ୍କ ପାଖରୁ ଜାରି କରାଗଲା ନାହିଁ। ମୁଖ୍ୟମନ୍ତ୍ରୀ ତଦନ୍ତ କମିଟି ଗଠନ କଲେ ହେଲେ ପିଲାଙ୍କୁ ବହି ନ ଦେବାପାଇଁ କିଛି ନିର୍ଦ୍ଦେଶନାମା ଜାରି କଲେ ନାହିଁ।

ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ ବୁଧବାର ଡ଼ାକି ଆଲୋଚନା କଲେ। କେଉଁ ପରିସ୍ଥିତିରେ ଏଭଳି ଭୁଲ୍ ହେଲା, କିଏ ଦାୟିତ୍ୱରେ ଥିଲେ, କେମିତି ଯାଞ୍ଚ କରାଗଲା ନାହିଁ, ବିନା ପ୍ରୁଭ୍ ରିଡିଙ୍ଗ୍‌ରେ କିପରି ବହି ଛପା ହେବା ପାଇଁ ଦିଆଗଲା, ପିଲାଙ୍କ ଭବିଷ୍ୟତ ସହ ଖେଳିବାକୁ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିବା କଥା ଗଣମାଧ୍ୟମରେ ପ୍ରକାଶ ପାଇଛି। ଅନ୍ୟପଟରେ ବୈଠକ ପରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣମାଧ୍ୟମକୁ କହିଛନ୍ତି ଯେଉଁ ଭୁଲ୍ ହୋଇଛି ତାହା ସାମାନ୍ୟ, କିଛି ବଡ଼ ଭୁଲ୍ ହୋଇନି। କିଛି ସ୍ଥାନରେ ଆକାର ଓ ଶବ୍ଦ ଭୁଲ୍ ହୋଇଛି। ପିଲାମାନେ ଯେଭଳି ଠିକ୍ ଭାବେ ପଢ଼ିବେ ସେ ଦିଗରେ ଶିକ୍ଷକ ଧ୍ୟାନ ଦେବେ। ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ମନ୍ତବ୍ୟକୁ ଭଲ ଭାବରେ ଅନୁଧ୍ୟାନ କରିବା ଦରକାର। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରି ଏହା ଅକ୍ଷମଣୀୟ ଅପରାଧ ବୋଲି କହୁଥିବା ବେଳେ ତାଙ୍କ ମନ୍ତ୍ରୀ କହୁଛନ୍ତି ଏହା ସାମାନ୍ୟ ଭୁଲ୍‌। ତେବେ ସେ କାହାକୁ ବିଦ୍ରୁପ କରୁଛନ୍ତି। ବାସ୍ତବରେ ଯଦି ମୁଖ୍ୟମନ୍ତ୍ରୀ ଘଟଣାକୁ ଗୁରତର ସହ ନେଇଥାଆନ୍ତି ଆଉ ତାଙ୍କର ଆନ୍ତରିକତା ଥାଏ ତେବେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଆଗେ ଦାୟିତ୍ୱରୁ ହଟାଇବା ଦରକାର ବୋଲି ରାଜେନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି। ନଚେତ୍ ଜଣାପଡ଼ିବ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ କେବଳ ଗଣମାଧ୍ୟମରେ ପ୍ରକାଶ ପାଇଁ ଉଦ୍ଧିଷ୍ଟ। ସେ ମଧ୍ୟ ଏ ଘଟଣାକୁ ହାଲୁକା ଭାବେ ଗ୍ରହଣ କରୁଛନ୍ତି ବୋଲି କୁହାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking