33.3 C
Bhubaneswar
Saturday, June 13, 2026
Homeଓଡିଶା୨ ବର୍ଷ ମଧ୍ୟରେ ଓଡ଼ିଶା ବିଜେପି ସରକାରର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଫଳତା...

୨ ବର୍ଷ ମଧ୍ୟରେ ଓଡ଼ିଶା ବିଜେପି ସରକାରର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଫଳତା ପଦାରେ ପଡ଼ିଛି: ବିଜେଡି

ପ୍ରଶାସନ ସଙ୍କଟରେ ଥିବାରୁ ଦୁର୍ନୀତି ବଢ଼ିଚାଲିଛି ଓ ଜନସାଧାରଣଙ୍କୁ ହଇରାଣ ହେବାକୁ ପଡୁଛି
ଶାସନଗତ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବାରୁ ପ୍ରଶାସନିକ ଅବ୍ୟବସ୍ଥା ଦେଖାଦେଇଛି
ସରକାରୀ ପାଣ୍ଠିର ଅବ୍ୟବହାର ଓ ରିଲିଫ ବଣ୍ଟନରେ ଅନିୟମିତତା, ବିପର୍ଯ୍ୟୟ ପରିଚାଳନାର ସଫଳତାକୁ କ୍ଷୁଣ୍ଣ କରିଛି

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାରର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଚରମ ବିଫଳତାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛି ବିଜୁ ଜନତା ଦଳ । ଗତ ଦୁଇ ବର୍ଷ ଧରି ପ୍ରଶାସନିକ ସ୍ତରରେ ଅଚଳାବସ୍ଥା, ବ୍ୟାପକ ଦୁର୍ନୀତି, ଜନସାଧାରଣଙ୍କୁ ସେବା ପ୍ରଦାନରେ ବିଳମ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ଓ ରିଲିଫ ବଣ୍ଟନରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହୋଇଛି । ଆଜି ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି ଏକ ପ୍ରେସ୍ ବିବୃତ୍ତିରେ କହିଥିଲେ, ଗତ ଦୁଇ ବର୍ଷ ଧରି ବିଜେପି ସରକାରର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସାଧାରଣ ଜନତାଙ୍କୁ ସେବା ଯୋଗାଇ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଏହି ୨ ବର୍ଷରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଜମି ମୁ୍ୟଟେସନ ମାମଲା, ରେକର୍ଡ ଅଫ୍ ରାଇଟ୍ସ (ଆରଓଆର) ସଂଶୋଧନ, ଭୂମି ରାଜସ୍ୱ ଛାଡ଼ ଓ କ୍ଷତିପୂରଣ ସମ୍ବନ୍ଧୀୟ ମାମଲାଗୁଡ଼ିକରେ ଅହେତୁକ ବିଳମ୍ୱ ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟବ୍ୟାପୀ ହଜାର ହଜାର ମାମଲା ଦୀର୍ଘ ସମୟ ଧରି ପଡ଼ି ରହିଥିବାରୁ ସାଧାରଣ ଜନତାଙ୍କୁ ନାନାଦି କଷ୍ଟ ଭୋଗିବାକୁ ପଡୁଛି । ଦୀର୍ଘଦିନ ଧରି ବକେୟା ଥିବା ଆରଓଆର ସଂଶୋଧନ ଓ ରାଜସ୍ୱ ସମ୍ବନ୍ଧୀୟ ମାମଲାଗୁଡ଼ିକର ସମାଧାନ ପାଇଁ ରାଜ୍ୟ ସରକାର ସମୟସୀମା ନିର୍ଦ୍ଧାରଣ କରିଛନ୍ତି, ଯାହା ପ୍ରଶାସନିକ ବିଫଳତାକୁ ସୂଚିତ କରୁଛି ।

ଡ଼ ଲେନିନ ମହାନ୍ତି କହିଥିଲେ ଯେ, ତହସିଲ କାର୍ଯ୍ୟାଳୟ ଗୁଡ଼ିକରେ ବ୍ୟାପକ ଦୁର୍ନୀତି ହେଉଛି । ରାଜସ୍ୱ ଅଧିକାରୀମାନଙ୍କ ବିରୋଧରେ ଭିଜିଲାନ୍ସ ଚଢ଼ାଉ, ଆୟ ବହିର୍ଭୂତ ସମ୍ପତ୍ତି ମାମଲା, ଜମି କାରବାରରେ ଅନିୟମିତତା ଏବଂ ଅଦାଲତଙ୍କ ନିଦେ୍ର୍ଦଶ ଅମାନ୍ୟ କରିବା ଭଳି ଘଟଣା ପ୍ରତିଦିନ ଘଟୁଥିବାରୁ ବିଭାଗ ପ୍ରତି ସାଧାରଣ ଜନତାଙ୍କ ବିଶ୍ୱାସ ତୁଟି ଯାଉଛି । ଜମି ପଞ୍ଜିକରଣ ପ୍ରକ୍ରିୟାରେ ଅନିୟମିତତା ପାଇଁ ଶହ ଶହ ପଞ୍ଜିକରଣ ଅଧିକାରୀଙ୍କୁ ନୋଟିସ ଜାରି ହେବା ବ୍ୟବସ୍ଥାଗତ ଅଚଳାବସ୍ଥାକୁ ଦର୍ଶାଉଛି । ଅଗଷ୍ଟ ୨୦୨୫ରେ ରାଜସ୍ୱ ମନ୍ତ୍ରଣାଳୟ କର୍ମଚାରୀମାନଙ୍କ ରାଜ୍ୟବ୍ୟାପୀ ଆନେ୍ଦାଳନ ସମୟରେ ବିଜେପି ସରକାରଙ୍କ ନିଜ କର୍ମଚାରୀ ବ୍ୟବସ୍ଥାପନାରେ ଅକ୍ଷମତା ସ୍ପଷ୍ଟ ହୋଇଥିଲା । ଏହି ଧର୍ମଘଟ ଜିଲ୍ଲାସ୍ତରରେ ଜନସେବାକୁ ବ୍ୟାହତ କରିଥିଲା ଏବଂ ପ୍ରଶାସନ ଓ ନାଗରିକ ସେବାକୁ ପ୍ରାୟ ଅଚଳ କରିଦେଇଥିଲା । ସରକାର କର୍ମଚାରୀଙ୍କ ସମସ୍ୟାର ଗଠନମୂଳକ ସମାଧାନ କରିବା ପରିବର୍ତ୍ତେ, ଦରମା ବନ୍ଦ କରିଦେବା ଓ ଚାକିରିରୁ ବହିଷ୍କାର କରିଦେବାର ଧମକ ଦେଇ ଚାପ ପ୍ରୟୋଗ କରିଥିଲେ, ଯାହା ପ୍ରଶାସନିକ ଦୁର୍ବଳତାକୁ ପ୍ରକାଶ କରିଥିଲା । କେନ୍ଦୁଝରର ଏକ ଆଦିବାସୀ ପରିବାର ଆବଶ୍ୟକ ପ୍ରମାଣପତ୍ର ପାଇବାରେ ବିଳମ୍ବ ହେତୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲା । ରାଜସ୍ୱ ଆଦାୟ ଲକ୍ଷ୍ୟ ପୂରଣ କରିବାରେ ସରକାର ସଂଘର୍ଷ କରୁଛନ୍ତି ଏବଂ ଖଣିଜ ରୟାଲଟି ଉପରେ ଅଧିକ ନିର୍ଭରଶୀଳ ରହୁଛନ୍ତି । ଆଦିବାସୀ ଜମି ସୁରକ୍ଷା, ଆଇନଗତ ବିବାଦ ଏବଂ ଶାସନଗତ ତ୍ରୁଟି ସରକାରଙ୍କ ବ୍ୟବସ୍ଥାଗତ ଦୁର୍ବଳତାକୁ ସ୍ପଷ୍ଟ କରୁଛି ।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ପୂର୍ବ ବିଜେଡି ସରକାରରେ ବିପର୍ଯ୍ୟୟ ପରିଚାଳନାକୁ ନେଇ ଜାତିସଂଘ ଓଡ଼ିଶାକୁ ଭୂୟଂସୀ ପ୍ରଶଂସା କରିଥିଲେ । ସେହି ସଫଳତାକୁ ବଜାୟ ରଖିବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି । ବିପର୍ଯ୍ୟୟ ନିବାରଣ ଓ ମୁକାବିଲା ପାଇଁ ବ୍ୟୟବରାଦ ହୋଇଥିବା ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ନ ହୋଇ ଦୀର୍ଘ ସମୟ ଧରି ପଡ଼ି ରହିଥିବାରୁ ପ୍ରଶାସନିକ ଦକ୍ଷତାକୁ ନେଇ ଗଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କ୍ଷତିପୂରଣ ବଣ୍ଟନରେ ଅନିୟମିତତା, କ୍ଷୟକ୍ଷତି ଆକଳନରେ ହେରଫେର ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ବ୍ୟବସ୍ଥାରେ ସରକାରଙ୍କ ଚରମ ବିଫଳତା ପଦାରେ ପଡ଼ିଛି । ବଜ୍ରପାତଜନିତ ମୃତୁ୍ୟ, ହିଟ୍ୱେଭ ପ୍ରଭାବ, ବନ୍ୟା ଓ ମରୁଡ଼ି ଯୋଗୁଁ ବାରମ୍ବାର କ୍ଷତି ଘଟୁଥିବାରୁ ଶେଷ ପର୍ଯ୍ୟାୟରେ ସାଧାରଣ ଜନତାଙ୍କ ପାଖରେ ସେବା ପହଞ୍ଚାଇବା, ଜନସଚେତନତା ସୃଷ୍ଟି କରିବା ଓ ବିପର୍ଯ୍ୟୟ ସମ୍ବନ୍ଧୀୟ ଯୋଗାଯୋଗରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଛି । ବିଶେଷକରି ଦୁର୍ଗମ ଓ ଆଦିବାସୀ ଅଞ୍ଚଳଗୁଡ଼ିକ ଭିତ୍ତିଭୂମି ସୁବିଧା ଅଭାବରୁ ଅଧିକ ବିପଦରେ ରହିଛି । ଓଡ଼ିଶାର ଜନସାଧାରଣଙ୍କୁ ସ୍ୱଚ୍ଛ, ପ୍ରତିକ୍ରିୟାଶୀଳ ଓ ଜନମୁଖୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଯୋଗାଇଦେବା ପାଇଁ ସରକାର ଦାୟିତ୍ୱବାନ ହୁଅନ୍ତୁ । ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରି ସାଧାରଣ ଜନତାଙ୍କୁ ଉତ୍ତମ ସେବା ପ୍ରଦାନ କରନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking