ନୂଆଦିଲ୍ଲୀ: ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛି ଓଡ଼ିଆ ଚଳଚ୍ଚିତ୍ର ‘ବୋଉ ବୁଟୁ ଭୂତ’। ମୁମ୍ବାଇରେ ଆୟୋଜିତ ଇନ୍କା (ଆଇଏନ୍ସିଏ) ଆୱାଡର୍ସ ଉତ୍ସବରେ ଏହାକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ୨୦୨୫ରେ ମୁକ୍ତିଲାଭ କରିଥିବା ଦେଶର ଶ୍ରେଷ୍ଠ ୧୦ଟି ଚଳଚ୍ଚିତ୍ର ମଧ୍ୟରୁ ‘ବୋଉ ବୁଟୁ ଭୂତ’କୁ ଶ୍ରେଷ୍ଠ ପୁରସ୍କାର ପାଇଁ ବିଚାରକମାନେ ଚୟନ କରିଥିଲେ। ଏଥିସହ ଶ୍ରେଷ୍ଠ ଅଭିନେତା ଭାବେ ଏହି ଚଳଚ୍ଚିତ୍ରର ନାୟକ ବାବୁସାନ ମହାନ୍ତି ଓ ଶ୍ରେଷ୍ଠ ଅଭିନେତ୍ରୀ ନାୟିକା ଅର୍ଚ୍ଚିତା ସାହୁ ମଧ୍ୟ ସମ୍ମାନିତ ହୋଇଛନ୍ତି। ପ୍ରଡ୍ୟୁସର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ଇନ୍କା ଉତ୍ସବରେ ବଲିଉଡ୍ ଏବଂ ଟଲିଉଡ୍ର ତାରକାଙ୍କ ମେଳରେ ‘ବୋଉ ବୁଟୁ ଭୂତ’କୁ ଏହି ଜାତୀୟ ପୁରସ୍କାର ମିଳିଥିବାରୁ ଓଡ଼ିଶାର ଚଳଚ୍ଚିତ୍ର ଶିଳ୍ପ ପାଇଁ ଆଉଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଫିଲ୍ମର ପ୍ରଯୋଜିକା ତଥା ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ଏହି ସମ୍ମାନ ଗ୍ରହଣ କରିବା ସମୟରେ ମଞ୍ଚରେ ବେଶ୍ ଭାବବିହ୍ବଳ ହୋଇପଡିଥିଲେ। ସେହିପରି ଚଳଚ୍ଚିତ୍ର ‘ଅନନ୍ତା’ର ନିର୍ଦ୍ଦେଶକ ସବ୍ୟସାଚ୍ଚୀ ମହାପାତ୍ର ଓ ତାଙ୍କ ପୁଅ ନିର୍ଦ୍ଦେଶକ କୁମାର ସି ଦେବ ମହାପାତ୍ରଙ୍କୁ ଶ୍ରେଷ୍ଠ ଓଡ଼ିଆ ସିନେ ନିର୍ଦ୍ଦେଶକ ଭାବେ ସମ୍ମାନିତ କରାଯାଇଥିଲା।










