ଭୁବନେଶ୍ୱର: ସମସ୍ତେ ନିଜ ସୁବିଧା ଓ ସୌକ ପାଇଁ କିଣନ୍ତି ଗାଡ଼ି। କିନ୍ତୁ ଏବେ ଗାଡ଼ି କିଣିବା ଏସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ହେବ। ନହେଲେ ହଇରାଣରେ ପଡ଼ି ପାରନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ଚିଠା ପାର୍କିଂ ନୀତି(Urban parking policy) ଅଣାଯାଇଛି । ଆସନ୍ତା ୨୮ ତାରିଖ ଭିତରେ ଏହି ଚିଠା ନୀତି ଉପରେ ନିଜ ଅଭିଯୋଗ ବା ପ୍ରସ୍ତାବ ଦେବାକୁ କୁହାଯାଇଛି । ୨୦୧୭-୧୮ ମସିହାରେ ରାଜ୍ୟରେ ୯୧ ଲକ୍ଷ ଗାଡ଼ି ଥିଲା । ୨୦୨୩-୨୪ ସୁଦ୍ଧା ଏହା ଦେଢ଼ କୋଟିରେ ପହଞ୍ଚିଲାଣି । ଗତ ୬ ବର୍ଷରେ ରାଜ୍ୟରେ ଗାଡ଼ି ସଂଖ୍ୟା ୬୫% ବଢ଼ିଗଲାଣି । ଗାଡ଼ି ସଂଖ୍ୟା ଅନିୟନ୍ତ୍ରିତ ଭାବେ ବଢୁଥିବାରୁ ସହରାଞ୍ଚଳରେ ପାର୍କିଂ ସମସ୍ୟା ଗୁରୁତର ହେଲାଣି । ଏପରିକି ଟ୍ରାଫିକ ସମସ୍ୟା ପଛରେ ଏହା ଦାୟୀ । ୩୦% ଟ୍ରାଫିକ ଭିଡ଼ର କାରଣ ହେଉଛି, ରାସ୍ତାକଡ଼ରେ ମନଇଚ୍ଛା ଗାଡ଼ି ପାର୍କିଂ ଓ ପାର୍କିଂ ପାଇଁ ରାସ୍ତାରେ ଜାଗା ଖୋଜିବା । ସହରରେ ବଢ଼ି ଚାଲିଥିବା ଗାଡ଼ି ସଂଖ୍ୟାକୁ ନିୟନ୍ତ୍ରଣକୁ ଆଣିବା, ଟ୍ରାଫିକ ଭିଡ଼ କମାଇବା, ପବ୍ଲିକ ଟ୍ରାନ୍ସପୋର୍ଟର ବ୍ୟବହାର ବଢ଼ାଇବା ଓ ବ୍ୟବସ୍ଥିତ ପାର୍କିଂ ଲାଗୁ କରିବାକୁ ସରକାର ଏହି ନୀତି ଆଣିଛନ୍ତି ।










