26.1 C
Bhubaneswar
Monday, July 7, 2025
Homeଅପରାଧନିର୍ଭୟା ମାମଲା : ପବନ ଗୁପ୍ତାଙ୍କ ବାପାଙ୍କ ଆବେଦନ ଖାରଜ, ମୁକେଶ କୁମାରଙ୍କ ଆବେଦନର ଶୁଣାଣି...

ନିର୍ଭୟା ମାମଲା : ପବନ ଗୁପ୍ତାଙ୍କ ବାପାଙ୍କ ଆବେଦନ ଖାରଜ, ମୁକେଶ କୁମାରଙ୍କ ଆବେଦନର ଶୁଣାଣି ଆଜି

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଫାଶୀ ଆସାମୀଙ୍କ ମଧ୍ୟରୁ ଅନ୍ୟତମ ମୁକେଶ କୁମାର ସିଂହଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଶୁଣାଣି କରିବେ । ମୁକେଶଙ୍କ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେବା ପରେ ସେ ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ୍ କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍‌ଏ ବୋବଡ଼େଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ସୋମବାର ଏ ସମ୍ପର୍କରେ ଶୁଣାଣି କରି ଦର୍ଶାଇଥିଲେ ଯେ, ଫାଶୀଦଣ୍ଡ ପାଇବାକୁ ଥିବା ଆସାମୀଙ୍କ ଆବେଦନର ଶୁଣାଣିକୁ ଅଗ୍ରାଧିକାର ଦିଆଯିବ । ଜଷ୍ଟିସ୍ ବୋବଡ଼େ କହିଥିଲେ, ଫେବୃଆରୀ ୧ରେ ଯେଉଁ ବ୍ୟକ୍ତି ଫାଶୀ ପାଇବାକୁ ଯାଉଛନ୍ତି, ଏହାଠାରୁ ବଳି ଆଉ କୌଣସି ଜରୁରୀ ମାମଲା ନାହିଁ । ଏହି ୩ ଜଣିଆ ଖଣ୍ଡପୀଠର ଅନ୍ୟ ଦୁଇ ବିଚାରପତି ହେଲେ ଜଷ୍ଟିସ୍ ଭିଆର୍ ଗାଭାଇ ଓ ଜଷ୍ଟିସ୍ ସୂର୍ଯ୍ୟକାନ୍ତ । ରାଷ୍ଟ୍ରପତିଙ୍କ ଦ୍ୱାରା ରାଜକ୍ଷମା ଆବେଦନ ଖାରଜ ହୋଇଯିବାରୁ ମୁକେଶ ଗତ ଶନିବାର ଦିନ ଏହାକୁ ଚାଲେଞ୍ଜ୍ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ରାଷ୍ଟ୍ରପତି ମାତ୍ର ୪ ଦିନ ଭିତରେ ରାଜକ୍ଷମା ଆବେଦନ ଖାରଜ କରିଥିବାରୁ ଏହାକୁ ଚାଲେଞ୍ଜ୍ କରାଯାଇଛି । ଅପରପକ୍ଷରେ ଦୁଷ୍କର୍ମକାରୀ ପବନ ଗୁପ୍ତାଙ୍କ ବାପା ଦିଲ୍ଲୀର ସେସନ୍ସ କୋର୍ଟରେ କରିଥିବା ଆବେଦନ ସୋମବାର ଖାରଜ ହୋଇଯାଇଛି । ଏହି ମାମଲାରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନର କୌଣସି ସତ୍ୟତା ନାହିଁ ବୋଲି ପବନଙ୍କ ବାପା ଦର୍ଶାଇଥିଲେ । ସେ କୋର୍ଟଙ୍କୁ ଜଣାଇଥିଲେ, ପୁଲିସ ପ୍ରତ୍ୟକ୍ଷଦର୍ଶୀଙ୍କୁ ନିର୍ଯାତନା ଦେଇ ସେମାନଙ୍କଠାରୁ କପୋଳକଳ୍ପିତ ବୟାନ ଆଦାୟ କରିଛି । ତେଣୁ ଏହି ମାମଲାର ପୁନର୍ବିଚାର କରାଯାଉ । ତେବେ ସେସନ୍ସ କୋର୍ଟ ଏହି ଆବେଦନର ପ୍ରାଥମିକ ଶୁଣାଣି କରି ଏହାକୁ ଖାରଜ କରିଦେଇଛନ୍ତି ।
୨୦୧୨ ଡିସେମ୍ବର ୧୬ ରାତିରେ ଦକ୍ଷିଣ ଦିଲ୍ଲୀରେ ୨୩ ବର୍ଷୀୟା ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଏକ ଚଳନ୍ତା ବସ୍‌ରେ ଗଣଦୁଷ୍କର୍ମ କରାଯାଇ ତଳକୁ ଫିଙ୍ଗି ଦିଆଯାଇଥିଲା । ଏହାପରେ ତାଙ୍କର ସିଙ୍ଗାପୁରସ୍ଥିତ ହସ୍ପିଟାଲ୍‌ରେ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ସମ୍ପୃକ୍ତ ୬ ଜଣଙ୍କ ମଧ୍ୟରୁ ୪ ଜଣ – ବିନୟ ଶର୍ମା, ମୁକେଶ କୁମାର, ଅକ୍ଷୟ ଠାକୁର ସିଂହ ଓ ପବନ ଗୁପ୍ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଫାଶୀ ଦଣ୍ଡାଦେଶ ହୋଇଛି । ସେମାନଙ୍କୁ ପୂର୍ବରୁ ଜାନୁଆରୀ ୨୨ରେ ଫାଶୀ ଦିଆଯିବା ଲାଗି ଡେଥ୍ ୱାରେଣ୍ଟ୍ (ମୃତ୍ୟୁ ପରୱାନା) ଜାରି ହୋଇଥିଲା । ମାତ୍ର ସେମାନଙ୍କ ଆବେଦନ ବିଚାରାଧୀନ ରହିବାରୁ ଫେବୃଆରୀ ୧ ସକାଳ ୬ଟାରେ ଫାଶୀ ଦିଆଯିବା ଲାଗି ସାନି ଡେଥ୍ ୱାରେଣ୍ଟ୍ ଜାରି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking