ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ବାଲିଆପାଳ : ବାଲିଆପାଳ ଥାନା ଅନ୍ତର୍ଗତ ଚକବ୍ରହ୍ମ ଗ୍ରାମର ଶ୍ରୀମତୀ ସୁବର୍ଣ୍ଣା ଜେନାଙ୍କ ନାତୁଣୀ ମମତା ଜେନା(୧୯)କୁହ୍ଲାଗ୍ରାମର ବେଣୁଧର ନାୟକଙ୍କ ପୁଅ ଅଶୋକ ନାୟକଙ୍କୁ ଭଲପାଇଥିଲେ । ଅଶୋକ ବିବାହର ପ୍ରତିଶୃତି ଦେଇ ମମତା ସହିତ ଶାରୀରିକ ସଂପର୍କ ସ୍ଥାପନ କରିଥିଲେ । ମମତା ଦୁଇ ମାସର ଗର୍ଭବତୀ ହେବା ପରେ ପ୍ରେମିକ ଅଶୋକ ମମତାକୁ ଛାଡି ପଳାଇବାରୁ ମମତା ଅଶୋକଙ୍କ ଘର ଆଗରେ ରବିବାର ଠାରୁ ଧାରଣାରେ ବସିଛନ୍ତି । ମମତାର ଆଈ ସୁବର୍ଣ୍ଣା ଜେନାଙ୍କ ଘର ବାଲିଆପାଳ ଥାନା ଚକବ୍ରହ୍ମ ଗ୍ରାମ ହୋଇଥିବା ବେଳେ ମମତାର ପ୍ରେମିକ ଅଶୋକର ଘର ଭୋଗରାଇ ଥାନା କୁହ୍ଲା ଗ୍ରାମରେ । ଘଟଣା ବିଷୟରେ ମମତାର ଆଈ ସୁବର୍ଣ୍ଣା ଜେନା ବାଲିଆପାଳ ଥାନାରେ ଏତଲା ଦେଇଥିବା ବେଳେ ମମତା ତାର ପ୍ରେମିକ ଅଶୋକ ଘର ଆଗରେ ଧାରଣାରେ ବସିଛନ୍ତି । ମାତ୍ର ଘଟଣାକୁ କେହି ଗୁରୁତ୍ୱ ଦେଉନାହାନ୍ତି । ଭୋଗରାଇ ଥାନା ଓ ବାଲିଆପାଳ ଥାନା ପୁଲିସ ପରସ୍ପରକୁ କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି । ଯାହା ଫଳରେ ମମତା ନିଜର ଆଈ ସୁବର୍ଣ୍ଣା ଜେନାଙ୍କ ସହିତ ଦୁଇ ଦିନ ହେବ ଧାରଣାରେ ବସିଛନ୍ତି ।
ଘଟଣାରୁ ପ୍ରକାଶ ଯେ, ମମତା ପିଲାଟି ଦିନରୁ ବାପା ମା’ଙ୍କୁ ହରାଇ ବାଲିଆପାଳ ପଂଚାୟତର ଚକବ୍ରହ୍ମ ଗ୍ରାମର ନିଜର ଆଈ ସୁବର୍ଣ୍ଣା ଜେନାଙ୍କ ପାଖରେ ରହି ଆସିଥିଲେ । ଦୀର୍ଘ ଏକ ବର୍ଷ ତଳେ କୁହ୍ଲାଗ୍ରାମର ବେଣୁଧର ନାୟକଙ୍କ ପୁଅ ଅଶୋକଙ୍କୁ ଭଲପାଇଥିଲେ । ପରସ୍ପର ମଧ୍ୟରେ ପ୍ରେମ ସଂର୍ପକ ନିବିଡ ହେବାରୁ ୬ ମାସ ତଳେ ଅଶୋକ ଗୁଜୁରାଟର ମୁରବିରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ସ୍ଥାନକୁ ମମତାକୁ ନେଇଯାଇଥିଲା । ଭଡାଘରେ କିଛି ମାସ ସ୍ୱାମୀ ସ୍ତ୍ରୀ ଭାବରେ ରହିବା ପରେ ମମତା ଗର୍ଭବତୀ ହୋଇଯାଇଥିଲା । ଅଶୋକ ମମତାକୁ ପ୍ରତାରଣା କରିବା ଲକ୍ଷ୍ୟରେ ଗତ ୧୯ ତାରିଖରେ ଗୁଜୁରାଟ ମୁରବିରେ ମମତାକୁ ଛାଡି ପଳାଇଯାଇଥିଲା । ଯାହା ଫଳରେ ମମତା ବେସାହାର ହୋଇ ସେଠାରେ ଥିବା ଅନ୍ୟ ଓଡିଆ ଲୋକଙ୍କ ସାହାର୍ଯ୍ୟରେ ଗତ ୨୧ ତାରିଖ ଦିନ ଆଈ ଘରକୁ ପଳାଇଆସିଥିଲା । ଗତ ୨୫ ତାରିଖ ମମତା ନିଜର ଆଈଙ୍କ ସହାୟତାରେ ବାଲିଆପାଳ ଥାନାରେ ଏତଲା ଦେଇଥିଲେ । ପୁଲିସର ତତତ୍ପରତା ନ ଥିବାରୁ ଗତ ୨୬ ତାରିଖଠାରୁ ମମତା ନିଜର ଆଈଙ୍କ ସହିତ ପ୍ରେମିକ ଅଶୋକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । କୁହ୍ଲାଗ୍ରାମଟି ଭୋଗରାଇ ଥାନା ଅଧିନରେ ଥିବାରୁ ଆଜି ୩ଟା ବେଳେ ମମତା ଭୋଗରାଇ ଥାନାରେ ଏତଲା ଦେଇଛନ୍ତି । ମମତା ଏତଲା ଦେବାକୁ ଯାଇଥିବା ବେଳେ ଆଈ ସୁବର୍ଣ୍ଣା ଜେନା ଏକାକୀ ସେଠାରେ ଧାରଣାରେ ବସିରହିଥିଲେ । ଏହାର ସୁଯୋଗ ନେଇ ପ୍ରେମିକ ଅଶୋକର ସମର୍ଥକ ମାନେ ଆଈ ସୁବର୍ଣ୍ଣା ଜେନାଙ୍କୁ ନିସ୍ତୁକ ମାଡ ମାରିଥିବାର ଅଭିଯୋଗ ହୋଇଛି । ତେବେ ଏ ଦିଗରେ ଉଭୟ ବାଲିଆପାଳ ଓ ଭୋଗରାଇ ପୁଲିସ ଗୁରୁତର ସହ ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରିଛନ୍ତି । ମମତା ନ୍ୟାୟ ନ ପାଇଲେ ଆତ୍ମାହୂତି ଦେବ ବୋଲି ଧମକ ଦେଇଛନ୍ତି ।