ଭାରତ ମାତାର ଯୋଗ୍ୟ ସନ୍ତାନ ଥିଲେ ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ । ଜଣେ ବିପ୍ଲବୀ ଓ କ୍ରାନ୍ତିକାରୀ ନେତା ଭାବେ ସାରା ଭାରତବାସୀଙ୍କ ହୃଦୟରେ ସେ ବିଦ୍ୟମାନ । ଦେଶ ପରାଧିନ ଥିବା ବେଳେ ତାଙ୍କ ଆହ୍ବାନରେ ସମଗ୍ର ଦେଶ ଗୋରା ସରକାରଙ୍କ ବିରୁଦ୍ଧରେ ଲଢେଇ କରିବାକୁ ଆଗେଇ ଆସିଥିଲା । ମାତୃଭୂମି ପାଇଁ ତାଙ୍କର ବଳିଦାନ ସର୍ବଦା ଦେଶବାସୀଙ୍କ ମନରେ ସ୍ମରଣୀୟ ହୋଇ ରହିବ । କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଏହି ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ମୃତ୍ୟୁ ଆଜି ବି ରହସ୍ୟମୟ ହୋଇ ରହିଛି । ତାଙ୍କ ରହସ୍ୟମୟ ମୃତ୍ୟୁ ଉପରୁ ପରଦା ଉଠେଇବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି ବିଶେଷଜ୍ଞ ଅନୁଜ ଧର ।
ଶ୍ରୀଯୁକ୍ତ ଅନୁଜ ଧରଙ୍କ ସାକ୍ଷାତକାର ନେଉଛନ୍ତି ଶ୍ରୀଯୁକ୍ତ ସତ୍ୟ ଭଞ୍ଜ । ସତ୍ୟ ଭଞ୍ଜ ବାବା ରାମ ଦେବଙ୍କ ମାଧ୍ୟମରେ ହରିଦ୍ଵାର ଠାରେ ବିଶେଷଜ୍ଞ ଅନୁଜଙ୍କୁ ଭେଟି ଥିଲେ । ଏଠାରେ ଶ୍ରୀଯୁକ୍ତ ସତ୍ୟ ବିଶେଷଜ୍ଞ ଅନୁଜଙ୍କ ବିଷୟରେ କିଛି ଉପସ୍ଥାପନା କରିଛନ୍ତି । ସେ କହିଛନ୍ତି ଯେ ଅନୁଜ ଧର ଦିର୍ଘ ୨୦ବର୍ଷ ଧରି ନେତାଜୀଙ୍କ ଉପରେ ଅନୁସନ୍ଧାନ କରି ଆସୁଛନ୍ତି । ନେତାଜୀଙ୍କ ମୃତ୍ୟୁ ସହ ଜଡ଼ିତ ସତ୍ୟ ସମସ୍ତଙ୍କ ସମ୍ମୁଖକୁ ଆଣିବା ପାଇଁ ସେ ପ୍ରତିଜ୍ଞାବଦ୍ଧ ହୋଇ ଆଗେଇ ଚାଲିଛନ୍ତି । ନେତାଜୀଙ୍କ ବିଷୟରେ ଅନୁଜ ଧର ନିଜର ସମ୍ପୂର୍ଣ୍ଣ ଜୀବନ ସର୍ମପିତ କରିଦେଇଛନ୍ତି । ଏପରିକି ସେ ତାଙ୍କ ଜୀବିକା ତ୍ୟାଗ କରିବା ସହ ନିଜ ପରିବାର ଠାରୁ ମଧ୍ୟ ଦୂରେଇ ରହିଛନ୍ତି । ଏନେଇ ବିଶେଷଜ୍ଞ ଅନୁଜ କହିଛନ୍ତି ଯେ ସଂଗ୍ରାମୀ ନେତାଜୀଙ୍କ ମୃତ୍ୟୁକୁ ଲୋକେ ଯାହା ବିଶ୍ବାସ କରନ୍ତି ଏହା ସମ୍ପୂର୍ଣ୍ଣ ମିଥ୍ୟା ।
ସତ୍ୟ:ନେତାଜୀଙ୍କ ସମ୍ପର୍କରେ ଜାଣିବା ପାଇଁ ତାଙ୍କ ମନରେ ଏହି ଉତ୍କଣ୍ଠା କିପରି ଜନ୍ମ ନେଲେ ?
ଏହି ପ୍ରଶ୍ନର ଉତ୍ତରରେ ବିଶେଷଜ୍ଞ କହିଛନ୍ତି ଯେ ତାଙ୍କ କାର୍ଯ୍ୟାଳୟର ଏକ ଆସାଇନମେଣ୍ଟ ମାଧ୍ୟମରେ ସେ ପ୍ରଥମେ ନେତାଜୀଙ୍କ ବିଷୟରେ ଜାଣିବା ପାଇଁ ପ୍ରୟାସ କରିଥିଲେ । ଏହା ପରେ ତାଙ୍କ ମନ ଭିତରେ ନେତାଜୀଙ୍କ ମୃତ୍ୟୁର ରହସ୍ୟ ପଛର ସତ ଖୋଜିବାକୁ ନେଇ ଏକ ଉତ୍କଣ୍ଠା ଜାଗ୍ରତ ହୋଇଥିଲା । ସେହି ଦିନଠାରୁ ସେ ଆଉ ଅଟକି ଯାଇ ନାହାଁନ୍ତି । ସତ୍ୟର ସନ୍ଧାନରେ ସେ ନିରନ୍ତର ପ୍ରୟାସ କରି ଚାଲିଛନ୍ତି । ସେ କହିଛନ୍ତି ଯେ ନେତାଜୀଙ୍କ ମୃତ୍ୟୁକୁ ନେଇ ଦେଶବାସୀଙ୍କ ଆଗରେ ଏକ କାଳ୍ପନିକ କାହାଣୀ ପ୍ରସ୍ତୁତ କରାଯାଇଛି । ଯାହା ଯୁକ୍ତିଯୁକ୍ତ ନୁହେଁ।
ସତ୍ୟ: ତାଙ୍କର ଏହି ଅନୁସନ୍ଧାନରୁ ସେ କେଉଁ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ?
ସେ କହିଛନ୍ତି ର୍ଦିଘ ଦିନରନନନ ଅନୁସନ୍ଧାନରୁ ନେତାଜୀଙ୍କ ମୃତ୍ୟୁକୁ ନେଇ ସେ ୩ଟି ଅଲଗା ଅଲଗା ସିଦ୍ଧାନ୍ତରେ ପହଞ୍ଚିଛନ୍ତି । ୨୦୦୫ରେ ସେ ନିଜ ବହି “Back from Dead”ରେ ଏହି ୩ଟି ରହସ୍ୟମୟ ସିଦ୍ଧାନ୍ତକୁ ଉପସ୍ଥାପନ କରିଥିଲେ । ସେ କହିଛନ୍ତି ଯେ ନେତାଜୀଙ୍କ ମୃତ୍ୟୁକୁ ନେଇ, ୧୯୪୫ରେ ଉଡାଜାହାଜ ର୍ଦୁଘଟଣାରେ ନେତାଜୀଙ୍କ ମୃତ୍ୟୁ ସିଦ୍ଧାନ୍ତ, ଋଷରେ ତାଙ୍କୁ ହତ୍ୟା କରାଯାଇଥିବା ସିଦ୍ଧାନ୍ତ ଓ ଫୈଜାବାଦର ଭଗୱନ ବାବାଙ୍କ ବେଶରେ ଲୁଚି ରହିଥିବାର ସିଦ୍ଧାନ୍ତ ସାମ୍ନାକୁ ଆସେ । ଏହି ୩ଟି ସିଦ୍ଧାନ୍ତ ମଧ୍ୟରୁ ଦେଶବାସୀ ଉଡାଜାହାଜ ର୍ଦୁଘଟଣାରେ ନେତାଜୀଙ୍କ ମୃତ୍ୟୁ ହୋଇଥିବା ନେଇ ବିଶ୍ବାସ କରନ୍ତି । ବିଶେଷଜ୍ଞ କହିଛନ୍ତି ଯେ ‘ତିନି ତୁଣ୍ଡରେ ଛେଳି କୁକୁର’ ଭଳି କିଛି ଲୋକଙ୍କ କଥା ଶୁଣି ନେତାଜୀଙ୍କ ମୃତ୍ୟୁ ଉଡାଜାହାଜ ର୍ଦୁଘଟଣାରେ ଘଟିଛି ବୋଲି ସେ ସମୟରେ ସମସ୍ତେ ବିଶ୍ବାସ କରିଥିଲେ । ତତ୍କାଳୀନ କଂଗ୍ରେସ ସରକାର ମଧ୍ୟ ଏହି ଘଟଣାର ତଦନ୍ତ ନକରି ଏହି ଉପର ଠାଉରିଆ କଥା ଉପରେ ବିଶ୍ବାସ କରି ଦେଶବାସୀଙ୍କ ସମ୍ମୁଖରେ ଏହି କାହାଣୀଟି ଚିତ୍ରଣ କରି ଉପସ୍ଥାପନ କରିଥିଲେ । କିନ୍ତୁ ଏହା ସତ୍ୟ ନୁହେଁ ।
କାରଣ ଏହି ର୍ଦୁଘଟଣାରେ କୌଣସି ପ୍ରମାଣ ନାହିଁ । ଯାହା ବି ପ୍ରମାଣ ମିଳିଛି ତାହା ବିଶ୍ବାସନୀୟ ନୁହେଁ । ୨ୟ ସିଦ୍ଧାନ୍ତ ଏହା କହୁଛି ଯେ ନେତାଜୀଙ୍କୁ ଋଷରେ ହତ୍ୟା କରାଯାଇଥିଲା । ଏହି ସିଦ୍ଧାନ୍ତକୁ ନେଇ ଯେଉଁ ପ୍ରମାଣ ମିଳିଛି ସେଥିରୁ ଜଣାପଡୁଛି ଯେ ନେତାଜୀ ଋଷରେ ଥିଲେ । କିନ୍ତୁ ସେଠାରେ ତାଙ୍କ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରମାଣ ମିଳି ନାହିଁ । କିଛି ଲୋକ ଋଷରେ ତାଙ୍କ ହତ୍ୟା କରାଯାଇଥିବା ନେଇ କିଛି କାଳ୍ପନିକ କାହାଣୀ ଚିତ୍ରଣ କରନ୍ତି ବୋଲି ବିଶେଷଜ୍ଞ ଅନୁଜ ଧର କହିଛନ୍ତି । ୩ୟ ସିଦ୍ଧାନ୍ତରେ ପ୍ରତ୍ୟକ୍ଷଦର୍ଶୀ (Eye witness ), କାଗଜ ପ୍ରମାଣପତ୍ର (Documentary evidence)ଓ Forensic evidenceର ପ୍ରମାଣ ମିଳିଛି । ଆମ ଦେଶର ଆଇନ କାନୁନ୍ ରେ ପ୍ରତ୍ୟକ୍ଷଦର୍ଶୀକୁ ପ୍ରାଥମିକତା ମିଳିଥାଏ । ତେଣୁ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସେମାନେ ନେତାଜୀଙ୍କୁ ଦେଖିଥିଲେ । ଏବଂ ସେ ନିଜର ପରିଚୟ ଗୁପ୍ତ ରଖି ଭଗୱନ ନାମରେ ଲୋକଙ୍କ ଗହଣରେ ବାସ କରୁଥିଲେ ।
ସତ୍ୟ: ଭଗୱନ କିଏ ?
ବିଶେଷଜ୍ଞ ଅନୁଜ ବ୍ଲିଶେଷଣ କରି କହିଛନ୍ତି ଯେ ୧୯୫୮ରେ ଭଗୱନ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ କିଛି ତଥ୍ୟ ସାମ୍ନାକୁ ଆସିଥିଲା। ଭଗୱନଙ୍କୁ ବର୍ତ୍ତମାନ ସମସ୍ତେ ଗୁମନାମୀ ବାବା ଭାବେ ଜାଣନ୍ତି । ଭଗୱନଙ୍କ ମୃତ୍ୟୁ ପରେ ଗଣମାଧ୍ୟମ ହିଁ ତାଙ୍କ ନାମ ଗୁମନାମୀ ବାବା ରଖିଥିଲେ । ଶୁଣିବାକୁ ମିଳେ ଯେ ୧୯୫୦-୫୨ଭିତରେ ଏହି ବ୍ୟକ୍ତି ଜଣକ ନେପାଳ ଅଞ୍ଚଳରୁ ଆସିଥିଲେ । ଏହି ବ୍ୟକ୍ତି ଜଣକ ଏକ ଭିନ୍ନ ଧରଣର ଥିଲେ । ସେ ନିଜ ଚେହେରା କାହାକୁ ଦେଖଉ ନଥିଲେ କି କାହା ସହ କଥାବାର୍ତ୍ତା କରୁନଥିଲେ । ଜରୁରୀ ପଡ଼ିଲେ ସେ କିଛି ଲେଖା ଏକ ଚିଟ୍ ଦ୍ଵାରା ଲେଖି ଜଣଉ ଥିଲେ ଓ ପୁଣି ସେଇ ଚିଠିଟି ଫେରାଇ ଆଣୁଥିଲେ ।ଏପରିକି ଲୋକେ କୁହନ୍ତି ରାତିରେ ତାଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ଭଳି ବଡ଼ ବଡ଼ ନେତା ମଧ୍ୟ ଆସୁଥିଲେ । କିଛି ଲୋକ ମଧ୍ୟ ତାଙ୍କୁ ଇଂରାଜୀ କହିବାର ମଧ୍ୟ ଶୁଣିଥିଲେ ।ଯେତେବେଳେ ତାଙ୍କୁ ଲାଗୁଥିଲା କି ତାଙ୍କୁ ଏଠାରେ କେହି ଚିହିଁ ଗଲେଣି ସେ ତୁରନ୍ତ ସେ ସ୍ଥାନ ତ୍ୟାଗ କରୁଥିଲେ । ଏହିପରି ଭାବେ ସେ ଫୈଜାବାଦ ରେ ରହିବା ପୂର୍ବରୁ ଲକ୍ଷ୍ନୌ, ମାନପୁରୀ, ରିଜୋର, ନିମିସରନ, ଅଯୋଧ୍ୟା ଭଳି ଅନେକ ସ୍ଥାନରେ ରହି ଆସିଥିଲେ ।
ସତ୍ୟ: କ’ଣ ଏହା ସତ୍ୟ କି ନେତାଜୀ ପୁରୀ ଆସିବାକୁ ଚାହୁଁ ଥିଲେ ?
ବିଶେଷଜ୍ଞ କହିଛନ୍ତି ଯେ ତାଙ୍କୁ ପୁରୀ ଯିବା ପାଇଁ କିଛି ଲୋକ କହିଥିଲେ । କିନ୍ତୁ ନେତାଜୀ ରୋକ୍ ଠୋକ୍ ମନା କରି ଦେଇଥିଲେ । ସେ କହିଥିଲେ ସେଠାରେ ତାଙ୍କୁୁ ସମସ୍ତେ ଜାଣିଯିବେ । ତେଣୁ ସେ ପୁରୀ ଯିବାକୁ ଚାହିଁ ନଥିଲେ । ବିଶେଷଜ୍ଞ ଅନୁଜ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ପୁରୀର ଯିଏ ଶଙ୍କରାଚାର୍ଯ୍ୟ ଅଛନ୍ତି ସେ କିଛି ଦିନ ତଳେ କହିଥିଲେ ଯେ, ବସ୍ତିରେ ରହୁଥିବା ବେଳେ ଭଗୱନଙ୍କ ସହ ତାଙ୍କର ସାକ୍ଷାତକାର ହୋଇଥିଲା । ସେହି ସମୟରେ ଭଗୱନ ନିଜର ପ୍ରକୃତ ପରିଚୟ ବା ସେ ନେତାଜୀ ବୋଲି ଶଙ୍କରାଚାର୍ଯ୍ୟଙ୍କୁ କହିଥିଲେ ।ଏହି କଥା କିଛି ଦିନ ତଳେ ନିଜେ ଶଙ୍କରାଚାର୍ଯ୍ୟ ସମସ୍ତଙ୍କ ସମ୍ମୁଖରେ ସ୍ବିକାର କରିଛନ୍ତି ବୋଲି ଅନୁଜ ଧର କହିଛନ୍ତି ।