29.1 C
Bhubaneswar
Wednesday, May 1, 2024
Homeଅପରାଧଜମିବାଡ଼ି ବିବାଦରୁ ହତ୍ୟା : ସମ୍ପର୍କୀୟ ଭାଉଜର ତଣ୍ଟିକାଟିଲା ଦିଅର

ଜମିବାଡ଼ି ବିବାଦରୁ ହତ୍ୟା : ସମ୍ପର୍କୀୟ ଭାଉଜର ତଣ୍ଟିକାଟିଲା ଦିଅର

ଦେଓଗାଁ : ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ନୂଆପଡା ଗାଁ ରେ ହୋଇଥିବା ଡବଲ ମଡର ଘଟଣା ଲୋକଙ୍କ ମନରୁ ନଲିଭୁଣୁ ପୁଣି ଏକ ହତ୍ୟାକାଣ୍ଡ ତୁଷୁରା ଥାନା ମାଢେକେଲା ପଞ୍ଚାୟତ ଭୂଆଁପଡା ଗାଁରୁ ସାମ୍ନାକୁ ଆସିଛି । ଜମିବାଡ଼ି ବିବାଦକୁ ନେଇ ଭାଉଜର ତଣ୍ଟି କାଟିଛି ସମ୍ପର୍କୀୟ ଦିଅର । ମୃତ ମହିଳା ଜଣକ ହେଉଛନ୍ତି ବରଗଡ଼ ସହରରେ ଥିବା ତଳୀପଡାର ଧନବର ମାଝୀଙ୍କ ପତ୍ନୀ ସୀମାଞ୍ଜଳି ମାଝୀ(୪୦) । ଧନବର ସୀମାଞ୍ଜଳିଙ୍କୁ ପ୍ରେମ ବିବାହ କରିଥିବାବେଳେ ଦୀର୍ଘ ଦିନ ଧରି ବରଗଡ ତଳିପଡାରେ ରହିଆସୁଥିଲେ । ସୀମାଞ୍ଜଳି ଅନ୍ୟ ଏକ ଜାତିର ହୋଇଥିବାରୁ ପରିବାର ପକ୍ଷରୁ ତାଙ୍କୁ ବାସନ୍ଦ କରାଯାଇଥିଲା ।

ଏହାପରେ ମାଢେକେଲା ପଞ୍ଚାୟତର ଭୂଆଁପଡାର ଧନବରଙ୍କ ପିଉସୀଙ୍କ(ନାନା) ପୁଅ ଶିଶିଭୂଷଣ ମାଝୀ, ବିଦୁଭୁଷଣ ମାଝୀ, ଶାନ୍ତିଭୂଷଣା ମାଝୀ, ପଦ୍ମ ଭୁଷଣ ମାଝୀ, ପଣିନ୍ଦ୍ର ମାଝୀଙ୍କ ସହିତ ଦୀର୍ଘ ୨ ବର୍ଷ ହେବ ଜମି ଭାଗବଣ୍ଟାକୁ ନେଇ ବିବାଦ ଲାଗିଥିଲା । ଜମିବାଡ଼ି ବିବାଦକୁ ନେଇ ଧନବର ଓ ପତ୍ନୀ ସୀମାଞ୍ଜଳି ପୂର୍ବରୁ ତୁଷୁରା ଥାନା ଦ୍ୱାରସ୍ଥ ହୋଇଥିଲେ କିନ୍ତୁ ଏକ ମାମଲା ରୁଜୁ କରି ନୋଟିସ୍‌ରେ ଛାଡ଼ିଦେଇଥିଲେ । ଯାହା ଫଳରେ ଅଭିଯୁକ୍ତ ମାନେ ହତ୍ୟାକାଣ୍ଡ ଭଳି ଜଘନ୍ୟ କାଣ୍ଡ ଭିଆଇଛନ୍ତି ।

ଏନେଇ ତୁଷୁରା ତହସିଲ ପକ୍ଷରୁ ଆଇନ ଅନୁଯାୟୀ ଜମି ଭାଗ ବଣ୍ଟା ମଧ୍ୟ ହୋଇଥିଲା । ବୁଧବାର ସକାଳ ପ୍ରାୟ ୧୧ଟା ଗାଁ ମୁଣ୍ଡରେ ଥିବା ଉକ୍ତ ବିବାଦୀୟ ଜମିରେ ଘର ନିର୍ମାଣ କରିବା ପାଇଁ ଟ୍ରାକ୍ଟର ଯୋଗେ ବାଲି ପକାଯାଇଥିଲା । ଏହା ଦେଖିବା ପାଇଁ ବରଗଡରୁ ଧନବର ଓ ପତ୍ନୀ ସୀମାଞ୍ଜଳି ଭୂଆପଡା ଗାଁକୁ ଆସିଥିଲେ । ହେଲେ ଗାଁ ମୁଣ୍ଡରେ ଥିବା ବିବାଦୀୟ ଜମିର ରାସ୍ତାକଡରେ ଥିବା ଜାମୁକୋଳି ଗଛ ତଳେ ବିଦୁଭୂଷଣ ମାଝୀ ସହ ସୀମାଞ୍ଜଳିଙ୍କର ଖୁବ୍ ଜୋର ଯୁକ୍ତିତର୍କ ହୋଇଥିଲା । ସେଠାରେ ବିଦୁ ଏକ ବାଡିରେ ସୀମାଞ୍ଜଳିର ମୁଣ୍ଡରେ ଆଘାତ କରିବା ପରେ ଏକ ଧାରୁଆ ଛୁରିରେ ଗଳାକୁ କାଟିଦେଇଥିଲା ।

ସେତେବେଳେ ପ୍ରାଣ ବିକଳରେ ଧନବର ଘଟଣାସ୍ଥଳରୁ ପଳାୟନ କରି ତୁଷୁରା ପୁଲିସକୁ ଖବର ଦେଇଥିଲେ । ପୁଲିସ ଶବ ଜବତ କରିବା ପରେ ଘରକୁ ଯାଇ ବିଦୁଭୂଷଣକୁ କାବୁ କରିଥିବାବେଳେ ବିଦୁଭୂଷଣ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଛି । ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଛୁରିକୁ ମଧ୍ୟ ଜବତ କରିଛି ପୁଲିସ । ପୁଲିସ ଗାଁକୁ ଯାଇ ଅଧିକ ପଚରାଉଚରା କରିବା ପାଇଁ ଘର ଘରକୁ ଯାଇ କବାଟ ବାଡେଇଥିଲେ ମଧ୍ୟ କୌଣସି ଲୋକ ବାହାରକୁ ବାହାରି ନ ଥିଲେ । ହେଲେ ଜଣେ ଲୋକ ସ୍ୱାମୀ ସମ୍ମୁଖରେ ପତ୍ନୀଙ୍କୁ ହତ୍ୟା କରିଥିବା ଚର୍ଚ୍ଚାର ବିଷୟରେ ପାଲଟିଛି । ଗାଁ ଲୋକଙ୍କ ନାଁ ରେ ତୁଷୁରା ଥାନାରେ ଅଭିଯୋଗ ହୋଇଥିବାରୁ ଗାଁରେ କୋକୁଆ ଭୟ ଦେଖାଦେଇଛି । ଏହି ହତ୍ୟାକାଣ୍ଡ ରେ ଏକାଧିକ ଲୋକ ସାମିଲ ହୋଇଥିବା ସନ୍ଦେହ ହେଉଛି । ତୁଷୁରା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନାଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking