27.8 C
Bhubaneswar
Friday, April 19, 2024
Homeଓଡିଶାଆଜିଠାରୁ +୨ ପରୀକ୍ଷା ଆରମ୍ଭ : ୩ ଲକ୍ଷ ୨୧ ହଜାର ୫୦୮ ପରୀକ୍ଷାର୍ଥୀ

ଆଜିଠାରୁ +୨ ପରୀକ୍ଷା ଆରମ୍ଭ : ୩ ଲକ୍ଷ ୨୧ ହଜାର ୫୦୮ ପରୀକ୍ଷାର୍ଥୀ

ମେ’୯ରୁ ଆରମ୍ଭ ହେବ ବିଜ୍ଞାନ ଷ୍ଟ୍ରିମ୍‌
ଭୁବନେଶ୍ୱର: ୨୦୨୨-୨୩ ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ଯୁକ୍ତ ଦୁଇ କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ଥିଓରୀ ପରୀକ୍ଷା ଆଜିଠାର ଆରମ୍ଭ । ତେବେ ବିଜ୍ଞାନ ଷ୍ଟ୍ରିମ୍ ପରୀକ୍ଷା ମେ’ ୯ରୁ ଆରମ୍ଭ ହେବ । ରାଜ୍ୟର ୧୧୩୩ଟି ପରୀକ୍ଷା କେନ୍ଦ୍ରରେ ୩ ଲକ୍ଷ ୨୧ ହଜାର ୫୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେଥିରୁ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଜଣ ପରୀକ୍ଷାର୍ଥୀ ଥିବା ବେଳେ ବିଜ୍ଞାନରେ ୭୮ହଜାର ୭୭ଜଣ, ବାଣିଜ୍ୟରେ ୨୪ହଜାର ୧୩୬ ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ରହିଛନ୍ତି ।

ବାୟୋଲଜି ପରୀକ୍ଷା ଲାଗି ସମୟରେ ପରିବର୍ତ୍ତନ କରାଯାଇଛି । ଏହି ପରୀକ୍ଷା ପ୍ରଥମ ପର୍ଯ୍ୟାୟରେ ସକାଳ ୯ଟାରୁ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ବଟାନୀ ପରୀକ୍ଷା ଏବଂ ୨୦ମିନିଟ୍ ପରେ ଅର୍ଥାତ ୧୦ଟା୫୦ରୁ ପୂର୍ବାହ୍ଣ ୧୨ଟା୨୦ ପର୍ଯ୍ୟନ୍ତ ଜୁଲୋଜୀ ପରୀକ୍ଷା କରାଯିବ । ଥିଓରୀ ପ୍ରଶ୍ନପତ୍ରରେ ୫୦% ମଲ୍ଟିପୁଲ ଚଏସ୍ ପ୍ରଶ୍ନ, ୩୦% ୨/୩ମାର୍କର ପ୍ରଶ୍ନ ଏବଂ ୨୦% ୬ ମାର୍କ ବିଶିଷ୍ଟ ପ୍ରଶ୍ନ ରଖାଯିବ । କରୋନା ଏବଂ ଗ୍ରୀଷ୍ମ ପ୍ରବାହକୁ ନଜର ଦେଇ ଚଳିତ ବର୍ଷ ପରୀକ୍ଷାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ôଥମାନେ କେନ୍ଦ୍ରକୁ ପ୍ରବେଶ କରିବେ ।

ଚଳିତବର୍ଷ ପ୍ରଥମ ଥର ଲାଗି ହବ୍ ସେଣ୍ଟର ସହ +୨ ପରିଷଦ ସିଧାସଳଖ ଯୋଗାଯୋଗ ବ୍ୟବସ୍ଥା କରାଯାଇଛି । ୨୦୨ଟି ହବ୍ କେନ୍ଦ୍ରରେ ସିସି ଟିଭି ଲାଗିଥିବା ବେଳେ ହବ୍‌ରୁ କେତେ ବେଳେ ପ୍ରଶ୍ନପତ୍ର ଯିବ, ଉତ୍ତରଖାତା କିପରି ରହୁଛି ସେ ସବୁକୁ ସିଧାସଳଖ +୨ ପରିଷଦରେ ଏକ ଯାଞ୍ଚ କମିଟି ନଜର ରଖିବେ । ଆସନ୍ତାକାଲି ଉଭୟ କଳା ଓ ବାଣିଜ୍ୟ ଷ୍ଟ୍ରମିର ଓଡ଼ିଆ ବିଷୟର ପରୀକ୍ଷା ହେବ । ୧୦ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଦିଆଯିବ । ୫ମିନିଟ୍ ପୂର୍ବରୁ ଉତ୍ତରଖାତା ଦିଆଯିବ । ପରୀକ୍ଷାକେନ୍ଦ୍ରକୁ କେବଳ ଆଡମିଟ୍ କାର୍ଡ ବ୍ୟତୀତ ମୋବାଇଲ, ବହି କିମ୍ବା ଅନ୍ୟକୌଣସି ସାମଗ୍ରୀ ନେବାକୁ ଅନୁମତି ଦିଆଯିବ ନାହିଁ । ପରୀକ୍ଷାରେ ସ୍ୱଚ୍ଛତା ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ । କପି କିମ୍ବା ପରୀକ୍ଷା କେନ୍ଦ୍ରରେ ବିଶୃଙ୍ଖଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି +୨ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

+୨ ପରିଷଦର ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକଙ୍କ ସୂଚନା ଅନୁଯାୟୀ, ପରୀକ୍ଷା ପରିଚାଳନା ଦାୟିତ୍ୱରେ ରହିଥିବା ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନେ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ କେନ୍ଦ୍ରର ଏକ ସ୍ୱତନ୍ତ୍ର ସ୍ଥାନରେ ମୋବାଇଲ୍ ଦାଖଲ କରିବେ । ପରୀକ୍ଷା ଆରମ୍ଭ ହେବାର ଅଧଘଣ୍ଟା ପରେ କୌଣସି ବି ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ । ପ୍ରଥମ ଏକ ଘଣ୍ଟା ମଧ୍ୟରେ ପରୀକ୍ଷାର୍ଥୀ ଉତ୍ତର ଖାତା ଦାଖଲ କରିପାରିବେ ନାହିଁ । ସୁପରିଟେଣ୍ଡେଣ୍ଟମାନେ ପ୍ରତିଦିନ ଅତିକମ୍‌ରେ ଦୁଇ ଥର ପରୀକ୍ଷା ହଲ୍‌କୁ ଗସ୍ତ କରି ଯାଞ୍ଚ କରିବେ । ପରୀକ୍ଷାର୍ଥୀଙ୍କୁ ଗୋଟିଏ ଉତ୍ତର ଖାତା ଦିଆଯିବ, ଯାହାକି ୨୮ ପୃଷ୍ଠା ବିଶିଷ୍ଟ ରହିବ ।

କୌଣସି ବି ପରିସ୍ଥିତିରେ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ଉତ୍ତର ଖାତା ଦିଆଯିବ ନାହିଁ । ଉକ୍ତ ଖାତାର ୨୪ ଓ ୨୬ ନମ୍ବର ପୃଷ୍ଠାରେ ଗ୍ରାଫ୍ ପେପର୍ ରହିଛି । ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଡେପୁଟି ସୁପରିଟେଣ୍ଡେଣ୍ଟ ନିଯୁକ୍ତ ହେବେ । ୫୦୦ ପରୀକ୍ଷାର୍ଥୀ ଥିବା କେନ୍ଦ୍ରରେ ଜଣେ ଡେପୁଟି ସୁପରିଟେଣ୍ଡେଣ୍ଟ ରହିବେ । ସେହିପରି ୫୦୧ରୁ ୧୦୦୦ ପରୀକ୍ଷାର୍ଥୀ ଥିଲେ ଦୁଇ ଜଣ, ୧୦୦୧ରୁ ୧୨୫୦ ପରୀକ୍ଷାର୍ଥୀଙ୍କ ଲାଗି ୩ ଜଣ, ୧୨୫୧ରୁ ୧୫୦୦ ପରୀକ୍ଷାର୍ଥୀଙ୍କ ଲାଗି ୪ ଜଣ, ୧୫୦୧ରୁ ୨୦୦୦ ପରୀକ୍ଷାର୍ଥୀଙ୍କ ପାଇଁ ୫ ଜଣ ଓ ୨୦୦୧ରୁ ଅଧିକ ପରୀକ୍ଷାର୍ଥୀ ଥିବା କେନ୍ଦ୍ରରେ ୬ ଜଣ ଡେପୁଟି ସୁପରିଟେଣ୍ଡେଣ୍ଟ ନିଯୁକ୍ତ ହେବେ । ପରୀକ୍ଷା ସମୟରେ ଜଣେ ପରୀକ୍ଷାର୍ଥୀ ଅତିବେଶିରେ ୨ରୁ ୩ ମିନିଟ ପର୍ଯ୍ୟନ୍ତ ବାହାକୁ ଯିବେ । ପରିସ୍ରାଗାର ଯିବା ପୂର୍ବରୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ଯେପରି ଦାଖଲ କରିବେ ଇନ୍‌ଭିଜିଲେଟର ତାହା ସୁନିଶ୍ଚିତ କରିବେ । ଦୁଇଟି ପର୍ଯ୍ୟାୟରେ ପ୍ରଶ୍ନପତ୍ର ହବ୍‌କୁ ଯିବ । ସକାଳ ୬ଟାରୁ ୭ଟା ମଧ୍ୟରେ ପ୍ରଶ୍ନପତ୍ରଗୁଡ଼ିକୁ ପରୀକ୍ଷା କେନ୍ଦ୍ରକୁ ପଠାଯିବ ।

୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ଯେପରି ପ୍ରଶ୍ନପତ୍ର ପହଞ୍ଚିବ ପରୀକ୍ଷା ପରିଚାଳନା ହବ୍‌ର ସୁପରଭାଇଜର ତାହାର ତଦାରଖ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ମୋଟ ୪ଟି ଜୋନ୍ ଯଥା ବ୍ରହ୍ମପୁର, ସମ୍ବଲପୁର, ବାରିପଦା ଏବଂ ସେଣ୍ଟ୍ରାଲଜୋନରୁ ୭ଜଣ ଲେଖାଏଁ ସ୍କ୍ୱାର୍ଡ ସଦସ୍ୟ ପରୀକ୍ଷାକେନ୍ଦ୍ର ଯାଞ୍ଚ କରିବେ । ପ୍ରତ୍ୟେକ ପରୀକ୍ଷାକେନ୍ଦ୍ର ସମେତ ପ୍ରଶ୍ନପତ୍ର ରହୁଥିବା ଷ୍ଟ୍ରଙ୍ଗ୍‌ରୁମ୍‌, ପରୀକ୍ଷାକେନ୍ଦ୍ରର ମୁଖ୍ୟଫାଟକ ଏବଂ କରିଡୋରରେ ମଧ୍ୟ ସିସି ଟିଭି ଲଗାଯାଇଛି । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଶେଷ ହେବା ପରେ ମେ’ ୧୭ ତାରିଖ ପୂର୍ବରୁ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ଏଥର ଭାଲ୍ୟୁଏସନ ଲାଗି ସବୁ ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯିବ ନାହିଁ । ଚଳିତବର୍ଷ ଇ-ମୂଲ୍ୟାଙ୍କନ ମେରିଟଟ୍ରାକ କମ୍ପାନୀଦ୍ୱାରା କରାଯିବ ।

ଅପରପକ୍ଷେ ମୂଲ୍ୟାୟନ ନିମନ୍ତେ ଦୁଇପ୍ରକାରର ମୂଲ୍ୟାୟନ ପଦ୍ଧତି ଗ୍ରହଣ କରାଯିବ । ପ୍ରଥମଟି ହେଲା- କଲେଜ ସ୍ତରରେ ହୋଇଥିବା ଇଣ୍ଟରନାଲ୍ ପରୀକ୍ଷାରେ ଛାତ୍ରଛାତ୍ରୀ ପାଇଥିବା ମାର୍କକୁ ୨୦% ୱେଟେଜ୍ ଦିଆଯିବ । ଏଥିପାଇଁ ତିନିଟି ଇଣ୍ଟରନାଲ ପରୀକ୍ଷା ମଧ୍ୟରୁ ସର୍ବାଧିକ ମାର୍କ ପାଇଥିବା ଦୁଇଟି ପରୀକ୍ଷାକୁ ବିଚାରକୁ ନିଆଯିବ । ବୋର୍ଡ ପରୀକ୍ଷାରେ ରଖିଥିବା ନମ୍ବରକୁ ୮୦ ପ୍ରତିଶତ ୱେଟେଜ୍ ଦିଆଯିବ । ଏପରି ଉଭୟ ଇଣ୍ଟରନାଲ୍ ପରୀକ୍ଷା ଏବଂ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ୱେଟେଜ୍ ଭିତ୍ତିରେ ଫଳାଫଳ ଚୂଡ଼ାନ୍ତ କରାଯିବ । ଦ୍ୱିତୀୟଟି ହେଲା- କେବଳ ଯୁକ୍ତଦୁଇ ବୋର୍ଡ ପରୀକ୍ଷାରେ ରଖିଥିବା ନମ୍ବରକୁ ୧୦୦ ପ୍ରତିଶତ ୱେଟେଜ୍ ଦିଆଯିବ । ଉପରୋକ୍ତ ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥିରେ ଅଧିକ ମାର୍କ ରହିବ ତାହାକୁ ସମ୍ପୃକ୍ତ ବିଷୟରେ ମାର୍କ ଭାବେ ବିଚାର କରାଯିବ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking