ଜମ୍ମ: ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲ୍ଲା ସନ୍ନିକଟ ଏଲଓସି (ନିୟନ୍ତ୍ରଣ ରେଖା)ରେ ବୁଧବାର ଏକାଧିକ ଲ୍ୟାଣ୍ଡ୍ମାଇନ ବିସ୍ଫୋରଣ ଘଟିଥିବା ଜଣାପଡିଛି । ତେବେ ଗତ ସୋମବାରଠାରୁ ପାକିସ୍ତାନ ପଟେ ଲାଗିଥିବା ଜଙ୍ଗଲ ନିଆଁ ଯୋଗୁଁ ଏଭଳି ବିସ୍ଫୋରଣ ଘଟିଛି ବୋଲିି କୁହାଯାଇଛି । ଏହା ବର୍ତ୍ତମାନ ମେନ୍ଧାର ସେକ୍ଟର ପର୍ଯ୍ୟନ୍ତ ବ୍ୟାପିଥିବା ଜଣାପଡିଛି ।
ଅନୁପ୍ରବେଶ ରୋକିବାକୁ ଏଲଓସିରେ ସେନା ପକ୍ଷରୁ ଲ୍ୟାଣ୍ଡମାଇନ ବିଛାଯାଇଛି । ଜଙ୍ଗଲ ନିଆଁକୁ ଆୟତ୍ତ କରିବାକୁ ସ୍ଥାନୀୟ ପ୍ରଶାସନ ଏବଂ ସେନା ପକ୍ଷରୁ ଉଦ୍ୟମ ଜାରି ରହିଛି । ବୁଧବାର ସକାଳ ସୁଦ୍ଧା ନିଆଁକୁ ବହୁମାତ୍ରାରେ ଆୟତ୍ତ କରାଯାଇଥିଲା । ତେବେ ପବନ ବୋହିବାରୁ ନିଆଁ କ୍ରମଶଃ ବ୍ୟାପିବାରେ ଲାଗିଛି ବୋଲି କୁହାଯାଇଛି । ଅପରପକ୍ଷରେ ଅନୁପ୍ରବେଶ ଉଦ୍ୟମ ସଫଳ କରିବାକୁ ଆତଙ୍କବାଦୀମାନେ ଜଙ୍ଗଲରେ ନିଆଁ ଲଗାଇଦେଇଥିବା ଆଶଙ୍କା ମଧ୍ୟ କରାଯାଉଛି ।