42.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗନିର୍ବାଚନ ଲଢିବାକୁ ମା’ ପୁଅ ଆଗ୍ରହୀ

ନିର୍ବାଚନ ଲଢିବାକୁ ମା’ ପୁଅ ଆଗ୍ରହୀ

ଭୁବନେଶ୍ୱର,(ଓଏନଏ ): ପିପିଲି ଉପନିର୍ବାଚନ ପାଇଁ ଏଯାଏଁ ତାରିଖ ଘୋଷଣା ହୋଇନାହିଁ । ହେଲେ ନିର୍ବାଚନ ଲଢିବା ପାଇଁ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ଓ ପୁଅ ଉଭୟେ ଆଗ୍ରହୀ । ପ୍ରଥମେ ମହାରଥୀଙ୍କ ପତ୍ନୀ ପ୍ରତିଭା ନିର୍ବାଚନ ଲଢିବା ନେଇ ତାଙ୍କ ଇଚ୍ଛା ପ୍ରକାଶ କରିସାରିଥିବା ବେଳେ ଆଜି ପୁଅ ରୁଦ୍ର ମଧ୍ୟ ତାଙ୍କ ଇଚ୍ଛା ଜଣାଇଛନ୍ତି । ମା’ ଓ ପୁଅ ଉଭୟେ ଆଗ୍ରହୀ ଥିବା ସ୍ପଷ୍ଟ ହୋଇଛି । ଦଳ ମା’ କି ପୁଅ କାହାକୁ ବାଛୁଚି ତାହା ଦେଖିବା କଥା । ଅବଶ୍ୟ ପୂର୍ବରୁ ଯେତେବେଳେ ମହାରଥୀ ଥରେ ବିବାଦୀୟ ହୋଇପଡିଥିଲେ । ସେ ସମୟରେ ତାଙ୍କ ବଦଳରେ ପତ୍ନୀ ପ୍ରତିଭାଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ପୁଅ କଥା ସେତେବେଳେ ଉଠିନଥିଲା । ମହାରଥୀଙ୍କ ପାଟିରେ ବାଡବତା ରହୁନଥିବାରୁ ଦଳ ତାଙ୍କ ସ୍ଥାନରେ ପତ୍ନୀଙ୍କୁ ଆଣିବା ପାଇଁ ଚାହୁଁଥିବା କୁହାଯାଉଥିଲା । କିନ୍ତୁ ନିର୍ବାଚନ ସମୟରେ ପୁଅ ରୁଦ୍ର ବାପାଙ୍କ ସହ ବୁଲୁଥିବା ଦେଖାଯାଇଥିଲା ।
ଆଜି ମହାରଥୀଙ୍କ ପୁଅ ରୁଦ୍ର ଗଣମାଧ୍ୟମକୁ ଦେଇଥିବା ସୂଚନାରେ ତାଙ୍କ ଇଚ୍ଛା ପ୍ରକଟ କରିଛନ୍ତି । ସେ କହିଛନ୍ତି, ଦଳ ଯାହା ନିଷ୍ପତ୍ତି ନେବ ତାକୁ ସେ ସମର୍ଥନ କରିବେ । ଦଳ ପକ୍ଷରୁ ଯାହା ଆଦେଶ ଆସିବେ ଉଭୟେ ସେ ଓ ତାଙ୍କ ମା’ ପାଳନ କରିବେ । ତାଙ୍କର ବି ନିର୍ବାଚନ ପରିଚାଳନା କରିବା ଅଭିଜ୍ଞତା ରହିଛି । ବାପାଙ୍କ ସହ ଦୁଇଟି ନିର୍ବାଚନ ସେ ବୁଲିଥିବା କହିଛନ୍ତି । ତାଙ୍କ ମା’ ଙ୍କର ବି ଅଭିଜ୍ଞତା ରହିଥିବା ସେ ଦର୍ଶାଇଛନ୍ତି । ମାଟିର ଉନ୍ନତି ପାଇଁ ସର୍ବଦା ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ରୁଦ୍ରଙ୍କ ଏହି କଥାରୁ ସ୍ପଷ୍ଟ ହୋଇଯାଇଛି ଯେ, ମା’ଙ୍କ ପରି ସେ ମଧ୍ୟ ନିର୍ବାଚନରେ ଲଢିବା ପାଇଁ ପ୍ରସ୍ତୁତ ଅଛନ୍ତି । ଦଳ ଯଦି ତାଙ୍କୁ ଟିକଟ ଦିଏ ସେ ଲଢିବେ । ରୁଦ୍ର କହିଲେ ନାହିଁ ଯେ, ଦଳ ତାଙ୍କ ମା’ଙ୍କୁ ଟିକଟ ଦେଉ । ତାଙ୍କର ନିର୍ବାଚନ ଲଢିବାର ନାହିଁ । ଏକଥା ନକହିଥିବାରୁ ଏବଂ ଦଳ ଯାହାକୁ କହିବ ସେ ଲଢିବେ ବୋଲି ମତ ଦେବା ସହ ନିର୍ବାଚନ ଅଭିଜ୍ଞତା ସଂପର୍କରେ କହିବା ପରେ ତାଙ୍କ ଇଚ୍ଛା ସ୍ପଷ୍ଟ ହୋଇଯାଇଛି ।
ଆଜି ସେ ଏନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ଏ ବିଷୟରେ ଆମର କିଛି କହିବାର ନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ, ଯାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । କିଛି ଦିନ ପୂର୍ବରୁ ମହାରଥୀଙ୍କ ପତ୍ନି ପ୍ରତିଭା ଗଣମାଧ୍ୟମକୁ କହିଥିଲେ ଯେ, ତାଙ୍କୁ ସୁଯୋଗ ମିଳିଲେ ସେ ନିହାତି ଖୁସି ହେବେ । ନିର୍ବାଚନ ଏକ ପ୍ରକ୍ରିୟା । ପ୍ରାର୍ଥୀ ଚୟନ ସଂପର୍କରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ । ବିଜେଡି ସୁପ୍ରିମୋ ଯାହାକୁ ଚାହିଁବେ ମୁଁ ଗ୍ରହଣ କରିବି । ସେତେବେଳେ ସେ ମଧ୍ୟ କହିନଥିଲେ ଯେ, ତାଙ୍କୁ ନୁହେଁ ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରାଯାଉ । ପ୍ରାର୍ଥୀ ହେବା ପାଇଁ ତାଙ୍କ ନିଜର ଇଚ୍ଛା ରହିଥିବା ଜଣାଇଥିଲେ ।
     ଏଣୁ ଉଭୟେ ମା’ ପୁଅଙ୍କର ଟିକଟ ପାଇବା ପାଇଁ ଆଗ୍ରହ ଥିବାରୁ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହାକୁ ବାଛୁଛନ୍ତି ତାହା ଦେଖିବା କଥା । ପିପିଲି ନିର୍ବାଚନ ମଣ୍ଡଳୀର ଯାହା ସ୍ଥିତି ସେଥିରେ ମହାରଥୀଙ୍କ ପରିବାରକୁ ଛାଡି ଅନ୍ୟ କାହାକୁ ପ୍ରାର୍ଥୀ କଲେ ସେ ଜିତିବା କଷ୍ଟକର ହୋଇପାରେ ବୋଲି କୁହାଯାଉଛି । ଏଣୁ ମହାରଥୀଙ୍କ ପରିବାରରୁ ପ୍ରାର୍ଥୀ କରାଯିବା ସମ୍ଭାବନା ଯଥେଷ୍ଟ ଅଧିକ ଥିବାରୁ ସୁପ୍ରିମୋ କାହାକୁ ବାଛୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking