37.1 C
Bhubaneswar
Thursday, March 28, 2024
Homeଓଡିଶାଧାନ କିଣା ସମସ୍ୟା ନେଇ ରାଜ୍ୟପାଳଙ୍କୁ ଭେଟିଲେ ପିସିସି କିଷାନ କଂଗ୍ରେସ ପ୍ରତିନିଧି ମଣ୍ଡଳୀ

ଧାନ କିଣା ସମସ୍ୟା ନେଇ ରାଜ୍ୟପାଳଙ୍କୁ ଭେଟିଲେ ପିସିସି କିଷାନ କଂଗ୍ରେସ ପ୍ରତିନିଧି ମଣ୍ଡଳୀ

-ସରକାର ଚାଷୀଙ୍କଠାରୁ ସିଧାସଳଖ ସବୁ ବଳକା ଧାନ କିଣନ୍ତୁ

-ତୁତନ୍ତ ସମାଧାନ ନ ହେଲେ ରାଜ ରାସ୍ତାରେ ଲଢ଼େଇ ହେବ 

ଭୁବନେଶ୍ୱର: ରାଜ୍ୟ ସରକାର ଚାଷୀଙ୍କର ସବୁ ବଳକା ଧାନ କିଣିବେ ବୋଲି ଡିଣ୍ଡିମ ପିଟୁଥିବା ବେଳେ ପଶ୍ଚିମ, ଦକ୍ଷିଣ ଓଡ଼ିଶାର
ଜିଲ୍ଲାଗୁଡ଼ିକରେ ହଜାର ହଜାର ବସ୍ତା ଧାନ ମଣ୍ଡିରେ ଓ ଖଳାରେ ପଡ଼ି ରହିଛି । ଟୋକନ ଦିଆଯାଇଥିବା ବେଳେ ଆବଶ୍ୟକ ମୁତାବକ ଟାର୍ଗେଟ
ଦିଆଯାଉନାହିଁ । ମଣ୍ଡି ବନ୍ଦ ହେବାକୁ ଗଲାଣି । ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ପ୍ରତି ବସ୍ତା ପିଚ୍ଛା ୫ରୁ ୭ କେଜି କଟନି ଛଟନି କରାଯାଉଛି ।
ଏଣୁ ଏହାର ତୁରନ୍ତ ପ୍ରତିକାର ପାଇଁ ଆଜି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ
୧୧ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ ଆଲୋଚନା କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶାର ମୁଖ୍ୟ ଫସଲ
ଧାନ । ଧାନ ଚାଷ ଉପରେ ପ୍ରାୟ ୯୦ ପ୍ରତିଶତ ଚାଷୀ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଏଠାରେ ଏକ କ୍ୱିଂଟାଲ ଧାନ ଉତ୍ପାଦନରେ ପ୍ରାୟ୨୪୦୦ଟଙ୍କା ଖର୍ଚ୍ଚ
କରିବାକୁ ପଡିଥାଏ । କିନ୍ତୁ କେନ୍ଦ୍ର ସରକାରଙ୍କଦ୍ୱାରା ପ୍ରଣୀତ ସାଧାରଣ ଧାନ କ୍ୱିଂଟାଲ ପିଚ୍ଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ଟଙ୍କା ଧାର୍ଯ୍ୟ
କରାଯାଇଛି । ଫଳରେ ଚାଷୀ ପ୍ରତି କ୍ୱିଂଟାଲ ପିଚ୍ଛା ବର୍ତମାନ ଧାନରେ ୫୩୨ଟଙ୍କା କ୍ଷତି ସହୁଛନ୍ତି । ସ୍ୱାମୀନାଥନ କମିଟି ସୁପାରିଷ ଆଧାରରେ କୃଷି
ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ମୂଲ୍ୟ ବୃଦ୍ଧି କରାଯିବା ପାଇଁ ବହୁ ପୂର୍ବରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ତଦନୁଯାୟୀ ଏହାକୁ
ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ବିଧାନସଭାରେ ସର୍ବସମ୍ମତିକ୍ରମେ ଧାନ କ୍ୱିଂଟାଲ ପିଚ୍ଛା ୨୯୩୦ଟଙ୍କାକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର
ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଦୁଃର୍ଭାଗ୍ୟର ବିଷୟ, ଆଜି ପର୍ଯ୍ୟନ୍ତ ଏହାର ସହାୟକ ମୂଲ୍ୟ ବୃଦ୍ଧି କରାଗଲା ନାହିଁ । ପଡ଼ୋଶୀ ଛତିଶଗଡ଼
ସରକାର ଧାନ କ୍ୱିଂଟାଲ ପିଚ୍ଛା ଚାଷୀଙ୍କୁ ୫୦୦ ଟଙ୍କା ବୋନସ୍ ଓ କେରଳ ସରକାର ପ୍ରତି କ୍ୱିଂଟାଲ ପିଚ୍ଛା ଚାଷୀଙ୍କୁ ୯୦୦ ଟଙ୍କା ବୋନସ୍ ଦେଉଥିବା
ବେଳେ ଆମ ରାଜ୍ୟ ସରକାର ଚାଷୀଙ୍କୁ ଏମଏସପି ଉପରେ କୌଣସି ସହାୟତା ଦେଉ ନାହାନ୍ତି । ଅପରପକ୍ଷରେ ଓଡ଼ିଶା ରାଜ୍ୟରେ ଜଳ ସେଚିତ
ଅଂଚଳରୁ ପ୍ରତି ଏକର ପିଚ୍ଛା ୩୦ରୁ ୩୫ କ୍ୱିଂଟାଲ ଧାନ ଓ ଅଣଜଳସେଚିତ ଅଂଚଳରୁ ପ୍ରତି ଏକର ପିଚ୍ଛା ୧୮ରୁ ୨୨ କ୍ୱିଂଟାଲ ପର୍ଯ୍ୟନ୍ତ ଧାନ
ଉତ୍ପାଦନ ହେଉଛି । କିନ୍ତୁ ରାଜ୍ୟ ସରକାର ଜଳସେଚିତ ଅଂଚଳରୁ ପ୍ରତି ଏକର ପିଚ୍ଛା ୧୯କ୍ୱିଂଟାଲ, ଅଣଜଳସେଚିତ ଅଂଚଳରୁ ୧୩ କ୍ୱିଂଟାଲ ଧାନ
କିଣିବା ଦ୍ୱାରା ଚାଷୀ ତାଙ୍କର ବଳକା ଧାନ ବିକିବାରେ ବହୁ କ୍ଷତି ସହୁଛନ୍ତି । ରାଜ୍ୟ ସରକାର୨୦୨୦ ଖରିପ୍ ଓ ୨୦୨୦-୨୧ ରବିଧାନ ମୋଟ୍‌
୮୨ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ବର୍ତମାନ ପାଖାପାଖି ୪୨ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଥିବା ବେଳେ
ଆଉ ଅବଶିଷ୍ଠାଂଶ ଧାନ କ୍ରୟ କରାଯାଇ ନାହିଁ । ଅତ୍ୟନ୍ତ କ୍ଷୋଭର ବିଷୟ ଏହି ସମୟରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କଠାରୁ ପ୍ରାୟ ୨୧ ଲକ୍ଷ
ମେଟ୍ରିକ୍ ଟନ୍ ଚାଉଳ କ୍ରୟ କରିବେ ନାହିଁ ବୋଲି ଓଡ଼ିଶା ସରକାରଙ୍କୁ ଅବଗତ କରିଛନ୍ତି । ନିର୍ଦ୍ଧାରିତ ସମୟରେ ମଣ୍ଡି ନ ଖୋଲିବା ଏବଂ ଚାଷୀର
ବଳକା ଧାନ କିଣା ନ ଯିବା ହେତୁ ଚାଷୀ ବର୍ତମାନ ତାଙ୍କର ଧାନକୁ ବାଧ୍ୟ ହୋଇ କ୍ୱିଂଟାଲ ପ୍ରତି ୧୨ଶହ ୧୩ଶହ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ
ହେଉଛନ୍ତି । ଅଭାବୀ ବିକ୍ରି ରୋକିବାରେ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରିବା ଚାଷୀଙ୍କ ମୁଣ୍ଡ ବ୍ୟଥାର ମୁଖ୍ୟ କାରଣ ହୋଇଛି । ପ୍ରକୃତରେ
ସରକାର ଧାନ କିଣୁଛନ୍ତି ନା ମିଲରଙ୍କ ମର୍ଜିରେ କଳାବଜାରୀ କରାଯାଉଛି ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
ଗତ ୧ମାସ ମଧ୍ୟରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ତରଫରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ କିଷାନ କଂଗ୍ରେସର ଏକ ପ୍ରତିନିଧି
ମଣ୍ଡଳୀ ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ବାଲେଶ୍ୱର, କୋରାପୁଟ ପ୍ରଭୃତି ଜିଲ୍ଲାଗୁଡ଼ିକର ଧାନ ମଣ୍ଡି ପରିଦର୍ଶନ
ସମୟରେ ଧାନର ଅଭାବୀ ବିକ୍ରି, କଟନି ଛଟନି, ଟୋକନ୍ ସମସ୍ୟା, ନିର୍ଦ୍ଧାରିତ ସମୟରେ ମଣ୍ଡି ନ ଖୋଲାଯିବା ଏବଂ ଚାଷୀଙ୍କ ଖାତାକୁ ତତ୍‌କ୍ଷଣାତ୍‌
ଧାନର ଟଙ୍କା ଦିଆ ନ ଯାଉଥିବା ଯୋଗୁଁ ଉପସ୍ଥିତ ଚାଷୀମାନେ ଅଭିଯୋଗ କରିଥିଲେ ବୋଲି କିଷାନ କଂଗ୍ରେସ ଅଭିଯୋଗ କରିଛି । ଏହାର ସମାଧାନ
ପାଇଁ ଚାଷୀଙ୍କଠାରୁ ସମସ୍ତ ବଳକା ଧାନ ସରକାର ଯୁଦ୍ଧକାଳୀନ ଭିତିରେ କିଣିବା ଓ ଧାନ କ୍ୱିଂଟାଲ ପିଚ୍ଛା ଏମଏସପି ଉପରେ ରାଜ୍ୟ ସରକାର ୫୦୦
ଟଙ୍କା ବୋନସ୍ ଦେବା ପାଇଁ କିଷାନ କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି । ଯଦି ସରକାର ଅବିଳମ୍ବେ ଏହାର ସମାଧାନ ନ କରନ୍ତି, ଆଗାମୀ ଦିନରେ
କିଷାନ କଂଗ୍ରେସ ପକ୍ଷରୁ ସବୁ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ମହାମହିମ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରି ସରକାରଙ୍କୁ
ଚେତାବନୀ ଦେଇଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ସୁବାସ ରାଉତ, ସାଇ ପ୍ରସାଦ ପାତ୍ର, ଯଶୋଦା ନନ୍ଦନ ସିଂହ, ସଦାନନ୍ଦ ଓଝା, ନିତ୍ୟାନନ୍ଦ ପଣ୍ଡା,
ରମେଶ ଦଳାଇ, ମାନଭଞ୍ଜନ ପ୍ରଧାନ, ସୁଶାନ୍ତ କୁମାର ସେଠୀ, ଗଙ୍ଗାଧର ଖଟୁଆ, ସୁଜିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking