42.1 C
Bhubaneswar
Saturday, April 27, 2024
Homeଓଡିଶାପଲିଥିନ ତଳେ ବିତୁଛି ଜୀବନ : ସରକାରୀ ଯୋଜନା ଅପହଞ୍ଚ

ପଲିଥିନ ତଳେ ବିତୁଛି ଜୀବନ : ସରକାରୀ ଯୋଜନା ଅପହଞ୍ଚ

ମୋରଡ଼ା : ଗରିବ ଲୋକଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା । କିନ୍ତୁ ସବୁ ଯୋଜନା ଯେମିତି ମୂଲ୍ୟହୀନ ହୋଇପଡିଛି । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍ ଅମର୍ଦା ଗ୍ରାମପଞ୍ଚାୟତର ଭାଲିଆଗଡିଆ ଗାଁ’ରେ ରହୁଥିବା ଚାରି ପରିବାର ପାଖରେ । ଗ୍ରାମର ପ୍ରଭାକର ବେହେରା, ଭାସ୍କର ବେହେରା, ନମିତା ପାତ୍ର ଓ ମନୋରଞ୍ଜନ ସେଠୀଙ୍କ ଆବାସ ଘର ଖଣ୍ଡିଏ ନଥିବାରୁ ପଲିଥିନ ତଳେ ଏବେ ଜୀବନ ବିତୁଛି । ଅଭାବୀ ଅନଟନରେ ଚାଲିଛି ପରିବାର । ଯେଉଁଠି ଦିନକୁ ତିନିଓଳି ଖାଦ୍ୟ ଯୋଗାଡିବା ମୁସ୍କିଲ ହୋଇଯାଏ, ସେଠି ଘର କରିବା ଏମାନଙ୍କ ପକ୍ଷେ ସତେ ଯେମିତି ଦିବା ସ୍ୱପ୍ନ । ଘର ଖଣ୍ଡେ ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭକରି ବ୍ଲକ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ଥକି ପଡ଼ିଛନ୍ତି ।

ଗରିବଙ୍କୁ ଜମି ଅଧିକାର ପ୍ରଦାନ କରିବା ସହିତ ଯୋଗ୍ୟ ହିତାଧିକାରୀମାନଙ୍କୁ ଚୟନକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସରକାର ସବୁବେଳେ ତତ୍ପର । କିନ୍ତୁ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି ଭାଲିଆଗଡିଆ ଗାଁ’ରେ । ମନୋରଞ୍ଜନ ସେଠୀଙ୍କ ପରିବାର କହିଲେ ସ୍ତ୍ରୀ ଉର୍ମିଲା ସେଠୀ ଓ ତିନି ଝିଅ । ମନୋରଞ୍ଜନ ଜଣେ ଦିବ୍ୟାଙ୍ଗ । ତେଣୁ ସେ କିଛି କାମ କରିପାରନ୍ତି ନାହିଁ, ଘର ଚଳାଇବା ନିର୍ଭର କରେ ସ୍ତ୍ରୀ ଉର୍ମିଲା ଉପରେ । ଉର୍ମିଲା ଜଣେ ଦିନ ମଜୁରିଆ ଭାବେ ଯାହା ଆଣନ୍ତି ସେଇଥିରେ ପରିବାର ଚଳେ । ଯେଉଁ ଦିନ କାମକୁ ଯାଇପାରନ୍ତି ନାହିଁ ସେ ଦିନ ଉପାସରେ ରୁହନ୍ତି । କୁନି କୁନି ଝିଅଙ୍କୁ ମୁଢ଼ି ସହ ଲଙ୍କା ଖାଇବାକୁ ଦେଇ ନିଜେ ଭୋକରେ ରହୁଛନ୍ତି ଉର୍ମିଳା । ସରକାରୀ ସ୍ତରରେ ଘର ଖଣ୍ଡେ ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ କେହି ଶୁଣିନଥିଲେ । ବାଧ୍ୟ ହୋଇ ପଲିଥିନ, ପାଲ, ଝୁମ୍ପୁଡି, ଝାଟିମାଟି ଘରେ ଅତ୍ୟନ୍ତ ଦୟନୀୟ ପରିବେଶରେ ସେ ରହୁଛନ୍ତି ।
ଆଉ ଜଣେ ହେଲେ ନମିତା ପାତ୍ର । ନମିତାଙ୍କ ପରିବାର କହିଲେ ଦୁଇ ଛୋଟ ଛୋଟ ପିଲା ଓ ସ୍ୱାମୀ ପରିତ୍ୟକ୍ତା ନମିତା । ନମିତା କାମକୁ ଗଲେ ପିଲାଙ୍କ ପେଟ ପୁରେ । ନମିତା ବାରମ୍ବାର ଭୂମିହୀନ ଥିବାରୁ ସରକାରୀ ଜମି ପାଇ ଆବେଦନ କରିଥିଲେ ସୁଦ୍ଧା ନା ମିଳିଛି ସରକାରୀ ଜାଗା ନା ମିଳିଛି ସରକାରୀ ଘର । ଗ୍ରାମବାସୀମାନେ ନମିତାଙ୍କ ଦୁଃଖ ଦେଖି ଗ୍ରାମ୍ୟଜଙ୍ଗଲ ଜାଗାରେ ଗୋଟିଏ ଘର କରିବାକୁ ଅନୁମତି ଦେବା ସହ ଘର ପାଇଁ ସାହାଯ୍ୟ କରିଛନ୍ତି । ତେବେ ଝାଟିମାଟି ଘରେ ବାଧ୍ୟ ହୋଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦୁଇ କୁନି କୁନି ଛୁଆଙ୍କୁ ନେଇ ରହୁଛନ୍ତି ନମିତା । ଠିକ୍ ସେହିପରି ଉକ୍ତ ଗ୍ରାମର ପ୍ରଭାକର ବେହେରା ଓ ଭାସ୍କର ବେହେରା ଦୀର୍ଘ ବର୍ଷ ଧରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ରାସଗୋବିନ୍ଦପୁର ବିଡ଼ିଓ ଓ ଗାଁ’ ଅମର୍ଦା ସରପଞ୍ଚଙ୍କୁ ନିଜର ଦୁଃଖ ଆକୁଳ ନିବେଦନ ଜଣାଇଥିଲେ ମଧ୍ୟ କିଛି ଲାଭ ହୋଇନଥିବା କହିଛନ୍ତି ପରିବାର ଲୋକେ ।

ଭାଲିଆଗଡିଆ ଗ୍ରାମରେ ଥିଲାବାଲାକୁ ସରକାରୀ ଜମି ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁଥିବା ଅଭିଯୋଗ ହୋଇଛି । ଭାଲିଆଗଡ଼ିଆ ଗାଁ’ ସହିତ ଗାଁ’ ଅମର୍ଦା ଗ୍ରାମ ପଞ୍ଚାୟତରେ ଏବେ ସୁଦ୍ଧା ବହୁ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପାଇବାରୁ ବଞ୍ଚିତ ରହିଛନ୍ତି । ତେବେ ସରକାରଙ୍କ ଏହି ଆବାସ ଯୋଜନା ପ୍ରକୃତ ଗରିବ ହିତାଧିକାରୀମାନଙ୍କ ନିକଟରେ ପହଞ୍ଚିପାରୁ ନଥିବାରୁ ଲୋକମାନେ ବାଧ୍ୟ ହୋଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଯାଳୟଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ଧାଇଁ ମଧ୍ୟ କିଛି ସୁଫଳ ପାଇପାରୁନାହାନ୍ତି । ସରକାର ମାଳମାଳ ଯୋଜନାର ଡିଣ୍ଡିମ ପିଟୁଥିବା ବେଳେ ଏଠାରେ ପ୍ରହସନ ପାଲଟିଯାଇଛି ବୋଲି ବିଭିନ୍ନ ମହଳରେ ମତପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking