ପାରାଦୀପ: ପାରାଦୀପ ସମୁଦ୍ରରେ ଖସିପଡ଼ିଲା ଯାତ୍ରୀବାହୀ ବିମାନ । ଦୁର୍ଘଟଣାଗ୍ରସ୍ତ ବିମାନ ଧକ୍କାରେ କ୍ଷତିଗ୍ରସ୍ତ ହେଲା ବିଶାଳ ଜାହାଜ । କୌଣସି ସତ ଦୁର୍ଘଟଣା ନୁହେଁ, ଏଭଳି ଏକ କାଳ୍ପନିକ ଦୁର୍ଘଟଣାର ଉଦ୍ଧାରକାର୍ୟ୍ୟ ଅଭ୍ୟାସ କରିଛି ଭାରତୀୟ ତଟରକ୍ଷୀ ବାହିନୀ । ପାରାଦୀପ ତଟରେ ୧୨ତମ ଜାତୀୟ ସାମୁଦ୍ରିକ ସର୍ଚ୍ଚ ଆଣ୍ଡ୍ ରେସ୍କ୍ୟୁ ଏକ୍ସର୍ସାଇଜ-ସାରେକ୍ସ ୨୦୨୬ରେ ଦେଖିବାକୁ ମିଳିଛି ରୋମାଞ୍ଚକର ଦୃଶ୍ୟ । ସମୁଦ୍ରରେ ବଡ଼ ଧରଣର ଦୁର୍ଘଟଣା ହେଲେ କିପରି ଦ୍ରୁତ ଓ ସମନ୍ୱିତ ଉଦ୍ଧାର କରାଯାଇପାରିବ, ତାହା ପରୀକ୍ଷା କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଜାତୀୟ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ବୋର୍ଡର ତତ୍ତ୍ୱାବଧାନରେ ଏହି ଅଭ୍ୟାସ ହୋଇଛି । ସମୁଦ୍ର ଅଭ୍ୟାସରେ ଏକ ବଡ଼ ଉଦ୍ଧାର ଅପରେସନର ଦୃଶ୍ୟ କଳ୍ପନା କରାଯାଇଥିଲା ।
ପରିକଳ୍ପିତ ଘଟଣାରେ ୨୨୮ ଯାତ୍ରୀ ଥିବା ଏକ ଯାତ୍ରୀବାହୀ ବିମାନ ପାରାଦୀପ ବନ୍ଦର ନିକଟରେ ସମୁଦ୍ରରେ ଖସି ପଡ଼ିଥିଲା । ତା’ପରେ ବିମାନର ଫ୍ୟୁଜଲେଜ୍ କଣ୍ଟେନର ଜାହାଜ ଏମ୍ଭି ଜୁମ୍ବାକୁ ଧକ୍କା ମାରି ଢାଞ୍ଚାଗତ କ୍ଷତି କରିଥିଲା ଓ ଜାହାଜରେ ନିଆଁ ଲାଗିଥିଲା । ତଟରକ୍ଷୀ ବାହିନୀ, ନୌସେନା, ବାୟୁସେନା, ସିପିଂ କର୍ପୋରେସନ ଅଫ୍ ଇଣ୍ଡିଆ, ଡିଜି ସିପିଂ, ମରାଇନ୍ ପୋଲିସ୍, ପାରାଦୀପ ବନ୍ଦର ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ପ୍ରଶାସନ ଏଥିରେ ଯୋଗ ଦେଇଥିଲେ। ୩୦ଟି ଦେଶର ୩୨ ଜଣ ପର୍ୟ୍ୟବେକ୍ଷକ ମଧ୍ୟ ଉପସ୍ଥିତ ଥି ଲେ। ଅଭ୍ୟାସରେ ୧୫ଟି ତଟରକ୍ଷୀ ଜାହାଜ, ୩ଟି ଡର୍ନିଅର ବିମାନ, ୩ଟି ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର, ଗୋଟିଏ ଚେତକ୍ ହେଲିକପ୍ଟର, ବାୟୁସେନାର ସି-୧୩୦ଜେ ଓ ଏମଆଇ-୧୭ ବିମାନ, ଦୁଇଟି ନୌସେନା ଜାହାଜ ମୁତୟନ ହୋଇଥିଲା ।










