29.1 C
Bhubaneswar
Monday, May 6, 2024
Homeଓଡିଶାପୁରୁଷ ହକି ବିଶ୍ୱକପ୍‌: ଜର୍ମାନୀ ଓ ୱେଲ୍ସ ଦଳର ଆଗମନ

ପୁରୁଷ ହକି ବିଶ୍ୱକପ୍‌: ଜର୍ମାନୀ ଓ ୱେଲ୍ସ ଦଳର ଆଗମନ

ଭୁବନେଶ୍ୱର: ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌କୁ ସପ୍ତାହେରୁ ବି କମ୍ ସମୟ ବାକି ଥିବା ବେଳେ ଏଥିରେ ଭାଗ ନେବାକୁ ଥିବା ଟିମ୍‌ଗୁଡ଼ିକର ଆଗମନ ପ୍ରକ୍ରିୟା ଜାରି ରହିଛି । ଶୁକ୍ରବାର ସୁଦ୍ଧା ଆୟୋଜକ ଭାରତ ସମେତ ୧୦ଟି ଟିମ୍ ଏଠାରେ ପହଞ୍ଚିସାରିଥିବା ବେଳେ ଶନିବାର ଆଉ ଦୁଇଟି ଟିମ୍ ଏଠାକାର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏହି ଦୁଇଟି ଟିମ୍ ହେଲେ ଗତ ସଂସ୍କରଣରେ ପଞ୍ଚମ ସ୍ଥାନରେ ରହିଥିବା ଜର୍ମାନୀ ଓ ୱେଲ୍ସ । ଜର୍ମାନୀ ଦଳ ଏଠାରେ ପହଞ୍ଚିବା ପରେ ସଦସ୍ୟମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଦଳର ଅଧିନାୟକ ମ୍ୟାଟ୍ସ ଗ୍ରାମ୍ବୁସ୍କ କହିଛନ୍ତି ଯେ ଗତ ଅଲିମ୍ପିକ୍ ପରେ ଆମ ସହ ନୂଆ କୋଚ୍ ଯୋଡ଼ି ହୋଇଛନ୍ତି । ତାଙ୍କ ସହ ଆମେ ଦୀର୍ଘ ୮ ମାସ ହେଲା ବିଶ୍ୱକପ୍ ସକାଶେ ପ୍ରସ୍ତୁତି କରିଛୁ । ଗତ ବର୍ଷକ ମଧ୍ୟରେ ଆମେ ୧୮ଟିରୁ ୧୩ଟି ମ୍ୟାଚ୍‌ରେ ବିଜୟୀ ହୋଇଛୁ । ବିଶ୍ୱକପ୍‌ରେ ଏହି ସଫଳତାକୁ କାଏମ କରିବା ଲକ୍ଷ୍ୟ ନେଇ ଆମେ ଏଠାରେ ପହଞ୍ଚିଥିବା ଅଧିନାୟକ କହିଛନ୍ତି । ଗତ ସଂସ୍କରଣରେ ଏଠାକାର କଳିଙ୍ଗ ଷ୍ଟାଡିୟମ୍‌ରେ ଦଳ ପଞ୍ଚମ ସ୍ଥାନରେ ରହିଥିଲେ ମଧ୍ୟ ଏଥର ଏହି ପ୍ରଦର୍ଶନରେ ଯଥେଷ୍ଟ ସୁଧାର କରିପାରିବା ନେଇ ଅଧିନାୟକ ଆଶାବାଦୀ ଅଛନ୍ତି । ସ୍ପେନ୍‌ରେ ଷଡ଼ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ୍ ଖେଳି ଦଳର ସଦସ୍ୟମାନେ ଯଥେଷ୍ଟ ଅଭିଜ୍ଞତା ହାସଲ କରିଛନ୍ତି । ଆମକୁ କେତେଗୁଡ଼ିଏ କ୍ଷେତ୍ରରେ ଉନ୍ନତି ଆଣିବାକୁ ପଡ଼ିବ । କିନ୍ତୁ ଆମେ ବିଶ୍ୱକପ୍ ପରି ମହାକୁମ୍ଭରେ ଅଭିଯାନ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ବୋଲି ଗ୍ରାମ୍ବୁସ୍କ କହିଛନ୍ତି । ମୁଖ୍ୟ କୋଚ୍ ଆଣ୍ଡ୍ରେ ହେନିଙ୍ଗ୍ ଦଳର ସଦସ୍ୟମାନଙ୍କ ମାନସିକ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେବାକୁ ଯାଇ କହିଛନ୍ତି ଯେ ବିଶ୍ୱକପ୍ ସକାଶେ ପ୍ରସ୍ତୁତି ବେଳେ ସେମାନେ ଏକାଧିକ ଦିଗ ଉପରେ ଫୋକସ୍ କରିଛନ୍ତି । ସେମାନଙ୍କ ଦକ୍ଷତା ଉପରେ ମୋର ଭରସା ରହିଛି । ଆମେ ଡିଫେନ୍ସ ବିଭାଗକୁ ଅଧିକ ଶକ୍ତିଶାଳୀ କରିାବ ସହ ଖେଳାଳିମାନଙ୍କ ମଧ୍ୟରେ ଉନ୍ନତ ସମନ୍ୱୟ ସ୍ଥାପିତ ହୋଇପାରିଛି । ଖେଳାଳିମାନଙ୍କ ପାଖରେ ରଣକୌଶଳକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ଉପଯୁକ୍ତ ଦକ୍ଷତା ମଧ୍ୟ ରହିଛି । ତେଣୁ ବିଶ୍ୱକପ୍‌ରେ ଆମର ପ୍ରଦର୍ଶନ ନିଶ୍ଚିତ ଭାବେ ଅନ୍ୟମାନଙ୍କୁ ପ୍ରଭାବିତ କରିବ ବୋଲି ହେନିଙ୍ଗ୍ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ସେହିପରି ତାଙ୍କ ଦଳ ଗତ ବର୍ଷେ ହେଲା ଉନ୍ନତ ପ୍ରଦର୍ଶନ କରିଆସୁଥିବାରୁ ଏଠାରେ ଏହାର ପୁନରାବୃତ୍ତି କରିବ ବୋଲି ସେ କହିଛନ୍ତି । ଗତ ବର୍ଷ ଦଳ ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ରେ ୧୩ଟି ମ୍ୟାଚ୍‌ରେ ବିଜୟୀ ହୋଇଥିଲା । ଫଳସ୍ୱରୂପ ଗତ ବର୍ଷ ଦଳ ଏଫ୍‌ଆଇଏଚ୍ ର‌୍ୟାଙ୍କିଙ୍ଗ୍‌ରେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଥିଲା । ଆଗାମୀ ବିଶ୍ୱକପ୍‌ରେ ଆମେ ନିଶ୍ଚିତ ଭାବେ ସେମିଫାଇନାଲ୍‌ରେ ପହଞ୍ଚିପାରିବୁ ବୋଲି ହେନିଙ୍ଗ୍ କହିବା ସହ ଏଠାରେ ବିଶ୍ୱକପ୍ ଚାମ୍ପିଅନ୍ ହେବା ଖେଳାଳିମାନଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି । ପ୍ରତିଯୋଗିତାରେ ଦଳ ପୁଲ୍‌-ବି’ରେ ସ୍ଥାନ ପାଇଥିବା ବେଳେ ଆସନ୍ତା ୧୪ ତାରିଖରେ ଏହା ଜାପାନ ବିପକ୍ଷରେ ଏଠାକାର କଳିଙ୍ଗ ଷ୍ଟାଡିୟମ୍‌ରେ ତା’ର ଅଭିଯାନ ଆରମ୍ଭ କରିବ । ଏହାପରେ ଏହି ଦୁଇ ଥରର ଚାମ୍ପିଅନ୍ ଟିମ୍ ଗ୍ରୁପ୍ ପର୍ଯ୍ୟାୟରେ ବେଲଜିୟମ୍ ଓ କୋରିଆକୁ ମଧ୍ୟ ଭେଟିବ । ସେହିପରି ଶୁକ୍ରବାର ଏଠାରେ ପହଞ୍ଚିଥିବା ୭ଟି ଦଳ ମଧ୍ୟରୁ ନ୍ୟୁଜିଲାଣ୍ଡ୍ ଓ ମାଲେସିଆ ଶନିବାର ରାଉରକେଲାରେ ପହଞ୍ଚିଛନ୍ତି । ତା’ଛଡ଼ା ରବିବାର ଫ୍ରାନ୍ସ, ସ୍ପେନ୍ ଓ ସାଉଥ୍ କୋରିଆ ଦଳ ଏଠାରେ ପହଞ୍ଚିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking