33.1 C
Bhubaneswar
Friday, April 26, 2024
Homeଖେଳମାଥ୍ୟୁଜ୍ ଦ୍ୱିଶତକରୁ ବଞ୍ଚିତ, ଶ୍ରୀଲଙ୍କା ୩୯୭

ମାଥ୍ୟୁଜ୍ ଦ୍ୱିଶତକରୁ ବଞ୍ଚିତ, ଶ୍ରୀଲଙ୍କା ୩୯୭

ଚଟ୍ଟୋଗ୍ରାମ: ଏଠାରେ ଘରୋଇ ବାଂଲାଦେଶ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ୍‌ର ଦ୍ୱିତୀୟ ଦିନରେ ଭ୍ରମଣକାରୀ ଶ୍ରୀଲଙ୍କା ତା’ର ପ୍ରଥମ ଇନିଂସରେ ୩୯୭ ରନ୍ କରିଛି । ପୂର୍ବତନ ଅଧିନାୟକ ଆଞ୍ଜେଲୋ ମାଥ୍ୟୁଜ୍‌ଙ୍କ ୧୯୯ ରନ୍‌ର ଇନିଂସକୁ ଆଧାର କରି ଦଳ ଏହି ରନ୍ କରିବା ପରେ ବାଂଲାଦେଶ ସୋମବାର ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ବିନା କୌଣସି କ୍ଷତିରେ ୭୬ ରନ୍ କରିଛି । ମହମ୍ମଦୁଲ୍ ହସନ୍ ଜୟ ୫ଟି ଚୌକା ସହ ୩୧ ଓ ତାମିମ୍ ଇକ୍‌ବାଲ୍ ୪ଟି ଚୌକା ସହ ୩୫ ରନ୍ କରି ଅପରାଜିତ ଅଛନ୍ତି ।

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୧୧୪ ରନ୍‌ରେ ଅପରାଜିତ ଥିବା ମାଥ୍ୟୁଜ୍ ଦ୍ୱିତୀୟ ଦିନରେ ବି ଦମ୍‌ଦାର ବ୍ୟାଟିଂ ଜାରି ରଖିଥିଲେ । କିନ୍ତୁ ସେ ୧୯ଟି ଚୌକା ଓ ଗୋଟିଏ ଛକା ସହ ୧୯୯ ରନ୍ କରିଥିବା ସମୟରେ ଆଉଟ୍ ହୋଇଯାଇଥିଲେ । ଫଳରେ ସେ ତାଙ୍କ ଟେଷ୍ଟ୍ କ୍ୟାରିୟର୍‌ର ଦ୍ୱିତୀୟ ଦ୍ୱିଶତକରୁ ବଞ୍ଚିତ ହୋଇଥିଲେ । ଏଥିସହ ସେ ଶ୍ରୀଲଙ୍କାର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଭାବେ ମାତ୍ର ୧ ରନ୍‌ରେ ଦ୍ୱିଶତକରୁ ବଞ୍ଚିତ ହୋଇଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ।

ତା’ଛଡ଼ା ସେ ବିଶ୍ୱର ଦ୍ୱାଦଶ ଖେଳାଳି ଭାବେ ଏପରି ଦୁର୍ଭାଗ୍ୟର ଶିକାର ହୋଇଛନ୍ତି । ପୂର୍ବରୁ ପାକିସ୍ତାନର ମୁଦ୍ଦସର୍ ନଜର୍ ଓ ୟୁନିସ୍ ଖାନ୍‌, ଭାରତର ମହମ୍ମଦ ଆଝାରୁଦ୍ଦିନ୍ ଓ ଲୋକେଶ ରାହୁଲ୍‌, ଇଂଲଣ୍ଡର ମାଥ୍ୟୁ ଇଲିଅଟ୍‌, ଇଆନ୍ ବେଲ୍‌, ଶ୍ରୀଲଙ୍କାର ସନତ୍ ଜୟସୂରିୟା, ଅଷ୍ଟ୍ରେଲିଆର ଷ୍ଟିଭ୍ ୱ’ ଓ ଷ୍ଟିଭେନ୍ ସ୍ମିଥ୍ ଏବଂ ସାଉଥ୍ ଆଫ୍ରିକାର ଡିନ୍ ଏଲଗାର ଓ ଫାଫ୍ ଡୁପ୍ଲେସିସ୍ ମଧ୍ୟ ଟେଷ୍ଟ୍ କ୍ରିକେଟ୍‌ରେ ୧୯୯ ରନ୍‌ରେ ଆଉଟ୍ ହୋଇସାରିଛନ୍ତି । ମାଥ୍ୟୁଜ୍‌ଙ୍କ ବ୍ୟତୀତ ଦୀନେଶ ଚାଣ୍ଡିମାଲ୍ ୨ଟି ଚୌକା ଓ ୩ଟି ଛକା ସହ ୬୬ ରନ୍ କରିଥିବା ବେଳେ ଆଉ କେହି ବିଶେଷ ଅବଦାନ ଦେଇପାରି ନ ଥିଲେ । ବାଂଲାଦେଶ ପକ୍ଷରୁ ସ୍ପିନର୍ ନୟୀମ୍ ହସନ୍ ମାଥ୍ୟୁଜ୍‌ଙ୍କ ସମେତ ୬ ଜଣ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking