39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଶିବଲିଙ୍ଗ ସ୍ଥାନ ସିଲ୍ କରିବାକୁ କୋର୍ଟ ନିର୍ଦ୍ଦେଶ

ଶିବଲିଙ୍ଗ ସ୍ଥାନ ସିଲ୍ କରିବାକୁ କୋର୍ଟ ନିର୍ଦ୍ଦେଶ

ବାରାଣସୀ: ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଉତ୍ତରପ୍ରଦେଶର ବାରାଣସୀ ସହରରେ ଥିବା ବିବାଦୀୟ ଜ୍ଞାନବାପୀ ମସ୍‌ଜିଦରେ ବିଗତ ତିନିଦିନ ଧରି ଚାଲିଥିବା ଭିଡିଓଗ୍ରାଫିି କାର୍ଯ୍ୟ ସୋମବାର ଶେଷ ହୋଇଛି । ଉକ୍ତ ମସ୍‌ଜିଦ ପରିସରରେ ଥିବା ଏକ ପୁଷ୍କରିଣୀରୁ ଶିବଲିଙ୍ଗ ମିଳିଛି ବୋଲି ହିନ୍ଦୁ ସପକ୍ଷବାଦୀଙ୍କ ତରଫରୁ ମାମଲା ଲଢୁଥିବା ଓକିଲ ସୁବାସ ନନ୍ଦନ ଚତୁର୍ବେଦୀ ଦାବି କରିଛନ୍ତି । ପୁଷ୍କରିଣୀରୁ ପାଣି ନିଷ୍କାସିତ କରାଯିବାପରେ ଶିବଲିଙ୍ଗ ଦୃଶ୍ୟମାନ ହୋଇଥିବା ସେ କହିଛନ୍ତି । ଉକ୍ତ ଶିବଲିଙ୍ଗର ଉଚ୍ଚତା ୧୨ ଫୁଟ ଓ ଗୋଲେଇ ୮ ଇଞ୍ଚ୍ ବୋଲି କୁହାଯାଇଛି । ଏହି ପରିପ୍ରେକ୍ଷୀରେ ଶିବଲିଙ୍ଗ ଠାବ କରାଯାଇଥିବା ସ୍ଥାନକୁ ତୁରନ୍ତ ସିଲ୍ କରିବାକୁ ବାରାଣସୀ ଅଦାଲତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଉକ୍ତ ସ୍ଥାନକୁ କେହି ଯେପରି ପ୍ରବେଶ ନ କରନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ କୋର୍ଟ ବାରାଣସୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶିବଲିଙ୍ଗ ମିଳିଥିବା ସମ୍ପର୍କରେ ସୂଚନା ପାଇବାପରେ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ବେଶ ଉତ୍ସାହିତ ହୋଇପଡିଛନ୍ତି ।

ବୁଦ୍ଧ ପୂର୍ଣ୍ଣିମା ଅବସରରେ ମସ୍‌ଜିଦ ପରିସରରେ ବାବା ମହାଦେବଙ୍କର ସନ୍ଧାନ ମିଳିଛି ବୋଲି ସେ ଟ୍ୱିଟରରେ ମତବ୍ୟକ୍ତ କରିଛନ୍ତି । ଏହାର ଜବାବରେ ଏଆଇଏମ୍‌ଆଇଏମ୍ ନେତା ଆସାଉଦ୍ଦିନ ଓୱେସି କହିଛନ୍ତି ଯେ ଜ୍ଞାନବାପୀ ସବୁବେଳେ ମସ୍‌ଜିଦ ରହିଥିଲା ଏବଂ ସବୁବେଳେ ରହିବ ମଧ୍ୟ ।  ଅପରପକ୍ଷରେ ହିନ୍ଦୁ ଗୋଷ୍ଠୀଙ୍କ ଏହି ଦାବିକୁ ବିପକ୍ଷ ମୁସଲମାନ ଗୋଷ୍ଠୀ ଖଣ୍ଡନ କରିଛନ୍ତି । ଏଭଳି ଦାବି ନିହାତି ଅଯୁକ୍ତିକର ବୋଲି ମୁସଲମାନ ଗୋଷ୍ଠୀର ଓକିଲ ମୀରାଜୁଦ୍ଦିନ କହିଛନ୍ତି । ଏପରିକି ଚିତ୍ର ଉତ୍ତୋଳନ ସମୟରେ କୌଣସି ଶିବଲିଙ୍ଗ ଠାବ ହୋଇନାହିଁ ବୋଲି ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଭିଡିଓଗ୍ରାଫର ଗଣେଷ ଶର୍ମା ସ୍ପଷ୍ଟ କରିଛନ୍ତି । ଜିଲ୍ଲାପାଳ କୌଶଲ ରାଜ ଶର୍ମା ମଧ୍ୟ ଶିବଲିଙ୍ଗ ଠାବ ହୋଇଥିବା ସମ୍ବାଦକୁ ସ୍ୱୀକାର କରିନାହାନ୍ତି ।

ସର୍ଭେ ସମୟରେ ମସ୍‌ଜିଦ ପରିସରରୁ ମିଳିଥିବା ସାମଗ୍ରୀ କିମ୍ବା ଦସ୍ତାବିଜ୍ ସମ୍ପର୍କରେ କାହାରିକୁ ଅବଗତ କରାଯାଇ ନଥିବାରୁ ଶିବଲିଙ୍ଗ ଠାବ ହେବାର ପ୍ରଶ୍ନ ଉଠୁଛି କେଉଁଠୁ ବୋଲି ସେ କହିଛନ୍ତି । ମିଳିଥିବା ସମସ୍ତ ତଥ୍ୟ ପ୍ରମାଣ ବର୍ତ୍ତମାନ କୋର୍ଟଙ୍କ ହେପାଜତରେ ରହିଥିବା ସେ କହିଛନ୍ତି । ରବିବାର ସର୍ଭେ ସମୟରେ କମିଶନ୍‌ର ଜଣେ ସଦସ୍ୟ କିଛି ସମୟ ବାହାରକୁ ଯାଇଥିବାବେଳେ ଗଣମାଧ୍ୟମକୁ କିଛି ତଥ୍ୟ ଦେଇଛନ୍ତି । ତେବେ ଏହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମତ ହୋଇଥିବାରୁ ଏହାକୁ ସରକାରୀଭାବେ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ସର୍ଭେ କମିଶନଙ୍କ ପକ୍ଷରୁ ଆସନ୍ତାକାଲି (ମଙ୍ଗଳବାର) କୋର୍ଟରେ ସବୁ ତଥ୍ୟ ଦାଖଲ କରାଯିବ ବୋଲି ଜଣାପଡିଛି । ଯଦି ଧାର୍ଯ୍ୟ ସମୟ ମଧ୍ୟରେ ରିପୋର୍ଟ ପ୍ରସ୍ତୁତି କାର୍ଯ୍ୟ ଶେଷ ନହୁଏ, ତେବେ ଅଧିକ ସମୟ ଦେବାକୁ କୋର୍ଟଙ୍କୁ ଅନୁରୋଧ କରାଯିବ ବୋଲି ସରକାରୀ ଓକିଲ ମହେନ୍ଦ୍ର ପ୍ରସାଦ ପାଣ୍ଡେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking