ମାଲକାନଗିରି : କରୋନା ମହାମାରୀ ସମ୍ପ୍ରତି ସାରା ଦେଶରେ ନିଜର କାୟା ବିସ୍ତାର କରି ଚାଲିଛି । ଏହି ମହାମାରୀକୁ ମାତ୍ ଦେବାପାଇଁ ଡାକ୍ତରଙ୍କଠାରୁ ଆରମ୍ଭ କରି ସ୍ୱାସ୍ଥ୍ଥ୍ୟକର୍ମୀ, ଆଶା କର୍ମୀ ଓ ଅଙ୍ଗନୱାଡି କର୍ମି ଅହରହ ନିଜର ସଂଗ୍ରାମ ଜାରି ରଖିଛନ୍ତି । ଏଭଳି ଘଡ଼ିସନ୍ଧି ସମୟରେ ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲ୍ଲାର ଦୁର୍ଗମ ବଣ୍ଡା ଘାଟିର ଦାନ୍ତିପଡା ଗ୍ରାମରେ ଲୋକଙ୍କୁ ସଚେତନ କରାଇବା ସହ ନିଜର ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇବା ପାଇଁ ନିଜେ ଗର୍ଭବତୀ ସତ୍ତ୍ୱେ ଅହରହ ନିଜର କାର୍ଯ୍ୟ ଜାରି ରଖିଛନ୍ତି ଆଶା କର୍ମୀ ଗୁରୁବାରି ମାନ୍ଦ୍ରା । ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟି ସମୁଦ୍ର ପତନଠାରୁ ପ୍ରାୟ ୫ ହଜାରଫୁଟ ଉପରେ ରହିଛି । ଏହି ସ୍ଥାନରେ ବସବାସ କରନ୍ତି ଏହି ଆଦିମ ବଣ୍ଡା ଜନଜାତିର ଲୋକେ । ତେବେ ଏଠାରେ ମଧ୍ୟ ବର୍ତ୍ତମାନ କରୋନାର କାୟା ବିସ୍ତାର ହୋଇ ଚାଲିଛି ।
ବଣ୍ଡାଘାଟି ସ୍ଥିତ ମୁଦୁଲିପଡା ପଞ୍ଚାୟତ ଅନ୍ତର୍ଗତ ଦାନ୍ତିପଡା ଗ୍ରାମର ଗୁରୁବାରି ମାନ୍ଦ୍ରା ନାମକ ଏହି ଆଶାକର୍ମୀ ଏବେ ୬ ମାସର ଗର୍ଭବତୀ । ଏହା ସତ୍ତ୍ୱେ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଇବା ସହ ନିଜ ଅଞ୍ଚଳର ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ ଜାରି ରଖିଛନ୍ତି । ଏଥିପାଇଁ ଗୁରୁବାରୀ ନିଜ ଅଞ୍ଚଳରେ ବେଶ ପରିଚିତ ରହିଛନ୍ତି । ଏହି ଦୁର୍ଗମ ଅଞ୍ଚଳରେ ଲୋକଙ୍କ ପାଖକୁ ଚାଲି ଚାଲି ଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ଲୋକଙ୍କ ଶରୀର ଅସୁସ୍ଥ ହେଲେ ତାଙ୍କୁ ଔଷଧ ପ୍ରଦାନ କରିବା, ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ଆଦି ସମସ୍ତ କାର୍ଯ୍ୟ କରି ଆସୁଛନ୍ତି । ଏଥିପାଇଁ ସେ ନିଜ ଅଞ୍ଚଳରେ ବେଶ୍ ପ୍ରଶଂସାର ପାତ୍ର ମଧ୍ୟ ହୋଇ ପାରିଛନ୍ତି ।