ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି, ଯଦି ବୁଧବାର ସୁଦ୍ଧା ଇରାନ ସହିତ ଏକ ଚୁକ୍ତି ନହୁଏ, ତେବେ ଆମେରିକା ପୁଣି ଥରେ ବୋମାମାଡ଼ କରିପାରେ। ସେ କହିଛନ୍ତି ଯେ, ବର୍ତ୍ତମାନର ଅସ୍ତ୍ରବିରତିକୁ ବୃଦ୍ଧି କରାଯାଇପାରିବ କିମ୍ବା ସମାପ୍ତ ମଧ୍ୟ କରାଯାଇପାରିବ । ଫୋନିକ୍ସରୁ ୱାସିଂଟନ ଫେରିବା ସମୟରେ ଟ୍ରମ୍ପ ଏୟାର ଫୋର୍ସ ୱାନରେ ସାମ୍ବାଦିକମାନଙ୍କୁ ଏଭଳି ବିବୃତି ଦେଇଛନ୍ତି। ଏପ୍ରିଲ ୮ ତାରିଖରେ ସ୍ୱାକ୍ଷରିତ ହୋଇଥିବା ଆମେରିକା-ଇରାନ ଅସ୍ତ୍ରବିରତି ଏପ୍ରିଲ ୨୨ ତାରିଖରେ ଶେଷ ହେବାକୁ ଯାଉଛି। ଟ୍ରମ୍ପ କହିଛନ୍ତି, ମୁଁ ଅସ୍ତ୍ରବିରତି ବୃଦ୍ଧି ନ କରିପାରେ, କିନ୍ତୁ ଇରାନର ବନ୍ଦରଗୁଡ଼ିକ ଉପରେ ଅବରୋଧ ଜାରି ରହିବ । ଏପରି ହେଲେ ଆମକୁ ପୁଣି ଥରେ ବୋମା ମାଡ଼ କରିବାକୁ ପଡ଼ିପାରେ। ଏହି ବିବୃତି ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଅଧାରେ ରହିଛି । ଦୁଇ ଦେଶ ମଧ୍ୟରେ ଆଲୋଚନା ପାକିସ୍ତାନରେ ହୋଇଥିଲା, କିନ୍ତୁ ଏହାର କୌଣସି ଠୋସ୍ ଫଳାଫଳ ମିଳିନଥିଲା । ଏବେ ଦୁଇଦେଶ ସୋମବାର ପୁଣି ଭେଟ ହେବାକୁ ଯାଉଥିବା କୁହାଯାଉଛି। ଟ୍ରମ୍ପ କହିଛନ୍ତି ଆଗକୁ ଭଲ ଖବର ଆସୁଛି। ୨୦ ମିନିଟ୍ ପୂର୍ବରୁ ସକାରାତ୍ମକ ଖବର ଆସିଛି। ଲାଗୁଛି ମଧ୍ୟପ୍ରାଚ୍ୟରେ ଇରାନ ସହିତ ଆଲୋଚନା ଆଗକୁ ବଢୁଛି ।










