ରାୟଗଡ଼ା: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣିଙ୍କ ଦାନ ହୁଣ୍ଡୀ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଖୋଲାଯାଇଛି। ହୁଣ୍ଡୀ ଖୋଲିବା ପରେ ସେଥିରୁ ପୁଳା ପୁଳା ଟଙ୍କା ସହ ସୁନା ଓ ବିଭିନ୍ନ ଅଳଙ୍କାର ବାହାରିଥିବା ଦେଖିବାକୁ ମିଳିଛି।ମନ୍ଦିର ପରିସରରେ ଥିବା ସମୁଦାୟ ୯ଟି ହୁଣ୍ଡୀରୁ ମିଳିଥିବା ଟଙ୍କା, ସୁନା, ରୁପା ଓ ଅନ୍ୟାନ୍ୟ ଅଳଙ୍କାରର ଗଣତି କାର୍ଯ୍ୟ ଜାରି ରହିଛି। ଏହି ଗଣତି କାର୍ଯ୍ୟରେ ମନ୍ଦିର କମିଟିର ସଦସ୍ୟଙ୍କ ସହ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ବ୍ୟାଙ୍କ କର୍ମଚାରୀମାନେ ଉପସ୍ଥିତ ଅଛନ୍ତି। ଗଣତି କାର୍ଯ୍ୟ ଶେଷ ହେବା ବେଳକୁ ଆଜି ରାତି ପ୍ରାୟ ୭ଟା ହେବାର ସମ୍ଭାବନା ରହିଛି।ସୂଚନାଯୋଗ୍ୟ, ଗତ ଜୁନ୍ ମାସରେ ମା’ ମଝିଘରିଆଣିଙ୍କ ଦାନ ହୁଣ୍ଡୀ ଖୋଲାଯାଇଥିଲା। ସେତେବେଳେ ହୁଣ୍ଡୀରୁ ମୋଟ ୧ କୋଟି ୨୨ ଲକ୍ଷ ୨୯ ହଜାର ୬୨୩ ଟଙ୍କା, ୨୨ ଗ୍ରାମ ସୁନା, ୧ କିଲୋ ୩୦୦ ଗ୍ରାମ ରୁପା ଏବଂ ୯ଟି ବିଦେଶୀ ନୋଟ ମିଳିଥିଲା।ଚଳିତ ଥର ହୁଣ୍ଡୀରୁ କେତେ ପରିମାଣର ଦାନ ରାଶି, ସୁନା ଓ ରୁପା ମିଳିଛି, ଗଣତି ଶେଷ ହେବା ପରେ ଏହାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ।










