କୋରାପୁଟ: କୋରାପୁଟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ବର୍ଷା ହୋଇଛି । ଜିଲ୍ଲାରେ ସମୁଦାୟ ୩୨୯.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ଜଣାପଡ଼ିଛି । ଜିଲ୍ଲାର ହାରାହାରି ବର୍ଷା ପରିମାଣ ୨୩.୫୪ ମିଲିମିଟର ରହିଛି । ଜିଲ୍ଲା ଜରୁରୀକାଳୀନ ବିଭାଗର ତଥ୍ୟ ଅନୁସାରେ, ଜୟପୁର ବ୍ଲକରେ ସର୍ବାଧିକ ୪୩.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ବୋରାଇପରିଗୁଡ଼ା ବ୍ଲକରେ ୪୩ ମିଲିମିଟର, ସେମିଳିଗୁଡ଼ା ବ୍ଲକରେ ୩୯.୪ ମିଲିମିଟର ଏବଂ କୋଟପାଡ଼ ବ୍ଲକରେ ୩୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଲଗାତାର ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହେବାର ଆଶଙ୍କା ରହିଛି । ତଳିଆ ଅଞ୍ଚଳରେ ଜଳ ଜମିବା ସହ ନଦୀନାଳର ଜଳସ୍ତର ବଢ଼ିବା ନେଇ ମଧ୍ୟ ଚିନ୍ତା ବଢ଼ିଛି । ଏପଟେ ଅଧିକ ବର୍ଷାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଉଛି । ଆଗକୁ ଆହୁରି ବର୍ଷା ହେଲେ କୋରାପୁଟର ବିଭିନ୍ନ ଅଞ୍ଚଳରେ ସ୍ଥିତି ଅଧିକ ଗମ୍ଭୀର ହୋଇପାରେ ।










