ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉଜବେକିସ୍ତାନରେ ସର୍ବୋଚ୍ଚ ନାଗରିକ ସମ୍ମାନ ମିଳିବା ଉପରେ ଅସଦୁଦ୍ଦିନ ଓୱେସି ବିଜେପି ଏବଂ ଆରଏସଏସକୁ କଡ଼ା ସମାଲୋଚନା କରିଛନ୍ତି। ଏଆଇଏମଆଇଏମ ନେତା କହିଛନ୍ତି,ବିଜେପିକୁ ଅଭିନନ୍ଦନ ଯେ ବାବରଙ୍କ ଦେଶ, ଯାହାଙ୍କ ନାମରେ ସେମାନେ ଗାଳି ଦେଉଥିଲେ, ସେହି ଦେଶ ପ୍ରଧାନମନ୍ତ୍ରୀଙ୍କୁ ଏହି ପୁରସ୍କାର ଦେଇଛି। ବାବର ଯେଉଁ ଦେଶରୁ ଭାରତ ଆସିଥିଲେ, ସେହି ଦେଶରୁ ପ୍ରଧାନମନ୍ତ୍ରୀଙ୍କୁ ଏବେ ପୁରସ୍କାର ମିଳିଛି। ଫର୍ଗାନା ଉପତ୍ୟକା ଉଜବେକିସ୍ତାନରେ ଅଛି। ପ୍ରଧାନମନ୍ତ୍ରୀ ଯେଉଁଠାକୁ ଯାଆନ୍ତି ସେଠାକୁ ପୁରସ୍କାର ନେଇ ଆସିଥାନ୍ତି।ଆପଣଙ୍କୁ ମଧ୍ୟ ଅଭିନନ୍ଦନ ବୋଲି ସେ କହିଛନ୍ତି। ରବିବାର ତାସକେଣ୍ଟରେ, ଉଜବେକିସ୍ତାନର ରାଷ୍ଟ୍ରପତି ଶଭକତ ମିର୍ଜିୟୋୟେଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଦେଶର ସର୍ବୋଚ୍ଚ ବନ୍ଧୁତା ପୁରସ୍କାର ‘ଓଲି ଦାରାଜଲି ଦୋସ୍ତଲିକ୍’ରେ ସମ୍ମାନିତ କରିଥିଲେ। ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସି ଆରଏସଏସକୁ ଏହାକୁ ନେଇ ଚିନ୍ତା କରିବାକୁ ଅନୁରୋଧ କରିଛନ୍ତି ଯେ, ବିଜେପି ବାବରଙ୍କ ନାମରେ ଆମକୁ ଗାଳି ଦେଉଥିଲା। ଆଶା କରୁଛି ଦଳ ଏପରି କରିବା ବନ୍ଦ କରିବ। ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ୩୫ ରୁ ଅଧିକ ଦେଶ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେମାନଙ୍କର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି।










