ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଶୁକ୍ରବାର କହିଛନ୍ତି, ଆର୍ଏସ୍ଏସ୍ର ରୁଟ୍ ମାର୍ଚ୍ଚରେ ଅଂଶଗ୍ରହଣ କରିବା ପାଇଁ ଦୁଇ ଜଣ ସରକାରୀ ସ୍କୁଲ ଶିକ୍ଷକଙ୍କୁ ନିଲମ୍ବନ କରି କର୍ଣ୍ଣାଟକ ସରକାର ପ୍ରତିଶୋଧ ପରାୟଣତା ପ୍ରଦର୍ଶନ କରିଛନ୍ତି। ଯୋଶୀ ନିଲମ୍ବିତ ଶିକ୍ଷକଙ୍କ ଉପରୁ କାର୍ୟ୍ୟାନୁଷ୍ଠାନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। କେନ୍ଦ୍ରମନ୍ତ୍ରୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସରକାରଙ୍କ ପ୍ରାଥମିକତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଯୋଶୀ କହିଛନ୍ତି ଯେ, କର୍ଣ୍ଣାଟକ ଲୋକସେବା ଆୟୋଗରେ ହୋଇଥିବା ବଡ଼ଧରଣର ଅନିୟମିତତା ମାମଲାରେ ଗିରଫ ହୋଇଥିବା ଆଇଏଏସ୍ ଅଧିକାରୀ ଜ୍ଞାନେନ୍ଦ୍ର କୁମାର ଗଙ୍ଗୱାରଙ୍କୁ ଖୋଜିବା ଉପରେ ରାଜ୍ୟ ସରକାର ଧ୍ୟାନ ଦେବା ଉଚିତ।
ଯୋଶୀ କହିଛନ୍ତି ଯେ, ଦୁଇ ଶିକ୍ଷକଙ୍କ ନିଲମ୍ବନ କୋର୍ଟରେ ତିଷ୍ଠିପାରିବ ନାହିଁ ଓ ସରକାର ‘ପ୍ରତିଶୋଧପରାୟଣ’ ହୋଇ କାର୍ୟ୍ୟ କରୁଛି ବୋଲି ଅଭିଯୋଗ କରିଛନ୍ତି। ବିଜେପି ବିଧାୟକ ମହେଶ ତେଙ୍ଗିନକାଇ ମଧ୍ୟ ରାଜ୍ୟ ସରକାରଙ୍କ କାର୍ୟ୍ୟାନୁଷ୍ଠାନକୁ ସମାଲୋଚନା କରି ଏହାକୁ ଅତ୍ୟନ୍ତ ଆପତ୍ତିଜନକ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ଏବଂ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ହୁବାଲିଠାରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତାରେ ଯୋଶୀ କର୍ଣ୍ଣାଟକ ସରକାରଙ୍କ କାର୍ୟ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ଶିକ୍ଷା ବିଭାଗ ୟାଦଗି ଜିଲ୍ଲାର ଦୁଇ ଜଣ ଶିକ୍ଷକ ଗୁରୁରାଜ ଯୋଶୀ ଓ ଆନ୍ନା ସାହେବ ଦେଶମୁଖଙ୍କୁ ଆର୍ଏସ୍ଏସ୍ ରୁଟ୍ ମାର୍ଚ୍ଚରେ ଯୋଗଦେବାରୁ ନିଲମ୍ବିତ କରିଥିଲା ଯାହାର ବିଭାଗୀୟ ତଦନ୍ତ ପର୍ୟ୍ୟନ୍ତ ଥିଲା। ଆର୍ଏସ୍ଏସ୍ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କର୍ଣ୍ଣାଟକ ସିଭିଲ୍ ସର୍ଭିସେସ୍ (ଆଚରଣ) ନିୟମ, ୨୦୨୧ ର ବ୍ୟବସ୍ଥା ଉଲ୍ଲଂଘନ କରୁଛି ବୋଲି କୁହାଯାଇଥିଲା।










