ଭୁବନେଶ୍ୱର: ଓଡ଼ିଶାରେ ଅତ୍ୟଧିକ ଖଣି ଖନନକୁ ନେଇ ଉଦବେଗ ପ୍ରକାଶ କଲେ ପୂର୍ବତନ ପ୍ରଶାସକ, ବୁଦ୍ଧିଜୀବୀ, ପରିବେଶବିତ ଓ ସାମ୍ବାଦିକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ବାସଭବନରେ ଭେଟି ଆଲୋଚନା କରିବା ସହ ଦାବିପତ୍ର ଦେଇଛନ୍ତି ସିଭିଲ ସୋସାଇଟି ସଦସ୍ୟ । ବିଭିନ୍ନ ସଂସ୍ଥାକୁ ଦିଆଯାଇଥିବା ମାଇନିଙ୍ଗ ସମ୍ପର୍କିତ ଅନୁମତିକୁ ତୁରନ୍ତ ଫ୍ରିଜ କରିବାକୁ ଦାବି କରିଛନ୍ତି । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବଢ଼ୁଥିବା ଖଣି ଖନନ, ବିଶେଷକରି ବକ୍ସାଇଟ ମାଇନିଙ୍ଗ ନେଇ ଚିନ୍ତା ପ୍ରକାଶ କରିଛନ୍ତି ପରିବେଶବିତ୍, ଅବସରପ୍ରାପ୍ତ ଅଧ୍ୟାପକ, ଗବେଷକ, ସ୍ତମ୍ଭକାର ଓ ସାମାଜିକ ସଚେତନ ନାଗରିକମାନେ ।ଖଣିଜ ସମ୍ପଦର ଅତ୍ୟଧିକ ଉତ୍ତୋଳନ ଦ୍ୱାରା ଜଙ୍ଗଲ, ଜଳସମ୍ପଦ, ଜୈବ ବିବିଧତା ଓ ଆଦିବାସୀ ସମୁଦାୟଙ୍କ ଜୀବିକା ଉପରେ ଗୁରୁତର ପ୍ରଭାବ ପଡ଼ିବାର ଆଶଙ୍କା ବ୍ୟକ୍ତ କରି ଏକ ସ୍ୱତନ୍ତ୍ର ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ।










