ଭୁବନେଶ୍ୱର : ବିଧାନସଭା ଅଧିବେଶନ ପୂର୍ବରୁ ଗୃହରେ ବିରୋଧୀଙ୍କୁ ମୁକାବିଲା କରିବା ନେଇ ରଣନୀତି ପ୍ରସ୍ତୁତ କରିବାକୁ ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା । ହେଲେ ବୈଠକରେ ଆଲୋଚନା ହେବା ତାହା ତ ପଛର କଥା । ବୈଠକରେ ବିଧାୟକଙ୍କର ଅସନ୍ତୋଷ ଦେଖିବାକୁ ମିଳିଥିଲା । କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ କହିଛନ୍ତି , ଆମେ ଶାସକ ଦଳର ବିଧାୟକ , ହେଲେ ଆମ ଏରିଆ ପାଇଁ କିଛି କାମ କରିପାରୁନୁ । କାର୍ଯ୍ୟକର୍ତ୍ତା ଥିଲୁ ଭଲ ଥିଲୁ । ବିଧାୟକ ହୋଇ କିଛି ଲାଭ ନାହିଁ । ଏଭଳି କହି ବୈଠକରେ କ୍ଷୋଭ ପ୍ରକାଶ କରିଛନ୍ତି । ବୈଠକରେ କେବଳ ଲକ୍ଷ୍ମଣ ବାଗ ନୁହନ୍ତି , ୫ରୁ ୬ ଜଣ ବିଧାୟକ ଅଭିଯୋଗ ଆଣିଥିଲେ । ଏହାପରେ ଦଳର ସଭାପତି ମନମୋହନ ସାମଲ ନିଜର ବକ୍ତବ୍ୟ ରଖିଥିଲେ । କହିଲେ , ଦଳର କାର୍ଯ୍ୟକର୍ତ୍ତା ହୋଇ ରହିବାକୁ ଚାହୁଁଛ ତେବେ ଇସ୍ତଫା ଦିଅ , ଆମେ ଉପନିର୍ବାଚନ କରିବୁ । ବିଧାୟକ ହୋଇ ଏମିତି ହୁଅ ନାହିଁ । ତେବେ ବୈଠକରେ ବିଧାୟକମାନେ କହିଥିଲେ ଆମେ ମନ୍ତ୍ରୀଙ୍କୁ ଯଦି କୌଣସି କାମ କରିବାକୁ ଚିଠା ଦେଉଛୁ କେହି ଶୁଣୁନାହାନ୍ତି । ଲୋକଙ୍କ କାମ ହେଉନି । ମନ୍ତ୍ରୀମାନେ କେବଳ ନିଜ ଇଚ୍ଛା ପୂରଣ କରୁଛନ୍ତି । ବିଧାୟକମାନଙ୍କୁ ପଚାରୁ ନାହାନ୍ତି । ବହୁ ବିଧାୟକ ମନ୍ତ୍ରୀମାନଙ୍କୁ ଟାର୍ଗେଟ କରୁଥିବା ଦେଖି ମୁଖ୍ୟମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିଥିଲେ । କହିଲେ ଆମେ ନୂତନ ସରକାର । ପ୍ରଥମ ଥର ପାଇଁ ସରକାର ଗଠନ କରିଛୁ । ଆପଣ ଲୋକଙ୍କ ସହ ଭଲରେ ମିଶି ସବୁ କାମ କରନ୍ତୁ । ତେବେ ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱସ୍ତିକର କଥାରେ ବିଧାୟକମାନେ ଶାନ୍ତ ହୋଇଥିଲେ । ହେଲେ ଦଳ ସଭାପତିଙ୍କ କଟାକ୍ଷ ବିଧାୟକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି ।