40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଲାଲୁଙ୍କ ଦୁଇ ଝିଅ ଲଢ଼ିବେ ଲୋକସଭା ନିର୍ବାଚନ

ଲାଲୁଙ୍କ ଦୁଇ ଝିଅ ଲଢ଼ିବେ ଲୋକସଭା ନିର୍ବାଚନ

ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଦୁଇ ଝିଅ ମିସା ଭାରତୀ ଏବଂ ରୋହିଣୀ ଆଚାର୍ଯ୍ୟ ଆରଜେଡିରୁ ଲୋକସଭା ନିର୍ବାଚନ ଲଢ଼ିବେ । ଏମିତି କିଛି ସୂଚନା ଏବେ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଲାଲୁ ନିଜ ଦୁଇ ଝିଅଙ୍କୁ ରାଜନୀତିରେ ପ୍ରବେଶ କରାଇବାକୁ ଚାହୁଁଛନ୍ତି । ଏହାକୁ ନେଇ ବେଶ୍ କିଛି ଦିନ ଧରି ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । ତେବେ ଆଜି ଏସବୁୂ ଚର୍ଚ୍ଚାର ଅନ୍ତ ଘଟାଇ ନିଜେ ଲାଲୁ ଏସମ୍ପର୍କରେ ଘୋଷଣା କରିଛନ୍ତି ।

ପ୍ରକାଶ, ଲାଲୁଙ୍କ ଦୁଇ ଝିଅ ମିସା ଭାରତୀ ଏବଂ ରୋହିଣୀ ଆଚାର୍ଯ୍ୟ ଉଭୟ ଡାକ୍ତର ହୋଇଥିଲେ ମଧ୍ୟ କେବଳ ରୋହିଣୀ ଏବେ ଏହି ପେଶାରେ ଅଛନ୍ତି । ମିସା ଭାରତୀ ଡାକ୍ତରୀ ବୃତ୍ତି ଛାଡି ସମ୍ପ୍ରତି ଆରଜେଡିର ରାଜ୍ୟସଭା ସାଂସଦ ଭାବେ ନିଜ ଦାୟିତ୍ୱ ନିର୍ବାହ କରୁଛନ୍ତି । ଅବଶ୍ୟ ମିସା ଭାରତୀ ରାଜ୍ୟସଭାକୁ ଆସିବା ପୂର୍ବରୁ ଆରଜେଡି ପକ୍ଷରୁ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ପାଟଳୀପୁତ୍ର ଆସନରୁ ପ୍ରାର୍ଥୀ ହୋଇଥିଲେ, ମାତ୍ର ପରାଜିତ ହୋଇଥିଲେ । ତେବେ ଏବେ ଯେତେବେଳେ ଆରଜେଡି ପକ୍ଷରୁ ଉଭୟ ଝିଅଙ୍କୁ ପ୍ରାର୍ଥୀ କରିବାକୁୂ ଲାଲୁ ଚିନ୍ତା କରିଛନ୍ତି ସେତେବେଳେ ମିସା ଭାରତୀ ଏଥର ମଧ୍ୟ ପାଟନାର ପାଟଳୀପୁତ୍ର ଲୋକସଭା ଆସନରୁ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ ରହିଛି । କିନ୍ତୁ ଲାଲୁଙ୍କ ୨ୟ ଝିଅ ରୋହିଣୀ ଅଚାର୍ଯ୍ୟ ପ୍ରଥମ ଥର ପାଇଁ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି । ଏଥିପାଇଁ ଉଭୟ ଲାଲୁ ଏବଂ ତାଙ୍କ ରାଜନେତ୍ରୀ ପତ୍ନୀ ରାବ୍ରୀ ଦେବୀ କିଛି ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରିଦେଇଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

ରୋହିଣୀ ଆଚାର୍ଯ୍ୟ ସାରଣ ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ପ୍ରକାଶ, ରୋହିଣୀ ଏବେ ନିଜ ସ୍ୱାମୀ ଓ ପିଲାମାନଙ୍କ ସହ ସିଙ୍ଗାପୁରରେ ଅବସ୍ଥାନ କରୁଛନ୍ତି । ନିକଟ ଅତୀତରେ ବାପା ଲାଲୁଙ୍କୁ ନିଜର ଏକ କିଡ୍‌ନୀ ଦାନ କରି ରୋହିଣୀ ଚର୍ଚ୍ଚାକୁ ଆସିଥିଲେ । ପ୍ରକାଶ, ବର୍ତ୍ତମାନ ସମୟରେ ଲାଲୁଙ୍କ ଦୁଇ ପୁଅ ତେଜପ୍ରତାପ ଏବଂ ତେଜସ୍ୱୀ ବିଧାନସଭା ରାଜନୀତି କ୍ଷେତ୍ରରେ ସକ୍ରିୟ ଅଛନ୍ତି । ସେହିପରି ପତ୍ନୀ ରାବ୍ରୀ ଦେବୀ ବିଧାନସଭା ପରିଷଦ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ତୃତୀୟ ସନ୍ତାନ ଭାବେ ମିସା ଭାରତୀ ମଧ୍ୟ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରିଆସୁଛନ୍ତି । ଏବେ ଲାଲୁଙ୍କ ପରିବାରର ୪ର୍ଥ ସଦସ୍ୟ ଭାବେ ରୋହିଣୀ ମଧ୍ୟ ନିଜ ପରିବାରର ଏହି ରାଜନୈତିକ ଯାତ୍ରାରେ ସାମିଲ ହେବାକୁ ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking