ବ୍ୟୁରୋ : ‘ବନ୍ଦଇ ଦେବ ଜଗନ୍ନାଥ, କମଳା ଦେବୀଙ୍କ ସଙ୍ଗାତ। ଲକ୍ଷ୍ମୀ ଦେବୀଙ୍କ ପ୍ରାଣ ନାହା, ଶୋଭିତ ଶଙ୍ଖଚକ୍ର ବାହା।।’ ରବିବାର ସଂଧ୍ୟା ହେଉ ହେଉ ସହରର ପ୍ରତିଟି ଗଳିକନ୍ଦି, ଆବାସିକ କଲୋନି, ହଷ୍ଟେଲ୍ ଓ ମେସ୍ରୁ ଭାସି ଆସୁଥିଲା ଏହି ପୁରାଣ। ଭାଦ୍ରବ ମାସ ଆସିଲେ ଏହି ଦୁଇ ପଦକୁ କୁଆଁରୀମାନେ ଗୁଣୁଗୁଣାଉଥିବା ଶୁଣାଯାଏ । ଆଉ ଏଇ ମାସର ପ୍ରତି ରବିବାର ସନ୍ଧ୍ୟାରେ ଉପକୂଳ ଓଡ଼ିଶାର ଘରେ ଘରେ ଏକ ଆଧ୍ୟାତ୍ମିକ ପରିବେଶରେ ଏହି ଗୀତକୁ ଝିଅ, ବୋହୂମାନେ ଗାଆନ୍ତି। ଅବସର ଥାଏ ‘ଖୁଦୁରୁକୁଣୀ ଓଷା’ ବା ‘ଭାଲୁକୁଣୀ ଓଷା’। ଭାଇମାନଙ୍କ ଶୁଭ ମନାସି କରାଯାଉଥିବା ଏହି ଓଷାଟି ଓଡ଼ିଆ ଘରର ଗ୍ରାମ୍ୟ ପରମ୍ପରା ଓ ସଂସ୍କୃତି ସହ ଜଡ଼ିତ ହୋଇଛି। ଏବେ ବି ଗାଁ ଗହଳିରେ ଜାକଜମକରେ ପାଳନ କରାଯାଉଛି ଏହି ପର୍ବ ।
ରାଜଧାନୀ ବି ଖୁଦୁରୁକୁଣୀ ଓଷା ପାଳନରୁ ବାଦ୍ ପଡ଼ି ନାହିଁ । ଚାରିଟି ରବିବାର ଏହାକୁ ପାଳନ କରାଯିବ । ଅତ୍ୟାଧୁନିକ ସହରୀ ସଭ୍ୟତା ଭୁବନେଶ୍ୱରରେ ତା’ର କାୟା ବିସ୍ତାର କରିଥିଲେ ବି ଓଡ଼ିଆ ପରିବାରଗୁଡ଼ିକ ଖୁଦୁରୁକୁଣୀ ଓଷା ପାଳିବାକୁ ଆଦୌ ଭୁଲିନାହାନ୍ତି । ଯେଉଁ ଘରେ ଝିଅଟିଏ ଅଛି, ସେ ଘରେ ଖୁଦୁରୁକୁଣୀ ଓଷା ପାଳନ କରାଯାଉଥିବା ଲକ୍ଷ୍ୟ କରାଯାଉଛି । ଗାଁ ଗହଳି ପରି ରାଜଧାନୀରେ ସକାଳୁ ଉଠି ଝିଅମାନେ ଫୁଲ ତୋଳିବାକୁ ଏ ବାଡ଼ି ସେ ବାଡ଼ି ହେଉ ନାହାନ୍ତି । କି ଏଠି ପୋଖରୀରେ ବୁଡ଼ ପକାଇବାକୁ ଦଳଦଳ ହୋଇ ଯାଉନାହାନ୍ତି । ବ୍ୟସ୍ତବହୁଳ ଜୀବନ ହେଉ କି ଭାଇଚାରାର ଅଭାବ ପାଇଁ ହେଉ, ସହରୀ ସଭ୍ୟତାରେ ସମ୍ପୂର୍ଣ୍ଣ ପାରମ୍ପରିକ ରୀତିରେ ଖୁଦୁରୁକୁଣୀ ଓଷା କରାଯାଉନାହିଁ । କିନ୍ତୁ ଓଷା ପାଳନର ବିଧି ଜୀବନ୍ତ ରହିଛି । ବଜାରରୁ ମା’ ମଙ୍ଗଳାଙ୍କ ମୂର୍ତ୍ତିଟିଏ କିଣି ନିଜ ଘରେ ରଖି ଝିଅମାନେ ପୂଜା କରୁଛନ୍ତି ।