ଭୁବନେଶ୍ବର : ଚାକିରି ନିୟମିତ ଓ ସ୍ଥାୟୀକରଣ ଦାବିରେ ରାଜଧାନୀ ଭୁବନେଶ୍ବରର ଲୋୟର ପିଏମଜିଠାରେ କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଧାରଣାରେ ବସିଛନ୍ତି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରାୟ ୧୩ରୁ ୧୪ ହଜାର କନିଷ୍ଠ ଶିକ୍ଷକ ଏହି ଆନ୍ଦୋଳନରେ ସାମିଲ ହୋଇ ସରକାରଙ୍କ ବିରୋଧରେ ଗର୍ଜନ କରିଛନ୍ତି । ଗତ ଏପ୍ରିଲ ମାସରେ ରାଜ୍ୟ ସରକାର କନିଷ୍ଠ ଶିକ୍ଷକମାନଙ୍କୁ ସ୍ଥାୟୀ କରାଯିବ ବୋଲି ବାଜ୍ୟାପ୍ତ କରିଥିଲେ । ମାତ୍ର ବାସ୍ତବ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଉନଥିବାରୁ ଶିକ୍ଷକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।
ସରକାରଙ୍କ ଏହି ସ୍ଥାୟୀକରଣ ପ୍ରକ୍ରିୟାରେ କିଛି ତ୍ରୁଟି ରହିଥିବା ଦର୍ଶାଇ ମାନ୍ୟବର ହାଇକୋର୍ଟ ଏହାପରେ ରହିତାଦେଶ ଲଗାଇଛନ୍ତି । କିଭଳି ଭାବରେ ୧୪ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଗଲା, ସେନେଇ କୋର୍ଟରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସରକାରଙ୍କ ପକ୍ଷରୁ ସଠିକ୍ ସମୟରେ ସତ୍ୟପାଠ ଦାଖଲ କରାଯାଉ ନଥିବାରୁ ମାମଲାଟି ଜଟିଳ ହେବାରେଲାଗିଛି । ରାଜରାସ୍ତାରେ ଶିକ୍ଷକମାନଙ୍କ ଏହି ଧାରଣା ଯୋଗୁଁ ରାଜଧାନୀର ରାଜନୈତିକ ଏବଂ ପ୍ରଶାସନିକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଶିକ୍ଷକମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ଶୀଘ୍ର ଏହାର ସମାଧାନ ନହୁଏ, ତେବେ ଆନ୍ଦୋଳନ ଆଗକୁ ଆହୁରି ଜୋରଦାର କରାଯିବ ।










