ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ସିରିଆପାଲି ଗ୍ରାମର ଏକ ବ୍ରିଜ ନିକଟସ୍ଥ ନାଳରୁ ଜଣେ ୧୯ ବର୍ଷୀୟ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଉଛନ୍ତି ସିରିଆପାଲି ଗ୍ରାମର ଦେବେନ୍ଦ୍ର ସୁନାନୀ । ମିଳିଥିବା ସୂଚନା ଅନୁଯାୟୀ, ଦେବେନ୍ଦ୍ର ଗତ ୧୦ ତାରିଖରୁ ନିଖୋଜ ଥିଲେ । ଏ ନେଇ ଗତ ୧୧ ତାରିଖରେ ମୃତ ଦେବେନ୍ଦ୍ରଙ୍କ ମା’ ଝାରସୁଗୁଡ଼ା ଏସପିଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ । ତେବେ ଆଜି ସକାଳେ ନାଲାରୁ ତାଙ୍କର ଗଳିତ ମୃତଦେହ ମିଳିବା ପରେ ଏହାକୁ ନେଇ ହତ୍ୟା ସନ୍ଦେହ ବଢ଼ିବାରେ ଲାଗିଛି ।ମୃତ ଦେବେନ୍ଦ୍ର ଝାରସୁଗୁଡ଼ାର ଏକ ଘରୋଇ ଆଇଟିଆଇ କଲେଜରେ ପାଠ ପଢ଼ୁଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ମେଡିକାଲ କଲେଜକୁ ପଠାଇଛି । ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ।










