ନୂଆଦିଲ୍ଲୀ: ସାଲିଆନ୍ ମୃତ୍ୟୁ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଆଦିତ୍ୟ ଠାକରେଙ୍କ ଅଡ଼ୁଆ ବଢ଼ୁଥିବା ନଜର ଆସୁଛି । ଏହି ମାମଲାରେ ଆଜି ସିବିଆଇ ଏକ ଏଫଆଇଆର ରୁଜୁ କରିଛି, ଯେଉଁଥିରେ ଉଦ୍ଧବ ଠାକରେ ଏବଂ ଆଦିତ୍ୟ ଠାକରେଙ୍କ ନାମ ସାମିଲ ରହିଛି । ଏହା ବ୍ୟତୀତ ସେହି ସମୟରେ ମୁମ୍ବାଇର ପୁଲିସ କମିଶନର ଥିବା ପରମବୀର ସିଂହ ଏବଂ ତତ୍କାଳୀନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନାମ ମଧ୍ୟ ଏହି ମାମଲାରେ ଦର୍ଜ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଏଥିରୁ କାହାକୁ ବି ସିଧାସଳଖ ଅଭିଯୁକ୍ତ କରାଯାଇ ନାହିଁ । ଏହି ଏଫଆଇଆରରେ ବଲିଉଡର କିଛି ଜଣାଶୁଣା ହସ୍ତୀ ଯଥା ଡିନୋ ମୋରିଆ, ସୂରଜ ପାଞ୍ଚୋଲି ଏବଂ ରିଆ ଚକ୍ରବର୍ତ୍ତୀଙ୍କ ନାମ ମଧ୍ୟ ସାମିଲ ଅଛି ।ଦିଶା ସାଲିଆନ୍ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଥିଲେ ଏବଂ ସୁଶାନ୍ତଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ସନ୍ଦେହଜନକ ପରିସ୍ଥିତିରେ ଦିଶାଙ୍କ ମୃତ୍ୟୁ ଘଟିଥିଲା ।










