କଟକ : ମନ୍ଦିରରୁ ପୁଣି ଲୁଟ୍। କଟକ ସଦର ଥାନା ଅଧୀନ ମହିଧରପଡ଼ା ଗାଁର ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିରରୁ ଚୋରି । ୨ ଦିନ ତଳେ ବିଳମ୍ବିତ ରାତ୍ରୀରେ ଏହି ଚୋରି ହୋଇଛି । ଲୁଟ୍ ସମୟରେ ମନ୍ଦିର ପୂଜକ ମନ୍ଦିର ପରିସରରେ ଶୋଇଥିଲେ । ରାତିରେ କିଛି ଶବ୍ଦ ଶୁଣି ପୂଜକ ଉଠିଯାଇଥିଲେ । ୪ ଜଣ ଦୁବୃର୍ତ୍ତ ମୁହଁରେ କଳା କପଡ଼ା ବାନ୍ଧି ମନ୍ଦିର ତାଲା ଭାଙ୍ଗି ଦେଇଥିଲେ। ମନ୍ଦିର ଭିତରେ ପଶି ମୂର୍ତ୍ତି ଓ ଆସବାବପତ୍ର ଚୋରି କରୁଥିବା ପୂଜକ ଦେଖିଥିଲେ । ପୂଜକ ତାଙ୍କୁ ବିରୋଧ କରିବାରୁ ସେମାନେ ତାଙ୍କୁ ମାଡ଼ ମାରି ତଳେ ପକାଇ ଚଢ଼ି ଯାଇଥିଲେ । କେତେକ ମୂର୍ତ୍ତି ଆସବାବପତ୍ର ନେଇ ଚାଲିଯାଇଥିଲେ । ସେମାନେ ଯିବା ପରେ ପୂଜକ ବଡ଼ ପାଟିରେ ଚିତ୍କାର କରି ଡାକିବାରୁ ପାଖ ଘର ଲୋକେ ଉଠି ଆସିଥିଲେ । ଘଟଣା ବାବଦରେ ସଦର ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସର ତଦନ୍ତ ଜାରି ରହିଛି । ୪ ବର୍ଷ ତଳେ ଏହି ମନ୍ଦିରରୁ ଚୋରି ହୋଇଥିଲା, ହେଲେ ସେ ଚୋରି ଜିନିଷ ମିଳି ନଥିଲା । ଏବଂ ଏଯାଏ କେହି ଧରା ପଡ଼ି ନାହାନ୍ତି ।










