37.1 C
Bhubaneswar
Sunday, April 28, 2024
Homeଓଡିଶାସାମ୍ବାଦିକଙ୍କ ପୁଅଙ୍କୁ ହତ୍ୟା ମାମଲା : ହୋଟେଲ୍‌ରେ ଲୁଚିଛି ରହସ୍ୟ

ସାମ୍ବାଦିକଙ୍କ ପୁଅଙ୍କୁ ହତ୍ୟା ମାମଲା : ହୋଟେଲ୍‌ରେ ଲୁଚିଛି ରହସ୍ୟ

ଭୁବନେଶ୍ୱର:  ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ପୁଅ ମନୀଷ ଅନୁରାଗ ଦାସଙ୍କ ମୃତ୍ୟୁ କେମିତି ହେଲା, କିଏ ତାଙ୍କୁ ମାରିଲା, ସେ ଦୁଇଜଣ ସାଙ୍ଗ କୁଆଡ଼େ ଗଲେ, ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ତଦନ୍ତ ଚାଲିଥିବାବେଳେ ପୁଲିସ ହାତରେ ବଡ଼ ସୁରାକ୍ ଲାଗିଛି । ତମାଣ୍ଡୋ ଥାନା ଅନ୍ତର୍ଗତ ‘ସାଉଥ୍ ସିଟି ହୋଟେଲ୍ ଆଣ୍ଡ୍ ବାର୍‌’ରେ ମନୀଷ ବିଳମ୍ବିତ ରାତି ପର୍ଯ୍ୟନ୍ତ ଥିବା ପୁଲିସ କହିଛି । ତେବେ ତାଙ୍କ ସହ ଅନ୍ୟ କିଏ କିଏ ଥିଲେ, ସେନେଇ କୌଣସି ସୂଚନା ମିଳିପାରିନାହିଁ । ଅନ୍ୟପକ୍ଷେ କୋଭିଡ୍ ଗାଇଡ଼ଲାଇନ୍ ଉଲ୍ଲଙ୍ଘନ ଏବଂ ଏକ ହତ୍ୟାମାମଲାରେ ସମ୍ପୃକ୍ତି ଥିବାରୁ ପୁଲିସ ଏହି ହୋଟେଲ୍‌କୁ ସିଲ୍ କରିଦେଇଛି ।

ସୋମବାର ପୁଲିସ ଘଟଣାର ତଦନ୍ତ କରିବା ପାଇଁ ସାଉଥ୍ ସିଟି ହୋଟେଲ୍‌କୁ ଯାଇଥିଲା । ସେଠାରୁ ସିସିଟିଭି ଫୁଟେଜ୍ ସମେତ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ଏହାସହ ଉକ୍ତ ହୋଟେଲର ଜଣେ ରାତ୍ରୀ କର୍ମଚାରୀଙ୍କୁ ଥାନାକୁ ଆଣି ପଚରାଉଚରା ଚଳାଇଛି । ହୋଟେଲର ଜଣେ କର୍ମଚାରୀଙ୍କ କହିବାନୁସାରେ, ଶନିବାର ରାତି ସାଢ଼େ ୧୧ଟାରୁ ୩ଟା ପର୍ଯ୍ୟନ୍ତ ମନୀଷ ଓ ତାଙ୍କ ସାଙ୍ଗମାନେ ବାର୍‌ରେ ଥିଲେ । ରାତି ସାଢ଼େ ୨ଟାରେ ସେ ବାର୍‌ରୁ ବାହାରି ଯାଇଥିଲେ । ତେବେ ହୋଟେଲରୁ ଯିବାବେଳେ ମନୀଷ କେମିତି ଗଲେ, ତାଙ୍କ ସହ କିଏ କିଏ ଥିଲେ, ଏଭଳି ଅନେକ ସନ୍ଦେହଜନକ ପ୍ରଶ୍ନ ଏବେ ପୁଲିସ ମନରେ ସୃଷ୍ଟି ହୋଇଛି ।

ହୋଟେଲ ଠାରୁ ମାତ୍ର ୧କିଲୋମିଟର ଦୂର ଏକ ପୋଖରୀରୁ ମନୀଷଙ୍କ ଶବ ମିଳିବା ଘଟଣା ହୋଟେଲ କର୍ମଚାରୀଙ୍କୁ ସନ୍ଦେହଘେରକୁ ଟାଣି ଆଣିଛି । ଅନ୍ୟପକ୍ଷେ ଭୁବନେଶ୍ୱର ଡିସିପି ଡ. ଉମାଶଙ୍କର ଦାଶ କହିଛନ୍ତି, ମୃତକଙ୍କ ପିତାଙ୍କୁ ପଚରାଉଚରା କରାଯାଇଛି । ତାଙ୍କ ଠାରୁ ସମସ୍ତ ତଥ୍ୟ ସଂଗ୍ରହ କରାଯାଇଛି । ପୁଲିସ ତଥ୍ୟପ୍ରମାଣ ଜରିଆରେ ତଦନ୍ତ କରୁଥିବା ସେ କହିଛନ୍ତି । ସେହିପରି ଟେଲିକମ୍ କମ୍ପାନୀ ସହଯୋଗ ନେଇ ମନୀଷଙ୍କ ମୋବାଇଲ ଫୋନ କଲ୍‌କୁ ଯାଞ୍ଚ କରାଯାଉଛି । ଘଟଣା ଦିନ ସେ କାହାକୁ ଫୋନ କରିଥିଲେ କିମ୍ବା ତାଙ୍କୁ କିଏ ଫୋନ କରିଥିଲା, ସେ ନେଇ ପୁଲିସ ତଦନ୍ତ କରୁଛି । ସେଦିନ ତାଙ୍କ ସହିତ କେଉଁମାନେ ଥିଲେ, ତାହା ଜାଣିବା ପାଇଁ ସହରରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଉଛି ।

ଏଥିସହିତ ପାରିପାଶ୍ୱର୍ିକ ସ୍ଥିତି ଓ ତାଙ୍କ ସହ ମିଳାମିଶା କରୁଥିବା ଲୋକଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିଛି । ବିଶେଷକରି ପୁଲିସ ଘଟଣାର ରହସ୍ୟ ଜାଣିବାକୁ ଡାଏଟମ୍ ଟେଷ୍ଟ କରିବାକୁ ସାମ୍ପୁଲ ପଠାଇଛି । ମୃତଦେହ ଉଦ୍ଧାର ହୋଇଥିବା ପୋଖରୀର ପାଣି ଓ ମୃତକଙ୍କ ଶରୀରର କିଛି ଅଂଶ ଫରେନସିକ୍ ଲ୍ୟାବକୁ ପଠାଯାଇଛି । ଏଥିରୁ ସ୍ପଷ୍ଟ ଜଣାପଡିବ ଯେ, ସେ ପାଣିରେ ବୁଡିବାରୁ ମୃତ୍ୟୁବରଣ କରିଛନ୍ତି ନା ମୃତ୍ୟୁ ପରେ ପାଣିରେ ବୁଡିଛନ୍ତି । ସେହିପରି ଭିସେରା ମଧ୍ୟ ଟେଷ୍ଟ ପାଇଁ ପଠାଯାଇଛି । ଏହାସହ କେଉଁମାନଙ୍କ ସହିତ ମିଳିମିଶା କରୁଥିଲେ, କାହା ସହିତ ଶତ୍ରୁତା ଥିବା ଆଦି ତଥ୍ୟ ଜାଣିବା ଲାଗି ପୁଲିସ ତାଙ୍କ ସମ୍ପର୍କୀୟମାନଙ୍କ ସହଯୋଗ ମଧ୍ୟ ଲୋଡିଛି । ତେବେ ଖୁବଶୀଘ୍ର ଘଟଣାର ରହସ୍ୟ ଖୋଲିବ ବୋଲି ପୁଲିସ ଆଶାବାଦୀ ଅଛି ।

– ରାତି ୩ଟା ପର୍ଯ୍ୟନ୍ତ ଖୋଲାଥିଲା ବାର୍‌
ସରକାରଙ୍କ କୋଭିଡ୍ ଗାଇଡଲାଇନ ଅନୁସାରେ ରାତି ୧୦ଟା ପର୍ଯ୍ୟନ୍ତ ବାର୍‌, ରେଷ୍ଟୁରାଣ୍ଟ ଖୋଲାରହିବ । ହେଲେ ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ଏହି ବାର୍ ରାତି ୩ଟା ପରେ ବି ଖୋଲାଥିଲା । ତେବେ ଏହି ବାର୍‌କୁ ଖୋଲିବାକୁ କିଏ ଅନୁମତି ଦେଲା, ପୁଲିସ ସେଠାକୁ ଯାଞ୍ଚ ପାଇଁ କାହିଁକି ଯାଉନଥିଲା, ବାର୍ ଖୋଲିବା ପଛେ ପୁଲିସର ହାତ ଅଛି କି, ଏଭଳି ଅନେକ ପ୍ରଶ୍ନ ଏବେ ସୃଷ୍ଟି ହୋଇଛି ।

– ଭୋଜି କରିବାକୁ ଡାକି ହତ୍ୟା
ବରିଷ୍ଠ ସାମ୍ବାଦିକ ନବୀନ ଦାସ ପୁଅର ମୃତ୍ୟୁ ଭାଙ୍ଗି ପଡ଼ିଥିଲେ ବି ନିଜର ମନର କଥାକୁ ସର୍ବସାଧାରଣଙ୍କ ସାମ୍ନାରେ ପ୍ରକାଶ କରିଛନ୍ତି । ଖୁସି ବାଣ୍ଟୁଥିବା ଲୋକ ଆଜି ଦୁଃଖ ବାଣ୍ଟିବାକୁ ଆସିଥିବା ସେ ତାଙ୍କ କାର୍ଯ୍ୟକ୍ରମ ‘ଗୁମର କଥା’ରେ କହିଛନ୍ତି । ତାଙ୍କ ପୁଅକୁ ସାଙ୍ଗମାନେ ଭୋଜି କରିବାକୁ ଡାକି ହତ୍ୟା କରିଦେଲେ ବୋଲି ଦାବି କରିଛନ୍ତି । ଏମିତି ଘଟଣା ଆଉ କେଉଁ ବାପା ସହ ନଘଟୁ ବୋଲି ସେ ଭଗବାନଙ୍କୁ ନିବେଦନ କରିଛନ୍ତି ।

– କାମଦେଉନି ହୋଟେଲ ସିସିଟିଭି
ସାଉଥ ସିଟି ହୋଟେଲର ସିସିଟିଭି ଠିକ୍ ଭାବେ କାମ ଦେଉନି । ସିସିଟିଭି ଖରାପ ଥିବାରୁ ଶନିବାର ବିଳମ୍ବିତ ରାତିର ଘଟଣାବଳୀ ଠିକ୍ ଭାବେ ଦୃଶ୍ୟମାନ ହେଉନି । ତେଣୁ ସେଥିରେ ଅଭିଯୁକ୍ତଙ୍କୁ ଚିହ୍ନିବା କଷ୍ଟକର ହୋଇପଡୁଛି । ଏମିତିକି ସେହି ସିସିଟିଭିରେ କିଛି ଜଣାପଡୁନାହିଁ । ଯେଉଁଥିପାଇଁ ତଦନ୍ତରେ ଅସୁବିଧା ହେଉଛି ବୋଲି ଜୋନ-୬ ଏସିପି ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking