35.1 C
Bhubaneswar
Monday, May 13, 2024
Homeଓଡିଶାପୌର ନିର୍ବାଚନ ପାଇଁ ଫିଟିଲା ବାଟ

ପୌର ନିର୍ବାଚନ ପାଇଁ ଫିଟିଲା ବାଟ

ଭୁବନେଶ୍ୱର:  ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣ ନେଇ ଆଇନ୍ ବିଭାଗ ପକ୍ଷରୁ ସୋମବାର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ସେପ୍ଟେମ୍ବର ୭ ତାରିଖରେ ଓଡ଼ିଶା ପୌର ଆଇନ ସଂଶୋଧନ ବିଲ୍‌, ୨୦୨୧ ରାଜ୍ୟ ବିଧାନସଭାରେ ପାରିତ ହୋଇଥିଲା । ଏହି ଆଇନ ଅନୁଯାୟୀ ପୌର ନିର୍ବାଚନରେ ସର୍ବୋଚ୍ଚ ସଂରକ୍ଷଣ ସୀମା ୫୦ ପ୍ରତିଶତ ଏବଂ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ସୀମା ୨୭ ପ୍ରତିଶତ ମଧ୍ୟରେ ରହିବ । ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ମୁତାବକ ସଂରକ୍ଷଣ ସୀମା ୫୦% ମଧ୍ୟରେ ରଖିବାକୁ ସରକାର ଏହି ବିଲ୍ ଜରିଆରେ ବ୍ୟବସ୍ଥା କରିଛନ୍ତି । ୨୦୧୩ ମସିହାରେ ୨୧ଟି ପିଟିସନ ଉପରେ ବିଚାର କରି ଓଡ଼ିଶା ହାଇକୋର୍ଟ ପୌର ନିର୍ବାଚନରେ ସଂରକ୍ଷଣ ସୀମା ୫୦% ମଧ୍ୟରେ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ ।

ଯାହାକୁ ଓଡ଼ିଶା ସରକାର ସୁପ୍ରିମ୍ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ତେବେ ସୁପ୍ରିମ୍ କୋର୍ଟ ରାଜ୍ୟ ସରକାରଙ୍କୁ ଝଟ୍‌କା ଦେଇ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ । ସଂରକ୍ଷଣ ସୀମାକୁ ୫୦% ମଧ୍ୟରେ ରଖିବା ଲାଗି ଦୁଇଟି ଆଇନରେ ସଂଶୋଧନର ଆବଶ୍ୟକତା ଥିଲା । ଏହି ଦୁଇଟି ହେଉଛି ଓଡ଼ିଶା ପୌର ଆଇନ, ୧୯୫୦ ଏବଂ ଓଡ଼ିଶା ପୌର ନିଗମ ଆଇନ, ୨୦୦୩ । ଦୁଇଟି ଆଇନରେ ପଛୁଆ ବର୍ଗଙ୍କୁ ୨୭ % ସଂରକ୍ଷଣ ମିଳିବା ନେଇ ପ୍ରାବଧାନ ରହିଥିଲା ।

ସେହିଭଳି ସମ୍ବିଧାନର ଧାରା ୨୪୩ ଆଧାରରେ ଜନସଂଖ୍ୟାକୁ ବିଚାରକୁ ନେଇ ସହରାଞ୍ଚଳରେ ଏସ୍‌ସି, ଏସ୍‌ଟି ବର୍ଗଙ୍କୁ ମଧ୍ୟ ପୌର ନିର୍ବାଚନରେ ସଂରକ୍ଷଣ ପ୍ରଦାନ କରିବା ଲାଗି ପ୍ରାବଧାନ ରହିଥିଲା । ଏଣୁ ଏସ୍‌ସି, ଏସ୍‌ଟି ଏବଂ ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣକୁ ମିଶାଇଲେ ତାହା ୫୦%ରୁ ଢେର ଅଧିକା । ଏବେ ସଂରକ୍ଷଣ ସୀମା ୫୦% ମଧ୍ୟରେ ରଖିବାକୁ ଥିବାରୁ ସରକାର ଏହି ଦୁଇଟି ଆଇନରେ ସଂଶୋଧନ କରିଛନ୍ତି । ସଂଶୋଧିତ ଆଇନ ଅନୁସାରେ ପ୍ରଥମେ ଏସ୍‌ସି ଏବଂ ଏସ୍‌ଟିଙ୍କୁ ସଂରକ୍ଷଣ ଦିଆଯିବ । ସେମାନଙ୍କୁ ଆବଶ୍ୟକ ସଂରକ୍ଷଣ ଦେବା ପରେ ଅବଶିଷ୍ଟ ଅଂଶଗୁଡ଼ିକୁ ପଛୁଆ ବର୍ଗଙ୍କୁ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking